-+91-9937148622 |
prerana_bgr@rediffmail.com |
Saturday 31st October 2026 |
R.N.I. Regd No. ODIODI/2010/46693
Breaking News
31-Oct-2026
ସୁବର୍ଣ୍ଣପୁର,(ମନୋରଞ୍ଜନ ତ୍ରିପାଠୀ ) ସୁବର୍ଣ୍ଣପୁର ଜିଲ୍ଲାରେ ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ ୨୦୨୭ (ବିକଶିତ ଭାରତ ୟଙ୍ଗ ଲିଡର୍ସ ଡାଏଲଗ୍) ଆୟୋଜନ ନିମନ୍ତେ ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ପ୍ରେସ ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ ଶ୍ରୀ ଦେବାଶିଷ ସିଂହ ମହୋତ୍ସବର ଆୟୋଜନ, ପ୍ରତିଯୋଗିତା ଓ ଅଂଶଗ୍ରହଣ ସମ୍ପର୍କରେ ଗଣମାଧ୍ୟମକୁ ବିସ୍ତୃତ ସୂଚନା ଦେଇଥିଲେ। ମହୋତ୍ସବର ଆୟୋଜନ ଦାୟିତ୍ୱରେ ଥିବା ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ଚିତ୍ରରଞ୍ଜନ ମିଶ୍ର ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରୀତି ସୁନା ମଧ୍ୟ ଉପସ୍ଥିତ ଥିଲେ।
ଏହି ମହୋତ୍ସବର ସମସ୍ତ ପ୍ରତିଯୋଗିତାର ବିଷୟବସ୍ତୁ ରହିଛି “ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବ” (Nasha Mukt Yuva for Viksit Bharat)। ନୁକ୍କଡ଼ ନାଟକ, ଚିତ୍ରାଙ୍କନ, କବିତା ଲିଖନ, ଲୋକନୃତ୍ୟ, ଲୋକଗୀତ, ରଚନା ପ୍ରତିଯୋଗିତା ଓ ପିପିଟି ଉପସ୍ଥାପନା ଯୋଗେ ରଚନା ଭଳି ସମସ୍ତ ପ୍ରତିଯୋଗିତା ଏହି ବିଷୟବସ୍ତୁକୁ ଆଧାର କରି ଅନୁଷ୍ଠିତ ହେବ।
ମହୋତ୍ସବ ଅନ୍ତର୍ଗତ ବିଭିନ୍ନ ପ୍ରତିଯୋଗିତା ନଭେମ୍ବର ୫ ଓ ୬ ତାରିଖରେ ଅନୁଷ୍ଠିତ ହେବ। ନଭେମ୍ବର ୫ ତାରିଖରେ ସଂସ୍କୃତି ଭବନଠାରେ ୧୦ ମିନିଟ୍ର ନୁକ୍କଡ଼ ନାଟକ ପ୍ରତିଯୋଗିତା, ଜିଲ୍ଲା ପାଠାଗାରଠାରେ ୬ ଘଣ୍ଟିଆ ଚିତ୍ରାଙ୍କନ ପ୍ରତିଯୋଗିତା ଏବଂ ସୋନପୁର ମହାବିଦ୍ୟାଳୟଠାରେ ୧ ଘଣ୍ଟା ୩୦ ମିନିଟ୍ ସମୟର ଓଡ଼ିଆ, ଇଂରାଜୀ ଓ ହିନ୍ଦୀ ଭାଷାରେ କବିତା ଲିଖନ ପ୍ରତିଯୋଗିତା ହେବ। ସେହିପରି ନଭେମ୍ବର ୬ ତାରିଖରେ ସଂସ୍କୃତି ଭବନଠାରେ ୮ ମିନିଟ୍ ଲେଖାଏଁ ଲୋକନୃତ୍ୟ ଓ ଲୋକଗୀତ ପ୍ରତିଯୋଗିତା ଆୟୋଜିତ ହେବ। ଏହାବ୍ୟତୀତ ରଚନା ପ୍ରତିଯୋଗିତା ପିପିଟି ଉପସ୍ଥାପନା ଯୋଗେ ଏକ ଅତିରିକ୍ତ ଦିନ ରଖାଯାଇଛି । ସମ୍ଭାବ୍ୟ ଭାବେ ନଭେମ୍ବର ୧୩ ତାରିଖରେ ଏହା ଅନୁଷ୍ଠିତ ହେବ, ଯାହାର ଚୂଡ଼ାନ୍ତ ତାରିଖ ପରବର୍ତ୍ତୀ ସମୟରେ ଜଣାଇ ଦିଆଯିବ।
ମାଇ ଭାରତ (MY Bharat) ପୋର୍ଟାଲରେ ପଞ୍ଜୀକୃତ ୧୫ରୁ ୨୯ ବର୍ଷ ବୟସର ଯୁବକଯୁବତୀମାନେ ଏହି ପ୍ରତିଯୋଗିତାରେ ଭାଗ ନେଇପାରିବେ। ୧୭ ଅଗଷ୍ଟ ୨୦୨୬ ସୁଦ୍ଧା ପ୍ରତିଯୋଗୀଙ୍କ ବୟସ ନିର୍ଦ୍ଧାରିତ ସୀମା ମଧ୍ୟରେ ଥିବା ଆବଶ୍ୟକ। ପ୍ରତିଯୋଗୀ ସୁବର୍ଣ୍ଣପୁର ଜିଲ୍ଲାର ବାସିନ୍ଦା ହୋଇଥିବା ଆବଶ୍ୟକ। ତେବେ ଜିଲ୍ଲାରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନେ ମଧ୍ୟ ଏଥିରେ ଭାଗ ନେଇପାରିବେ। ପ୍ରତିଯୋଗିତା ସମୟରେ ଆଧାର କାର୍ଡ ସାଙ୍ଗରେ ଆଣିବା ବାଧ୍ୟତାମୂଳକ। ଜଣେ ପ୍ରତିଯୋଗୀ କେବଳ ଗୋଟିଏ ପ୍ରତିଯୋଗିତାରେ ଭାଗ ନେଇପାରିବେ ତା ଠୁ ଅଧିକ ନୁହେଁ ।
ନୁକ୍କଡ଼ ନାଟକ, ଲୋକନୃତ୍ୟ ଓ ଲୋକଗୀତ ଭଳି ଦଳଗତ ପ୍ରତିଯୋଗିତାରେ ପ୍ରତ୍ୟେକ ଦଳରେ ସର୍ବାଧିକ ୭ ଜଣ କଳାକାର ଓ ୩ ଜଣ ସହାୟକ ସଦସ୍ୟଙ୍କୁ ମିଶାଇ ମୋଟ ୧୦ ଜଣ ରହିପାରିବେ। ସହାୟକ ସଦସ୍ୟଙ୍କ ବୟସ ୧୮ରୁ ୪୦ ବର୍ଷ ମଧ୍ୟରେ ହେବା ଆବଶ୍ୟକ।
