-+91-9937148622 |
prerana_bgr@rediffmail.com |
Wednesday 21st October 2026 |
R.N.I. Regd No. ODIODI/2010/46693
Breaking News
14-Oct-2021
ପାଟଣାଗଡ(ପ୍ରେରଣା ଖବର) : ତନ୍ତ୍ର ମନ୍ତ୍ର ଏବଂ ଯନ୍ତ୍ର ର ସର୍ବ ପୁରାତନ ପୀଠସ୍ଥଳୀ ଐତିହାସିକ ସହର ପାଟଣାଗଡ ତଥା ଗଡଜାତ ପାଟଣାଷ୍ଟେଟ ର ଅଧିଷ୍ଠାତ୍ରୀ ଦେବୀ ମା ପାଟଣେଶ୍ୱରୀଙ୍କ ପ୍ରସିଦ୍ଧ ବଏଲ ଯାତ୍ରା କୋଭିଡ କଟକଣା ମଧ୍ୟରେ ସମ୍ପନ୍ନ ହୋଇଛି । ମା ପାଟଣେଶ୍ୱରୀଙ୍କ ସହ ମା ଡଙ୍ଗେଇ ଏବଂ ମା ସମଲେଶ୍ୱରୀ ମଧ୍ୟ ମନ୍ଦିରରୁ ବାହାରି ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ପୁର୍ବ ପ୍ରଥା ଏବଂ ପରମ୍ପରା ଆଧାରରେ ଇଷ୍ଟଦେବୀଙ୍କ ଦ୍ୱାରା ଖପର ଚୁପା ନିତୀ ମଧ୍ୟ ସମ୍ପନ୍ନ ହୋଇଛି । କୋଭିଡ କଟକଣା ପାଳନ ପାଇଁ ତମାମ ବ୍ୟବସ୍ଥା ସତ୍ୱେ ମା ଙ୍କ ଦର୍ଶନ ଏବଂ ଭକ୍ତଙ୍କ ଗହଳି ପୋଲିସ ଓ ପ୍ରଶାସନର ସମସ୍ତ ବ୍ୟବସ୍ଥାକୁ ଫେଲ କରିଦେଇଛି । ବଲାଙ୍ଗିର ଜିଲ୍ଲାର ଐତିହାସିକ ତନ୍ତ୍ର ପୀଠ ପାଟଣାଗଡର ଇଷ୍ଟଦେବୀ ମା ପାଟଣେଶ୍ୱରୀ ଙ୍କ ଉପରେ ଥିବା କୋଟିକୋଟି ଭକ୍ତଙ୍କ ଆସ୍ଥା ଏବଂ ବିଶ୍ୱାସ ମା ପାଟଣେଶ୍ୱରୀ ଙ୍କ ଦର୍ଶନ ପାଇଁ ବର୍ଷ କୁ ଥରେ ଟାଣି ଆଣେ ଗଡଭିତର ପଡିଆକୁ । ଦୁଇ ବର୍ଷ ହେଲା କୋଭିଡ କଟକଣା ପାଇଁ ଭକ୍ତ ମା ଙ୍କ ଦର୍ଶନ ରୁ ବଂଚିତ ରହିଥିବା ବେଳେ ଏବର୍ଷ ମଧ୍ୟ ରାଜ୍ୟ ସରକାର ଙ୍କ ପାର୍ବଣ କଟକଣା ମଧ୍ୟରେ ବଏଲ ଯାତ୍ରା ସମ୍ପନ୍ନ ହୋଇଛି । ସନ୍ଧ୍ୟା ୯ ଟା ପରେ ମା ପାଟଣେଶ୍ୱରୀ ପ୍ରଥମେ ମନ୍ଦିର ରୁ ବାହାରି ବଏଲ ଯାତ୍ରା ର ପ୍ରଥମ ପର୍ଯ୍ୟାୟରେ ଗଡ ର ଦ୍ୱାର କୀଳା, ଖପର ଚୁପା , ନଗର ପରିକ୍ରମା ସହ ତାଙ୍କ ଭଉଣୀ ମା ସମଲେଶ୍ୱରୀ ଏବଂ ମା ଦଶମତୀ ଙ୍କୁ ଦେଖା କରିଥିଲେ । ପରେ ପରେ ମା ଡଙ୍ଗେଇ ଏବଂ ମା ସମଲେଶ୍ୱରୀ ମଧ୍ୟ ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ବଏଲଯାତ୍ରା ରେ ବିଧି ଏବଂ ପ୍ରଥା ଅନୁ୍ଯାୟୀ ସମାନ ନୀତିକାନ୍ତି ପାଳନ କରିଥିଲେ । ପୁର୍ବ ପ୍ରଚଲିତ ପ୍ରଥା ଏବଂ ଲୋକକଥା ଅନୁଯାୟୀ ଖ୍ରୀଷ୍ଟପୁର୍ବ ୫୪ ମସିହା ରେ ରାଜା ମାଧବଚନ୍ଦ୍ର ମା ପାଟଣେଶ୍ୱରୀ ଙ୍କୁ ଜଙ୍ଗଲ ରୁ ଆଣି ରାଜଦରବାରରେ ସ୍ଥାନ ଦେଇଥିଲେ । ସେତେବେଳେ ପାଟଣାଗଡ ର ନାମ ପତନଗଡ ରହିଥିବା ବେଳେ ମା ପାଟଣେଶ୍ୱରୀଙ୍କ ନାମରେ ନଗରର ନାମ ପରିବର୍ତ୍ତନ ହୋଇ ପାଟଣାଗଡ ହୋଇଥିଲା । ପରେ ପରେ ବିଭିନ୍ନ ରାଜାରାଣୀ ଙ୍କ ଦେହାନ୍ତ ପରେ ଅଷ୍ଟମଲ୍ଲ ରାଜ୍ୟ ଶାସନ କଲେ । ସେ ମଧ୍ୟରୁ ପାଣିଗ୍ରାହୀ ମଲ୍ଲ ଙ୍କ ପାଳିତ ପୁତ୍ର ରମାଇଁ ଦେଓ ଜଣେ ମଲ୍ଲ କୁ ଛାଡି ସମସ୍ତ ମଲ୍ଲ କୁ କୌଶଳ କ୍ରମେ ହତ୍ୟା କରିଥିଲେ ଏବଂ ନିଜେ ରାଜ୍ୟ ର ରାଜା ହୋଇଥିଲେ । ସେ ସମୟ ରେ ତନ୍ତ୍ରଶକ୍ତି ରେ ଭରପୁର ଥିବା ପାଟଣାଗଡ ରେ ତାନ୍ତ୍ରିକ ମାନେ ମୃତ ବ୍ୟକ୍ତି ଙ୍କୁ ଜୀବିତ କରି ଦେଉଥିଲେ ଯାହାଫଳରେ ଉକ୍ତ ମଲ୍ଲ ଙ୍କ ମୁଣ୍ଡ, ଗଣ୍ଡି , ହାତଗୋଡ ଏବଂ ଅବୟବ କୁ ଚାରି ଜାଗା ରେ ଅଲଗା ଅଲଗା କରି ପୋତିଦେଲେ । କାଳେ ସେମାନେ ପୁଣି ଜୀବିତ ହୋଇଯିବେ ସେହିଦିନ ଠାରୁ ମା ପାଟଣେଶ୍ୱରୀ ପ୍ରତିବର୍ଷ ଦଶହରା ର ମହାନବମୀ ତିଥି ରେ ମନ୍ଦିର ରୁ ବାହାରି ଉକ୍ତ କବର ରେ ସେହି ରମାଇ ଖଣ୍ଡା ଦ୍ୱାରା ପ୍ରହାର କରିଥାଆନ୍ତି ଯାହା ଖପରଚୁପା ନିତୀ ନାମ ରେ ପ୍ରସିଦ୍ଧ । ତେବେ ପ୍ରଶାସନ ର ୧୪୪ ଧାରା, ପୋଲିସ ଫୋର୍ସ ମୁତୟନ ଏବଂ ବ୍ୟାରିକେଡ କରାଯାଇ ଭକ୍ତ ଙ୍କୁ ମା ଙ୍କ ଦର୍ଶନ ରୁ ବାରଣ କରାଯାଇଥିଲା ଯାହାଫଳରେ ଭକ୍ତ ଙ୍କ ମନ ରେ ଦୁଃଖ ର ଝଲକ ମଧ୍ୟ ଦେଖିବାକୁ ମିଳିଥିଲା । ପରେ ମା ଙ୍କ ନଗରଭ୍ରମଣ ସମୟ ରେ ପ୍ରଶାସନ ର ତମାମ ସୁରକ୍ଷା ବ୍ୟବସ୍ଥା ବିଫଳ ହୋଇ କୋଭିଡ କଟକଣା କୁ ହଜାର ହଜାର ଭକ୍ତ ,ଶ୍ରଦ୍ଧାଳୁ ଏବଂ ଦର୍ଶକ ଉତସୁକତା ବସତଃ ଖାତିର କରିନଥିଲେ । ଯାହାଫଳରେ ପୋଲିସ ଏବଂ ପ୍ରଶାସନ କୁ ନାକେଦମ ହେବାକୁ ପଡିଥିଲା ।