-+91-9937148622 |
prerana_bgr@rediffmail.com |
Tuesday 20th October 2026 |
R.N.I. Regd No. ODIODI/2010/46693
Breaking News
20-Oct-2026
ବଲାଙ୍ଗିର/କଣ୍ଟାବାଞ୍ଜି(ପ୍ରେରଣା ଖବର): ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ତଥା ବନାଞ୍ଚଳ ଅନ୍ତର୍ଗତ ଡୁମେରଚୁଆଁ ଗ୍ରାମର ପର୍ଶୁରାମ ମାଝୀଙ୍କ ପୁଅ ସୁରେନ୍ଦ୍ର ମାଝୀଙ୍କ ଗତ ୧୮ ଅକ୍ଟୋବର ୨୦୨୬ରେ ବନ୍ୟ ଭାଲୁ ଆକ୍ରମଣରେ ଦୁଃଖଦ ମୃତ୍ୟୁ ଘଟିଥିବା ଖବର ମିଳିଛି। ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରି ପୂର୍ବତନ ରାଜ୍ୟସଭା ସାଂସଦ ଡ. ନିରଞ୍ଜନ ବିଶି ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ଆର୍ଥିକ ସହାୟତା ତୁରନ୍ତ ପ୍ରଦାନ କରିବାକୁ ଦାବି କରିଛନ୍ତି।
ଏନେଇ ଡ. ବିଶି ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ମନ୍ତ୍ରୀ ଶ୍ରୀ ଗଣେଶରାମ ସିଂଖୁଣ୍ଟିଆଙ୍କୁ ପତ୍ର ଲେଖି ତୁରନ୍ତ ହସ୍ତକ୍ଷେପ ପାଇଁ ଅନୁରୋଧ କରିଛନ୍ତି।
ସୁରେନ୍ଦ୍ର ମାଝୀ ଜଣେ ଦିନମଜୁରିଆ ଥିବାରୁ ତାଙ୍କ ଅକାଳ ମୃତ୍ୟୁ ପରେ ପରିବାର ଗଭୀର ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥିବା ଡ. ବିଶି ଉଲ୍ଲେଖ କରିଛନ୍ତି। ଓଡ଼ିଶା ସରକାର ବନ୍ୟପ୍ରାଣୀ ଆକ୍ରମଣଜନିତ ମୃତ୍ୟୁ ପାଇଁ ଅନୁକମ୍ପାମୂଳକ ସହାୟତା ରାଶି ୬ ଲକ୍ଷରୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିଥିବାରୁ ପ୍ରଚଳିତ ନିୟମ ଅନୁଯାୟୀ ମୃତକଙ୍କ ଆଇନଗତ ଉତ୍ତରାଧିକାରୀଙ୍କୁ ଅଧିକ ୧0 ଲକ୍ଷ ଅର୍ଥାତ ମୋଟ ୨0 ଲକ୍ଷ ସହାୟତା ପ୍ରଦାନ କରିବାକୁ ସେ ଦାବି କରିଛନ୍ତି।
ସମ୍ପୃକ୍ତ ବନଖଣ୍ଡ ଅଧିକାରୀ ଓ କଣ୍ଟାବାଞ୍ଜି ବନାଞ୍ଚଳ ଅଧିକାରୀଙ୍କୁ ତୁରନ୍ତ ତଦନ୍ତ ଓ ଆବଶ୍ୟକ ଯାଞ୍ଚ ସମ୍ପୂର୍ଣ୍ଣ କରି ‘ଅନୁକମ୍ପା’ ପୋର୍ଟାଲ ମାଧ୍ୟମରେ ସହାୟତା ମଞ୍ଜୁର ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ସେ ଅନୁରୋଧ କରିଛନ୍ତି।
ଏଥିସହ ମୃତକଙ୍କ ନିର୍ଭରଶୀଳ ପରିବାର ସଦସ୍ୟଙ୍କ ଜୀବିକା, ସାମାଜିକ ସୁରକ୍ଷା ଓ ପିଲାମାନଙ୍କ ଶିକ୍ଷା ପାଇଁ ସହାୟତା ପ୍ରଦାନ ସହ ଅଞ୍ଚଳରେ ବନ୍ୟପ୍ରାଣୀ ଆକ୍ରମଣ ରୋକିବାକୁ ନିୟମିତ ପାଟ୍ରୋଲିଂ, ଆଗୁଆ ସତର୍କ ସୂଚନା ଓ ତ୍ୱରିତ ଉଦ୍ଧାର ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି।
ମାନବ ଜୀବନର ସୁରକ୍ଷା ଏବଂ ବିପନ୍ନ ପରିବାରକୁ ସମୟୋଚିତ ନ୍ୟାୟ ଓ ସହାୟତା ପ୍ରଦାନ କରିବା ରାଜ୍ୟ ସରକାରଙ୍କ ଗୁରୁଦାୟିତ୍ୱ ବୋଲି ଡ. ବିଶି ଉଲ୍ଲେଖ କରିଛନ୍ତି।