-+91-9937148622 |
prerana_bgr@rediffmail.com |
Tuesday 13th October 2026 |
R.N.I. Regd No. ODIODI/2010/46693
Breaking News
30-Jan-2022
ବଲାଙ୍ଗିର,(ପ୍ରେରଣା ଖବର)-ବଲାଙ୍ଗୀର ଜିଲ୍ଲାରେ ପଞ୍ଚାୟତ ନିର୍ବାଚନ ଜମି ଆସୁଥିବା ବେଳେ ପୁଇଁତଳା ବ୍ଲକରେ କ୍ଷମତା ଦଖଲ ପାଇଁ ନରସିଂହ ପରିବାରର ଫେମିଲି ଫାଇଟକୁ ନେଇ ଚର୍ଚ୍ଚା ଯୋର ଧରିଛି । ଭାଇ-ଭାଇ ଓ ଜାଆ-ଜାଆ ଲଢେଇ ଜୋରଧରୁଛି । ବଲାଙ୍ଗୀର ଜିଲ୍ଲା ପୁଇଁତଳା ବ୍ଲକରେ ନିଜର ପତିଆରା ଦେଖାଇବାକୁ ପ୍ରାୟ ପଞ୍ଚାୟତ ନିର୍ବାଚନରେ ମିଶ ୍ରପରିବାର ଲଢୁଛନ୍ତି । ପୁଇଁତଳା ବ୍ଲକର ଛତାମଖନା ଓ ପିପିର୍ଡା ପଞ୍ଚାୟତ ହେଉଛି । ବଲାଙ୍ଗୀରର ପ୍ରତିଷ୍ଠିତ ନରସିଂହ ମିଶ୍ରଙ୍କ ପରିବାରର ନିଜସ୍ୱ ପଞ୍ଚାୟତ । ସ୍ୱନାମଧନ୍ୟ ଓକିଲ ଯୁଧିଷ୍ଠିର ମିଶ୍ରଙ୍କ ଦୁଇଟି ଗ୍ରାମ ଯଥା-ଛତାମଖନା ଓ ରାଣୀକଟା ଗ୍ରାମରେ ଚାଷଜମି ରହିଆସିଛି । ଛତାମଖନାରେ ଏହି ପରିବାର ସଦସ୍ୟ ରହୁଥିବା ବେଳେ ରାନୀକଟା ତାଙ୍କର କ୍ଷେତ ଗାଆଁ । ୯୦ଦଶକରେ ପୁଇଁତଳା ବ୍ଲକରେ ନରସିଂହଙ୍କ ଭାଇ ବିଘ୍ନରାଜ ମିଶ୍ର ଅଧ୍ୟକ୍ଷ ହୋଇଥିଲେ । ଏହାପରେ ତାଙ୍କ ପରିବାରର ଝିଅ ପଙ୍କଜିନୀ ପଣ୍ଡା ମଧ୍ୟ ଥରଟିଏ ଅଧ୍ୟକ୍ଷ ରହିଥିଲେ । ୨୦୧୨ ମସିହାରେ ସେହି ପରିବାରର ବିନାୟକ ମିଶ୍ରଙ୍କ ପତ୍ନୀ ଜ୍ୟୋସ୍ନା ମିଶ୍ର ଅଧ୍ୟକ୍ଷା ରହିଥିଲେ । ସେହି ସମୟରେ ତାଙ୍କ ବଡପୁଅ ଓକିଲ ସିଦ୍ଧାର୍ଥ ମିଶ୍ର ସବୁକଥା ବୁଝୁଥିଲେ । ସେହିଦୃଷ୍ଟିରୁ ତାଙ୍କର ଲୋକଙ୍କ ସହିତ ସମ୍ପର୍କ ରହିଥିଲା । ଗତ ୨୦୧୭ରେ ସିଦ୍ଧାର୍ଥ ଛତାମଖନା ପଞ୍ଚାୟତରେ ସମିତିସଭ୍ୟ ପ୍ରାର୍ଥିଭାବେ ଲଢେଇ କରିଥିଲେ । ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଥିଲା ତାଙ୍କ ବିପକ୍ଷରେ ତାଙ୍କ ନିଜର କାକାପୁଅ ଭାଇ ସ୍ମାରକ ମିଶ୍ର ଛିଡାହୋଇଥିଲେ । ସିଦ୍ଧାର୍ଥ ଓ ସ୍ମାରକଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦିତା ହୋଇଥିଲା । ସେଥିରେ ସିଦ୍ଧାର୍ଥ ବିଜୟୀ ହୋଇଥିଲେ । ତାଙ୍କ ପରିବାରର ପ୍ରାୟ ସମସ୍ତେ ସ୍ମାରକ ମିଶ୍ରଙ୍କ ପାଇଁ ପ୍ରଚାର କରିଥିଲେ । କିନ୍ତୁ ସିଦ୍ଧାର୍ଥ ସଫଳ ହୋଇଥିଲେ । ଚଳିତଥର ପୁଣିଥରେ ଉଭୟ ପ୍ରତିଦ୍ୱନ୍ଦିଙ୍କ ମଧ୍ୟରେ ଲଢେଇ ହେଉଛି । ଏଥର ସିଦ୍ଧାର୍ଥ ପିପିର୍ଡା ପଞ୍ଚାୟତର ସମିତିସଭ୍ୟ ପ୍ରାର୍ଥିଭାବରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ପୁଣିଥରେ ପ୍ରତିଦ୍ୱନ୍ଦିରୂପେ ତାଙ୍କ କାକାପୁଅ ଭାଇ ସ୍ମାରକ ମଧ୍ୟ ସେଠାରେ ପ୍ରାର୍ଥ ହୋଇଛନ୍ତି । ଠିକ ସେହିପରି ଛତାମଖନା ପଞ୍ଚାୟତରେ ସିଦ୍ଧାର୍ଥଙ୍କ ମାଆ ପୂର୍ବତନ ବ୍ଲକ ଅଧ୍ୟକ୍ଷା ଜ୍ୟୋସ୍ନା ମିଶ୍ର ଓ ସ୍ମାରକ ମିଶ୍ରଙ୍କ ମାଆ ଗୀତାଞ୍ଜଳି ମିଶ୍ରଙ୍କ ମଧ୍ୟରେ ସମିତିସଭ୍ୟ ପଦବୀ ପାଇଁ ଲଢେଇ ହେଉଛି । ଫଳରେ ପୁଇଁତଳା ବ୍ଲକରେ ଭାଇ-ଭାଇ ଓ ଜାଆ-ଜାଆ ଲଢେଇକୁ ନେଇ ଚର୍ଚ୍ଚା ଯୋରଧରିଛି । କିଏ କାହାକୁ ମାଦ ଦେବ ତାହା ଦେଖିବାର ଅଛି । ଗତ କିଛି ନିର୍ବାଚନରେ ସିଦ୍ଧାର୍ଥ ବ୍ଲକ ରାଜନୀତିରେ ସଫଳ ହୋଇଛନ୍ତି । ଏଥର ସେ ସଫଳ ହେବେ ନା ବିଫଳ ହେବେ ତାହା ସମୟ କହିବ । ସିଦ୍ଧାର୍ଥ ଓ ତାଙ୍କ ମାଆ ଜ୍ୟୋସ୍ନା ତାଙ୍କର ଲୋକସମ୍ପର୍କ ଓ ଲୋକଙ୍କ ପାଇଁ କରିଥିବା କାମକୁ ନେଇ ଜିଣିବାର ଆଶା ରଖିଥିବା ବେଳେ ସେପଟେ ସ୍ମାରକ ଓ ତାଙ୍କ ମାଆ ନରସିଂହ ମିଶ୍ରଙ୍କ ଫେସଭାଲ୍ୟୁକୁ ନେଇ ଲଢୁଛନ୍ତି । ସ୍ମାରକଙ୍କ ମାଆ ଗୀତାଞ୍ଜଳି ତାଙ୍କ ଦେଢଶୁର ତଥା ବରିଷ୍ଠ ରାଜନେତା ନରସିଂହ ତାଙ୍କ ପରିବାରର ଉର୍ଜା ବୋଲି କହିବା ସହିତ ତାଙ୍କର ଆଶୀର୍ବାଦରେ ସେ ଲଢେଇ କରୁଛନ୍ତି ବୋଲି କହିଛନ୍ତି । ଚଳିତଥର ପୁଇଁତଳା ବ୍ଲକ ଅଧ୍ୟକ୍ଷ ପଦ ଅଣସଂରକ୍ଷିତ ଥିବାରୁ ଉଭୟ ଗୋଷ୍ଠୀ ଏହି ଅଧ୍ୟକ୍ଷ ପଦକୁ ହାତେଇବାକୁ ପ୍ରୟାସ ଚଳାଇଛନ୍ତି । ମିଶ୍ର ପରିବାର ବଲାଙ୍ଗୀର ଜିଲ୍ଲାର ଏକ ପ୍ରତିଷ୍ଠିତ ପରିବାର ହୋଇଥିବା ବେଳେ ଏହି ଦୁଇ ପଞ୍ଚାୟତରେ ପରିବାର ସଦସ୍ୟଙ୍କ ମଧ୍ୟରେ ହାଇପ୍ରୋଫାଇଲ ଲଢେଇକୁ ନେଇ ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି ।