-+91-9937148622 |
prerana_bgr@rediffmail.com |
Wednesday 21st October 2026 |
R.N.I. Regd No. ODIODI/2010/46693
Breaking News
21-Oct-2026
(ପ୍ରିୟଦର୍ଶିନୀ ପାତ୍ର)
ଉମରକୋଟ ବ୍ଲକ ଭଣ୍ଡାରୀଗୁଡା ପଞ୍ଚାୟତ ଅନ୍ତର୍ଗତ ଐତିହାସିକ ପୋଡ଼ାଗଡ ପୀଠରେ ଏବର୍ଷ ପାରମ୍ପରିକ ଦଶହରା ମହା ଆଡମ୍ବରରେ ପାଳିତ ହୋଇଯାଇଛି।
ଏହି ଅବସରରେ ତିନି ମୁଠା ଯଥା ହୀରାପୁର, ପରିଆ ଓ ବୋରିଗାଁର ଶତାଧିକ ଦେବାଦେବୀଙ୍କ ପ୍ରତୀକ ଲାଠି, କୁର୍ଚି, ଆଙ୍ଗା ଓ ବିମାନ ଯୋଗ ଦେଇଥିଲେ। ଉମରକୋଟର କୈଳାସ ବେହେରାଙ୍କ ଘରେ ରହୁଥିବା ବାବା ଭୈରବ, ମା ଦନ୍ତେଶ୍ୱରୀ ବିମାନ ଓ ଖମ୍ବେଶ୍ୱରୀ, ଗାଦିମା ଓ ବାରଭୂଜାଙ୍କ କୁର୍ଚି ମଧ୍ୟ ଯୋଗ ଦେଇଥିଲା। ଏହି ବିମାନକୁ ବଡ଼ କୁମାରୀ ଗ୍ରାମର ପୂଜାରୀ ଘର ପିଲାମାନେ ବୋହି ଆଣିଥିଲେ।
ପୋଡ଼ାଗଡର ଏହି ଦଶହରାର ବିଶେଷତ୍ୱ ହେଉଛି ଏଠାରେ ଅମାବାସ୍ୟା ପୂର୍ବରୁ କୃଷ୍ଣ ପକ୍ଷରେ ପ୍ରାକ୍ ଦଶହରା ପାଳିତ ହୁଏ। ଏହା ୨୦୦ ବର୍ଷ ପୁରୁଣା ପରମ୍ପରା। ୧୯୪୨ ପାପଡାହାଣ୍ଡି ଗୁଳିକାଣ୍ଡ ପରେ ବନ୍ଦ ଥିବା ଜୟପୁର-ଜଗଦଲପୁର ଯାତ୍ରା ୧୯୯୦ରେ କୈଳାସ ବେହେରା ଓ ଡଃ ପରେସ ରଥଙ୍କ ପ୍ରୟାସରେ ପୁନଃ ଆରମ୍ଭ ହୋଇଥିଲା। ବର୍ତ୍ତମାନ କରୋନା ପରଠାରୁ ଜୟପୁର ଯାତ୍ରା ବନ୍ଦ ରହିଛି।
ନବରାତ୍ରୀ ପୂଜା, ହୋମଯଜ୍ଞ ଓ ଚଉଷଠି ଯୋଗିନୀ ପୂଜାକୁ ଶ୍ରୀ କୈଳାସ ଚନ୍ଦ୍ର ବେହେରା ପରିଚାଳନା କରିଥିଲେ। ଏଥିରେ ପୋଡ଼ାଗଡ ଚାରିଟେବୁଲ ଟ୍ରଷ୍ଟର ସଭାପତି ଉଦ୍ଧବ ଚରଣ ନାୟକ, ସମ୍ପାଦକ ପୁରୁଷୋତ୍ତମ ଭତ୍ରା, କୋଷାଧ୍ୟକ୍ଷ ଜଳଧର ମାଝୀ ଓ ତିନି ମୁଠାର ସମସ୍ତ ପୂଜକ ଉପସ୍ଥିତ ଥିଲେ। ନଅ କନ୍ୟା ପୂଜନରେ ଶତାଧିକ ମହିଳା ଯୋଗ ଦେଇଥିବା ବେଳେ ରାତ୍ରିରେ ଦେଶିଆ ନାଟକ ପରିବେଷିତ ହୋଇଥିଲା।