-+91-9937148622 |
prerana_bgr@rediffmail.com |
Friday 30th October 2026 |
R.N.I. Regd No. ODIODI/2010/46693
Breaking News
30-Oct-2026
କଣ୍ଟାବାଞ୍ଜି(ମୋହନ ସୁନା): କଣ୍ଟାବାଞ୍ଜି ଏସଡିପିଓ ଲକ୍ଷ୍ମୀ ନାରାୟଣ ମାରାଣ୍ଡିଙ୍କ କାର୍ଯ୍ୟଶୈଳୀକୁ ନେଇ ଏବେ ସହରରେ ତୀବ୍ର ସମାଲୋଚନା ସୃଷ୍ଟି ହୋଇଛି। ଦିନ ତମାମ ସହରରେ ବଡ ବଡ ବ୍ୟବସାୟୀ ରାସ୍ତା ଉପରେ ଗାଡି ରଖି ଟ୍ରାଫିକ ଜାମ କରୁଥିଲେ ବି ପୋଲିସ କାର୍ଯ୍ୟାନୁଷ୍ଠାନ ଶୂନ୍ୟ, କିନ୍ତୁ ରାତିରେ ଖାଲି ସ୍ଥାନରେ ଗାଡି ରଖିଥିବା ସାଧାରଣ ଯୁବକଙ୍କୁ ଫୋର୍ସ ଡାକି ଦୁର୍ବ୍ୟବହାର କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସମ୍ବିଧାନ ଛକ ନିକଟରେ ଏସଡିପିଓଙ୍କ କାର୍ଯ୍ୟାଳୟ ସାମ୍ନା ରାସ୍ତା ରାତିରେ ଫାଙ୍କା ଥିବା ବେଳେ ପାର୍କିଂ ବ୍ୟବସ୍ଥା ନଥିବାରୁ କିଛି ଯୁବକ ଗାଡି ରଖିଥିଲେ। ଏସଡିପିଓ ପୋଲିସ ଫୋର୍ସ ନେଇ ପହଞ୍ଚି ଗାଡି ହଟାଇବାକୁ ତାଗିଦ କଲେ। ଜଣେ ଯୁବକ ଯେତେବେଳେ ପ୍ରଶ୍ନ କଲେ - "ଦିନରେ ବଡ ବ୍ୟବସାୟୀଙ୍କ ଗାଡି କେବେ ହଟିବ?" ସେତେବେଳେ ତାଙ୍କୁ ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗ ହେଉଛି। ପ୍ରତି ପୋଲିସ ସମିତି ବୈଠକରେ ପାର୍କିଂ ସମସ୍ୟା ଉଠୁଛି, କିନ୍ତୁ ପରେ ସବୁ ପାଣିର ଗାର। ଲୋକଙ୍କ ପ୍ରଶ୍ନ - ଯଦି କାର୍ଯ୍ୟାନୁଷ୍ଠାନ କରିବାର ଅଛି, ତେବେ ସମସ୍ତଙ୍କ ପାଇଁ ସମାନ କାହିଁକି ନୁହେଁ?। ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ଯେ, ବଡ ବ୍ୟବସାୟୀଙ୍କ ଠାରୁ ହାତଗୁଞ୍ଜା ନିଆଯାଉଥିବାରୁ ସେମାନଙ୍କ ବେଆଇନ ପାର୍କିଂ ଓ ଜୁଆ ଆଡ୍ଡା ଉପରେ କାର୍ଯ୍ୟାନୁଷ୍ଠାନ ହେଉନାହିଁ। କେବଳ ଛୋଟ ଲୋକଙ୍କୁ ଧମକ ଦେଇ ବାହାଦୁରୀ ଦେଖାଯାଉଛି।
ଏହି ଦୁଇମୁହାଁ ନୀତିକୁ ନେଇ ଏସଡିପିଓଙ୍କ ଭୂମିକା ଉପରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସମ୍ବଲପୁର ଡିଆଇଜି ଓ ବଲାଙ୍ଗୀର ଏସପି ଏଥିପ୍ରତି ଦୃଷ୍ଟି ଦେଇ ନିରପେକ୍ଷ ତଦନ୍ତ କରିବାକୁ ଦାବି ହେଉଛି।