-+91-9937148622 |
prerana_bgr@rediffmail.com |
Friday 4th September 2026 |
R.N.I. Regd No. ODIODI/2010/46693
Breaking News
17-Mar-2022
ବଲାଙ୍ଗୀର(ମଳୟ ମିଶ୍ରଙ୍କ ରିପୋର୍ଟ): ପ୍ରଥମଥର ଲାଗି ଚଳିତବର୍ଷ ବଲାଙ୍ଗୀରରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ଡେଇଁଲାଣି । ପୁଣି ଆଞ୍ଚଳିକ ପାଣିପାଗ ବିଜ୍ଞାନକେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି ଯେ ବଲାଙ୍ଗୀର , ସୋନପୁର ସମେତ କେତେକ ଜିଲ୍ଲାରେ ୧୮ ତାରିଖରେ ୨ ରୁ ୩ ଡିଗ୍ରୀ ତାପମାତ୍ରା ବଢିବ । କିଛିସ୍ଥାନରେ ମଧ୍ୟ ହିଟ୍ ଉଏଭ୍ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଏସ୍ ଆର୍ ସି ବା ସ୍ବତନ୍ତ୍ର ରିଲିଫ୍ କମିଶନର୍ ସତର୍କସୂଚନା ଜାରୀ କରିଛନ୍ତି । ଶିଶୁ , ମହିଳା ଓ ବୟସ୍କବ୍ୟକ୍ତିଙ୍କୁ ବାହାରକୁ ଯିବା ସମୟରେ ଗ୍ରୀଷ୍ମପ୍ରବାହରୁ ରକ୍ଷା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି । ସ୍ଥିତିଉପରେ ନଜର ରଖିବାକୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଥିବା ପ୍ରକାଶ ।
ତେବେ ଏହାସତ୍ତ୍ବେ ବଲାଙ୍ଗୀର ଜିଲ୍ଲାରେ ଛୋଟ ପିଲାଙ୍କର ପରୀକ୍ଷା ଚାଲିଛି । ବିଶେଷକରି ସହରବାହାରେ ଓ ଜନବସତିଠାରୁ କିଛିଦୂରରେ ଥିବା ଆଦର୍ଶ ବିଦ୍ୟାଳୟଗୁଡିକରେ ଚାଲିଥିବା ଛୋଟ ଛୋଟ ପିଲାଙ୍କ ପରୀକ୍ଷା ପାଇଁ ଅଦ୍ୟାବଧି ସେଠାରେ ହଷ୍ଟେଲ ଥାଇ ସୁଦ୍ଧା ଏହି ବ୍ୟବସ୍ଥା ଆରମ୍ଭ ହୋଇପାରି ନଥିବାରୁ ୨୦ / ୨୫ କିମି ଦୂରରୁ ଅଟୋ , ବାଇକ୍ ଓ ଗାଡିମଟରରେ ବୁହାହୋଇ ପିଲାମାନଙ୍କୁ ପ୍ରଚଣ୍ଡ ୪୦ ଡିଗ୍ରୀରୁ ଅଧିକ ଖରା ଓ ତାପମାତ୍ରାରେ ପରୀକ୍ଷାଦେବାକୁ ଯିବାକୁ ପଡୁଛି । ଆଜିଠାରୁ ଜିଲ୍ଲାପାଳ ଦୁଇଟି ସିଟିଂ ବଦଳାରେ ଦିନକୁ ଗୋଟିଏ ସିଟିଂ ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଥିଲେ ହେଁ , ପ୍ରତିଦିନ ୯ ଟାବେଳକୁ ବାହାରି ଦିନ ଦୁଇଟାରେ ଘରକୁ ଫେରିବା ମଧ୍ୟ ଅତ୍ୟନ୍ତ କଷ୍ଟଦାୟକ ।
ସେହିପରି ଏତେ ତାପମାତ୍ରା ବୃଦ୍ଧି ସତ୍ତ୍ୱେ , ପୌରନିର୍ବାଚନରେ ଦିନବେଳା କୌଣସି ସରକାରୀ ବାରଣ ବା କରୋନା କଟକଣାକୁ ବେଖାତିର୍ କରି ସାଂସଦ ଓ ବିଧାୟକମାନେ ନିର୍ବାଚନ ପ୍ରଚାର ଓ ରୋଡ୍ ସୋ' ଜାରୀ ରଖିଛନ୍ତି ! କ୍ଷମତାହାସଲ ଲୋଭ ଓ ନିଶା ସେମାନଙ୍କୁ ପାଗଳ କରିଛି !
ତୃତୀୟତଃ ଅଦ୍ୟାବଧି ଜିଲ୍ଲାରେ ପାଣିଛତ୍ର ଆରମ୍ଭ କରାଯାଇନାହିଁ କିମ୍ବା ଅଂଶୁଘାତର ପ୍ରତିକାର ନିମନ୍ତେ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇନାହିଁ ।