-+91-9937148622 |
prerana_bgr@rediffmail.com |
Tuesday 6th October 2026 |
R.N.I. Regd No. ODIODI/2010/46693
Breaking News
10-Feb-2022
ବଲାଙ୍ଗୀର(ମଳୟ ମିଶ୍ରଙ୍କ ରିପୋର୍ଟ ): ଗତ ଅକ୍ଟୋବର ମାସରେ ଅପହୃତା ଓ ହତ୍ୟାର ଶିକାର ହୋଇଥିବା ବହୁଚର୍ଚ୍ଚିତ ମମିତା ମେହେର ହତ୍ୟାମାମଲାର ମୁଖ୍ୟଅଭିଯୁକ୍ତ ଗୋବିନ୍ଦ ମେହେର ଟିଟିଲାଗଡ ଥାନାର ବାରାକ୍ ରୁ ଫେରାର୍ ଅଭିଯୋଗର ଜାମିନଆବେଦନକୁ ଗତକାଲି ଟିଟିଲାଗଡ ଜେଏମ ଏଫ ସି ନାମଞ୍ଜୁର କରିଦେଇଛନ୍ତି । କୋର୍ଟରେ କେହି ଓକିଲ ତା'ର କେସ୍ ନେବାକୁ ଆଗେଇ ନ ଆସିବାରୁ ମାନ୍ୟବର ଜଜ୍ ଙ୍କ ନିର୍ଦ୍ଦେଶରେ ଲିଗାଲ୍ ଏଡ୍ ପକ୍ଷରୁ ସୁରେନ୍ଦ୍ର ପଣ୍ଡା ଶେଷରେ ଜାମିନ ପିଟିସନ ଦାଖଲ କରିଥିଲେ ଓ ଏହା ନାମଞ୍ଜୁର ହୋଇଯାଇଥିଲା । କଣ୍ଟାବାଞ୍ଜି ଧାମନଡଙ୍ଗା ସ୍ଥିତ ଉପକାରାଗାରରେ ବିଚାରବିଭାଗୀୟ ହାଜତରେ ଅଟକଥିବା ଏହି ଅଭିଯୁକ୍ତକୁ ଏକ ସ୍ବତନ୍ତ୍ର ଭ୍ୟାନ୍ ରେ ଗଣମାଧ୍ୟମର ଦୃଷ୍ଟି ଆଢୁଆଳରେ ପୁଲିସ୍ ଟିଟିଲାଗଡ କୋର୍ଟରେ ନେଇ ହାଜର କରାଇଥିଲା । ଏସମ୍ପର୍କରେ ଜିଆର କେସ୍ ନ୦ ୪୩୧ / ୨୧ ଏବଂ ପୁଲିସ୍ କେସ୍ ନ୦ ୩୫୧ / ତା ୧୮ । ୧୦ । ୨୦୨୧ ଅନୁଯାୟୀ ମାମଲା ଋଜୁ ହୋଇଥିଲା ।
ମମିତା ମେହେର ହତ୍ୟାମାମଲାରେ ବଲାଙ୍ଗୀର ପୁଲିସ୍ ଗିରଫ କରି ତାକୁ ଟିଟିଲାଗଡ ଥାନା ପରିସରର ପୁଲିସ୍ ବାରାକ୍ ରେ ରଖିଥିଲା ।
କଳାହାଣ୍ଡି ଜିଲ୍ଲାର କେ'ଗାଁ ଥାନା ଅନ୍ତର୍ଗତ ମହାଲିଙ୍ଗ ସାଇନ୍ ସ କଲେଜ ସଂଲଗ୍ନ ସନ୍ ସାଇନ୍ ପବ୍ଲିକ୍ ସ୍କୁଲ୍ ରେ ଅଧ୍ୟକ୍ଷା ଥିବା ବଲାଙ୍ଗୀରଜିଲ୍ଲା ତୁରେକେଲା ଥାନାନ୍ତର୍ଗତ ଝରଣୀ ଗ୍ରାମର ମମିତା ମେହେରଙ୍କୁ ପରକୀୟା ସମ୍ପର୍କରୁ ଗତବର୍ଷ ଅକ୍ଟୋବର ୮ ତାରିଖରେ ଡକାଇନେଇ ଚାନ୍ଦୋତରା ନିକଟରୁ ବସ୍ ରୁ ଓହ୍ଲାଇ ନେଇ ଅଧବାଟରୁ ଅଭିଯୁକ୍ତ ନିଜ କାର୍ ରେ ଅପହରଣ କରିନେଇ ହତ୍ୟା କରି ମହାଲିଙ୍ଗ ସ୍କୁଲ ପଡିଆରେ ପୋଡି ଗାତ ଖୋଳି ପୋତିଦେଇଥିବା ଅଭିଯୋଗରେ ସିନ୍ଧେକେଲା ଥାନାରେ ସେହିମାସ ୧୩ ତାରିଖର ଏତଲାକ୍ରମେ ସିନ୍ଧେକେଲା ପୁଲିସ୍ ଦ୍ବାରା ସେହି ମାସ ୧୫ ତାରିଖରେ ପ୍ରଥମେ ଗିରଫ ହୋଇଥିଲା । ସେହି ଅକ୍ଟୋବର ୧୭ ତାରିଖରେ ସେ ଟିଟିଲାଗଡ ଥାନା ପୁଲିସ୍ ବାରାକ୍ ରୁ ଫେରାର୍ ହୋଇଯାଇଥିବା କୁହାଯାଇଥିଲା ଓ ପରଦିନ ତାକୁ ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ଝରିଏଲ୍ ଗ୍ରାମର ତା'ର ସମ୍ପର୍କୀୟଙ୍କ ଆଖୁବାଡିରୁ ପୁଣି ଗିରଫ ହୋଇଥିବା ପୁଲିସ୍ କହିଥିଲା । ତେବେ ସେହି ୧୯ ତାରିଖରେ ମହାଲିଙ୍ଗ ଷ୍ଟାଡିୟମରୁ ମାଟିଖୋଳାଯାଇ ମମିତାର ଅର୍ଦ୍ଧଦଗ୍ଧ ମୃତଦେହ ଜବତ ହେଲାଦିନ ସନ୍ଧ୍ୟାରେ ଅଭିଯୁକ୍ତ ଗୋବିନ୍ଦର ଆଖୁବାଡିରୁ ଗିରଫ ହେବା ଓ ଇତିମଧ୍ୟରେ ମହାଲିଙ୍ଗ କଲେଜ ହଷ୍ଟେଲର ଏକ ସନ୍ଦିଗ୍ଧ କୋଠରୀ ସମେତ କଲେଜ ବନାମ ସ୍କୁଲର ସମସ୍ତ ସିସିଟିଭି ରେକର୍ଡକୁ ନଷ୍ଟ କରିଦିଆଯାଇଥିବାର ଉଦ୍ଦେଶ୍ୟ ଓ ଅଭିଯୁକ୍ତଙ୍କୁ ଏହି ତଦନ୍ତ ରିପୋର୍ଟର ପରିସରଭୁକ୍ତ କରାଯାଇଛି କି ନାହିଁ , ଅସ୍ପଷ୍ଟ ରହିଛି । କାରଣ ଏହି ନରହତ୍ୟା ଓ ପ୍ରମାଣନଷ୍ଟ କାଣ୍ଡକାରଖାନା ପଛରେ ସେହି ସ୍କୁଲ ଓ କଲେଜରେ ଚାଲୁଥିବା ସେକ୍ସରାକେଟ୍ ଅଭିଯୋଗ ସହିତ ଅଭିଯୁକ୍ତ ସହ ଘନିଷ୍ଠ ସେଠାକାର ବିଧାୟକ ତଥା ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କର ସମ୍ପୃକ୍ତି ଓ ଇଙ୍ଗିତ ରହିଥିବା ଅଭିଯୋଗ ସମ୍ପର୍କରେ ରାଜ୍ୟବ୍ୟାପି ତୁମୁଳ ପ୍ରତକ୍ରିୟା ଓ ହଟ୍ଟଗୋଳ ଅଦ୍ୟାବଧି ଜାରୀ ରହିଛି । ତେଣୁ ମନ୍ତ୍ରୀଙ୍କୁ ବଞ୍ଚାଇବାକୁ ପୁଲିସ୍ ର ସହଯୋଗରେ ଅଭିଯୁକ୍ତ ଗୋବିନ୍ଦ ସାହୁ ଆସି ଏହି ତଥ୍ୟପ୍ରମାଣ ନଷ୍ଟ କରିଛି ଓ ଏହି ସୁଯୋଗ ଦେବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଏହି ଷଡଯନ୍ତ୍ର କରାଯାଇଛି ବୋଲି ରାଜନୈତିକ ଦଳ ଠାରୁ ଗଣମାଧ୍ୟମ ଓ ଲୋକେ ଚର୍ଚ୍ଚା ଓ ଅଭିଯୋଗ କରିଆସୁଛନ୍ତି । ଏଣୁ ଗୋବିନ୍ଦ ସାହୁ ବିରୋଧରେ ଥରକୁ ଥର ଦୁଇଟି ଜିଲ୍ଲାର ଏ ଥାନାରୁ ସେ ଥାନା ବୁଲାଇ
ଏତଲା ଗ୍ରହଣ ପରେ ଏ ଥାନାରୁ ସେ ଥାନାରେ ଗିରଫ କରି ରଖାଯିବା ଓ ବାରାକ୍ ରୁ ଛାଡିଦେବା ଇତ୍ୟାଦି ସହ ସନ୍ଦେହକୁ ଆସୁଥିବା ପୁଲିସ୍ ଅଧିକାରୀ , ବଡବଡିଆଙ୍କୁ ଏହି ଅଭିଯୋଗର ତଦନ୍ତର ପରିସରଭୁକ୍ତ କରାଯିବାକଥା ବୋଲି ଜନସାଧାରଣ ମତ ଦିଅନ୍ତି । ଯଦିଓ ବାରାକ୍ ରୁ ଅଭିଯକ୍ତର ଫେରାର୍ ନିମନ୍ତେ ଦାୟୀ କରାଯାଇ ତିନିଜଣ ସୁରକ୍ଷାକର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି , ସେହିପରି ଦାୟିତ୍ୱରେ ଅବହେଳା ନିମନ୍ତେ କେ'ଗାଁ ଥାନାଧିକାରୀଙ୍କୁ ମଧ୍ୟ ନିଲମ୍ବନ କରାଯାଇଛି ; ଲୋକେ ଦୃଢ ସନ୍ଦେହ କରିଆସୁଥିବା ଗୋବିନ୍ଦସାହୁକୁ ଜାଣିଶୁଣି ଫେରାର୍ କରାଇ ନାଟକୀୟ ଭାବେ ଦିନକ ପରେ ପୁନଃଗିରଫ ମଧ୍ୟରେ ଏହାର ମୁଖ୍ୟ ବୋଲି ଅଭିଯୋଗ କରାଯାଇ ଆସୁଥିବା ମନ୍ତ୍ରୀଙ୍କ ବିରୁଦ୍ଧରେ ତଥ୍ୟପ୍ରମାଣ ନଷ୍ଟ କରିବାକୁ ଅଭିଯୁକ୍ତକୁ ସୁଯୋଗ ଦେବା ନିମନ୍ତେ ବଡବଡିଆ ପୁଲିସ୍ ଅଧିକାରୀଙ୍କ ବିରୁଦ୍ଧରେ ମଧ୍ୟ ତଦନ୍ତରିପୋର୍ଟରେ ବିବରଣୀ ରହିବା କଥା ବୋଲି ଜନମତ ପ୍ରକାଶ ପାଉଛି ।