-+91-9937148622 |
prerana_bgr@rediffmail.com |
Thursday 15th October 2026 |
R.N.I. Regd No. ODIODI/2010/46693
Breaking News
23-Feb-2021
ଢ଼େଙ୍କାନାଳ(ପ୍ରେରଣା ଖବର) ଭାଙ୍ଗିବ ବର୍ଷ ବର୍ଷର ପରମ୍ପରା । ବିନା ଭକ୍ତ ଓ ସାଧୁସନ୍ଥରେ ପାଳନ ହେବ ବିଶ୍ଵପ୍ରସିଦ୍ଧ ମାଘ ମେଳା। ଆସନ୍ତା ଗୁରୁବାର ଠାରୁ ତିନିଦିନ ଧରି ଆରମ୍ଭ ହେବାକୁ ଯାଉଛି ପ୍ରସିଦ୍ଧ ଯୋରନ୍ଦା ମାଘମେଳା। ଆଉ ଏହାରି ଭିତରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଓ ମହିମା ସନ୍ନ୍ୟାସୀଙ୍କୁ ନେଇ ଶେଷ ବୈଠକରେ ପ୍ରସ୍ତୁତ ହୋଇଛି ଚୁଡାନ୍ତ ରୂପରେଖ। କେବଳ ବିଧିରକ୍ଷା ପାଇଁ ହେବ ମେଳା। ଆସିବେନି ଭକ୍ତ,କି ବାହାରୁ ସାଧୁସନ୍ଥ।ଆଉ ମାତ୍ର ଦିନ ଦୁଇଟା ପରେ ବିଶ୍ଵ ପ୍ରସିଦ୍ଧ ଯୋରନ୍ଦା ମାଘମେଳା। ବହୁ ଆଲୋଚନା ପର୍ଯ୍ୟାଲୋଚନା ପରେ ବିନା ଭକ୍ତରେ ଚଳିତ ବର୍ଷ ମାଘମେଳା ଅନୁଷ୍ଠିତ ହେବା ପାଇଁ ପ୍ରଶାସନ ପକ୍ଷରୁ ମିଳିଛି ଅନୁମତି। ତା ‘ ସହିତ ଦେଶ ବିଦେଶରୁ ଆସୁଥିବା ସାଧୁସନ୍ଥ ମାନଙ୍କ ଉପରେ ମଧ୍ୟ ରୋକ ଲଗାଯାଇଛି। କେବଳ ମହିମାଗାଦୀ ତଥା ଜିଲ୍ଲା ଭିତରର କିଛି ସାଧୁସନ୍ଥ ମାନଙ୍କୁ ନେଇ ମେଳା ପାଳିବାକୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ମିଳିଛି ଅନୁମତି।ମେଳା ସମୟରେ ଥରକେ ୫୦ ଜଣ ସାଧୁ ସନ୍ନ୍ୟାସୀ ଗାଦି ମନ୍ଦିର ଭିତରକୁ ୧୦ମିନିଟ ପାଇଁ ପ୍ରବେଶ କରିପାରିବେ। ସାମାଜିକ ଦୂରତା ଏବଂ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ଜିଲ୍ଲା ପ୍ରଶାସନ ପକ୍ଷରୁ କରୋନା ସଂକ୍ରମଣ କିଭଳି ନହେବ ସେଥିପାଇଁ ଏଭଳି ପଦକ୍ଷେପ ନିଆଯାଇଛି। ଶହଶହ ବର୍ଷ ଧରି ଯୋରନ୍ଦା ମହିମାପୀଠରେ ଜଗତ କଲ୍ୟାଣ ଉଦ୍ଦେଶ୍ୟରେ ଏହି ମାଘମେଳା ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ମେଳା କିନ୍ତୁ କରୋନା କଟକଣା ପାଇଁ ସମ୍ପୂର୍ଣ୍ଣ ଫିକା ପଡିବ।ଯାହାକୁ ନେଇ ଏବେ ଚିନ୍ତାରେ ମହିମା ସନ୍ନ୍ୟାସୀ ତଥା ଭକ୍ତ।ତିନିଦିନ ଧରି ପାଳିତ ହେବାକୁ ଥିବା ଏହି ମେଳାର ପ୍ରଥମ ଓ ଦ୍ୱିତୀୟ ଦିନ ଅର୍ଥାତ ମାଘ ଚତୁର୍ଦ୍ଦଶୀ ଓ ଗୁରୁ ପୁର୍ଣ୍ଣିମା ଅବସରରେ ଝାଡ ଦ୍ୱୀପ ଜଳିବ। ଗାଦି ମନ୍ଦିର ପରିସରରେ ମହଣ ମହଣ ଘିଅରେ ଏହି ଝାଡ ଦ୍ୱୀପ ଭକତର ମଙ୍ଗଳ କାମନା ଉଦ୍ଦେଶ୍ୟରେ ପ୍ରତ୍ୟେକ ବର୍ଷ ପ୍ରଜ୍ଜ୍ୱଳିତ କରାଯାଏ । କିନ୍ତୁ ଚଳିତ ବର୍ଷ କରୋନା କଟକଣା ପାଇଁ ଭକ୍ତ ଏବଂ ବାହାର ସାଧୁସନ୍ଥଙ୍କୁ ମେଳା ବାରଣ କରାଯାଇଛି, ସେଥିପାଇଁ ଅତି କମରେ ପଚାଷ ଟିଣ ଘିଅର ଆବଶ୍ୟକତା ଥିବାରୁ ତାହା କେଉଁଠୁ ଆସିବ, ଝାଡ ଦ୍ବୀପ କିଭଳି ଜଳିବ, ସେନେଇ ଚିନ୍ତାବ୍ୟକ୍ତ କରିଛନ୍ତି ମହିମା ସନ୍ନ୍ୟାସୀ।ଏପଟେ ଜିଲ୍ଲାପାଳ ସମସ୍ତ ସାଧୁ ସନ୍ନ୍ୟାସୀ ମାନଙ୍କ ସହିତ ଭକ୍ତଙ୍କୁ କରୋନା କଟକଣା ନିୟମକୁ ପାଳନ କରିବା ସହିତ ସମସ୍ତଙ୍କ ସହଯୋଗ କାମନା ମଧ୍ୟ କରିଛନ୍ତି। ଏପଟେ ବର୍ଷ ବର୍ଷର ପରମ୍ପରା ଭାଙ୍ଗିବା ସହିତ ବିନା ଭକ୍ତ ସାଧୁସନ୍ଥରେ କେବଳ ବିଧି ରକ୍ଷା ପାଇଁ ମାଘମେଳା ହେବାକୁ ଥିବାରୁ ମନ ଦୁଃଖରେ ଭାଙ୍ଗି ପଡିଛନ୍ତି ଅନେକ ମହିମା ସନ୍ନ୍ୟାସୀ ଓ ମହିମାଧର୍ମର ଭକ୍ତ। ତେବେ ପ୍ରଶାସନକୁ ସହଯୋଗ ପୂର୍ବକ ମେଳା ପାଳନ ହେବ ବୋଲି ସରପଞ୍ଚ ବି ପ୍ରତିଶୃତି ଦେଇଛନ୍ତି ।