ପ୍ରତିଯୋଗିତାଗୁଡ଼ିକରେ ଜିଲ୍ଲାସ୍ତରରେ ଆର୍ଥିକ ପୁରସ୍କାର ବ୍ୟବସ୍ଥା ରହିଛି। ନୁକ୍କଡ଼ ନାଟକ, ଲୋକନୃତ୍ୟ ଓ ଲୋକଗୀତ ଭଳି ଦଳଗତ ପ୍ରତିଯୋଗିତାରେ ପ୍ରଥମ ପୁରସ୍କାର ୧୦,୦୦୦ ଟଙ୍କା, ଦ୍ୱିତୀୟ ପୁରସ୍କାର ୭,୫୦୦ ଟଙ୍କା ଓ ତୃତୀୟ ପୁରସ୍କାର ୫,୦୦୦ ଟଙ୍କା ରହିଛି। ସେହିପରି ଚିତ୍ରାଙ୍କନ ଓ କବିତା ଲିଖନ ଭଳି ବ୍ୟକ୍ତିଗତ ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପୁରସ୍କାର ଯଥାକ୍ରମେ ୩,୦୦୦, ୨,୦୦୦ ଓ ୧,୦୦୦ ଟଙ୍କା ରହିଛି। ଲୋକନୃତ୍ୟ, ଲୋକଗୀତ, ଚିତ୍ରାଙ୍କନ ଓ କବିତା ଲିଖନ ପ୍ରତିଯୋଗିତାର ପ୍ରଥମ ଓ ଦ୍ୱିତୀୟ ପୁରସ୍କାର ବିଜେତା ରାଜ୍ୟସ୍ତରୀୟ ପ୍ରତିଯୋଗିତାକୁ ଉନ୍ନୀତ ହେବେ। ଅନ୍ୟପକ୍ଷରେ, ନୁକ୍କଡ଼ ନାଟକରେ କେବଳ ପ୍ରଥମ ସ୍ଥାନ ଅଧିକାର କରିଥିବା ଦଳ ରାଜ୍ୟସ୍ତରରେ ଭାଗ ନେବାର ସୁଯୋଗ ପାଇବେ।
ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ, ବିଶେଷକରି ଦୁର୍ଗମ ଅଞ୍ଚଳରୁ ଅଧିକ ସଂଖ୍ୟକ ଯୁବକଯୁବତୀ ଯେପରି ଏହି ମହୋତ୍ସବରେ ଭାଗ ନେଇପାରିବେ, ସେଥିପାଇଁ ଜନସାଧାରଣଙ୍କୁ ସଚେତନ କରିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି। କେବଳ ଛାତ୍ରଛାତ୍ରୀ ନୁହେଁ, ପାଠପଢ଼ା ନକରୁଥିବା ଯୁବକଯୁବତୀମାନେ ମଧ୍ୟ ଯୋଗ୍ୟତା ଅନୁସାରେ ଏହି ପ୍ରତିଯୋଗିତାରେ ଭାଗ ନେଇପାରିବେ। ଏଥିପାଇଁ ଗାଁ ଗାଁରେ ଏହି ସୂଚନା ପହଞ୍ଚାଇବା ସହ ଯୁବପିଢ଼ିଙ୍କୁ ଉତ୍ସାହିତ କରିବାକୁ ସେ ଗୁରୁତ୍ୱ ଦେଇଛନ୍ତି।
ଏଥିସହ ସମସ୍ତ ବିଡିଓ, କାର୍ଯ୍ୟନିର୍ବାହୀ ଅଧିକାରୀ, ବିଏସଏସଓ ଓ ବିକେଏସଏସ ସୁବର୍ଣ୍ଣପୁରଙ୍କୁ ନିଜ ନିଜ ବ୍ଲକରୁ ଭାଗ ନେବାକୁ ଥିବା ପ୍ରତିଯୋଗୀଙ୍କ ସଂଖ୍ୟା ହ୍ୱାଟ୍ସଆପ୍ ଗ୍ରୁପରେ ପୋଷ୍ଟ କରିବା ସହ ଜିଲ୍ଲା କ୍ରୀଡ଼ା ଅଧିକାରୀଙ୍କୁ ଦୁଇ ଦିନ ଆଗରୁ ଜଣାଇବାକୁ କୁହାଯାଇଛି। ଏହାଦ୍ୱାରା ମହୋତ୍ସବର ସୁପରିଚାଳନା ପାଇଁ ଆବଶ୍ୟକ ପ୍ରସ୍ତୁତି ଓ ବ୍ୟବସ୍ଥା କରାଯାଇପାରିବ।