-+91-9937148622 |
prerana_bgr@rediffmail.com |
Tuesday 11th August 2026 |
R.N.I. Regd No. ODIODI/2010/46693
Breaking News
11-Aug-2026
(ରାମନାଥ ପଣ୍ଡା )
ଖଡ଼ିଆଳ ଚଲାନପଡା ସ୍ଥିତ ପଲ୍ଲୀ ବିକାଶ କାର୍ଯ୍ୟାଳୟ ପରିସରରେ ପଲ୍ଲୀ ବିକାଶ ଅନୁଷ୍ଠାନର ୨୬ତମ ପ୍ରତିଷ୍ଠା ଦିବସ ଉତ୍ସାହ ଓ ଆନନ୍ଦର ସହିତ ପାଳିତ ହୋଇଯାଇଛି । ଏହି ଅବସରରେ ବୋଡ଼େନ ଓ ଖଡ଼ିଆଳ ବ୍ଲକର ବହୁ ପ୍ରଗତିଶୀଳ ଚାଷୀ,ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ନେତୃମଣ୍ଡଳୀ ଏବଂ ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗଦେଇଥିଲେ । ଶ୍ରୀଯୁକ୍ତ ଭକାଳୁ ତାଣ୍ଡିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ପଲ୍ଲୀ ବିକାଶର ବାର୍ଷିକ କାର୍ଯ୍ୟକ୍ରମ,ଗତ ବର୍ଷର ସଫଳତା ଏବଂ ଆଗାମୀ କାର୍ଯ୍ୟ ଖସଡ଼ା ଉପରେ ଆଲୋଚନା କରାଯାଇଥିଲା । ଅଧ୍ୟକ୍ଷ ତାଙ୍କ ଅଭିଭାଷଣରେ କହିଥିଲେ ଯେ ବାର୍ଷିକ ବିବରଣୀ ଉପସ୍ଥାପନା ସହିତ ଆଗାମୀ କାର୍ଯ୍ୟଯୋଜନା ପ୍ରସ୍ତୁତ କରିବା ଏବଂ ଲୋକଙ୍କ ମତାମତ ଓ ପରାମର୍ଶକୁ ଗୁରୁତ୍ୱ ଦେଇ କାର୍ଯ୍ୟ କରିବା ହେଉଛି ଏହି ସଭାର ମୁଖ୍ୟ ଉଦ୍ଦେଶ୍ୟ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଖଡ଼ିଆଳ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ପୁଷ୍ପାଞ୍ଜଳୀ ନନ୍ଦ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଖଡ଼ିଆଳ ବିଧାୟକଙ୍କ ପ୍ରତିନିଧି ଶ୍ରୀଯୁକ୍ତ ଅକ୍ଷୟ ନନ୍ଦ, ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ମୋତିଲାଲ ବାଗ, ବୋଡ଼େନ ବ୍ଲକ କୃଷି ଅଧିକାରୀ ଶ୍ରୀଯୁକ୍ତ ଦୁଃଖୀରାମ ଟୁଡୁ, ଖଡ଼ିଆଳ ପାଟଣା କ୍ଷତ୍ରିୟ ସମାଜର କୁଳପତି ଶ୍ରୀଯୁକ୍ତ ଶମ୍ଭୁ କିଶୋର ଦଣ୍ଡସେନା,ଜିଲ୍ଲା ଶ୍ରୀ ଅନ୍ନ ଅଭିଯାନ ସଂଯୋଜକ ଶ୍ରୀଯୁକ୍ତ ନରସିଂ ଜଗତ, ବୋଡ଼େନ ଆତ୍ମା ଅଧ୍ୟକ୍ଷ ଶ୍ରୀଯୁକ୍ତ ଶୁଭେନ୍ଦୁ ସେଠୀ ଏବଂ ଶିକ୍ଷାବିତ ଶ୍ରୀଯୁକ୍ତ ନନ୍ଦଲାଲ ବାରିକ ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ମୁଖ୍ୟବକ୍ତା ଶ୍ରୀଯୁକ୍ତ ସୁଧାଂଶୁ ଶେଖର ବାରିକ ଗ୍ରାମୀଣ ବିକାଶ, ଚାଷୀଙ୍କ ଆୟ ବୃଦ୍ଧି, ମହିଳା ସଶକ୍ତିକରଣ ଏବଂ ସ୍ୱୟଂ ନିର୍ଭରଶୀଳତା ଉପରେ ଗୁରୁତ୍ୱାରୋପ କରିଥିଲେ । ପଲ୍ଲୀ ବିକାଶର ସମ୍ପାଦକ ଡ଼କ୍ଟର ସୁରେଶ କୁମାର ରାଉତ ପଲ୍ଲୀ ବିକାଶର ବାର୍ଷିକ ବିବରଣୀ ଉପସ୍ଥାପନ କରିବା ସହ ଗତ ବର୍ଷର ବିଭିନ୍ନ କାର୍ଯ୍ୟକ୍ରମ, ସଫଳତା, ଲୋକଙ୍କ ଜୀବିକା ବିକାଶରେ ସଂଗଠନର ଭୂମିକା ଏବଂ ଆଗାମୀ ଦିନର କାର୍ଯ୍ୟଯୋଜନା ବିସ୍ତୃତ ଭାବରେ ଉପସ୍ଥାପନ କରିଥିଲେ । କାର୍ଯ୍ୟକ୍ରମରେ ପଲ୍ଲୀ ବିକାଶର ବିଭିନ୍ନ କାର୍ଯ୍ୟକ୍ରମରୁ ସଫଳତା ହାସଲ କରିଥିବା ଉପଭୋକ୍ତାମାନେ ନିଜର ଆର୍ଥିକ ଓ ସାମାଜିକ ବିକାଶର ଅନୁଭୂତି ଓ ସଫଳତାର କାହାଣୀ ଉପସ୍ଥାପନ କରିବା ଦେଖିବାକୁ ମିଳିଥିଲା । ସେମାନେ କିପରି ବିଭିନ୍ନ ଜୀବିକା ଓ କୃଷିଭିତ୍ତିକ କାର୍ଯ୍ୟକଳାପ ମାଧ୍ୟମରେ ନିଜ ପରିବାରର ଆୟ ବୃଦ୍ଧି କରିବା ସହିତ ସାମାଜିକ ଭାବେ ସଶକ୍ତ ହୋଇପାରିଛନ୍ତି ସେ ସମ୍ପର୍କରେ ମତବ୍ୟକ୍ତ କରିଥିଲେ ।ପଲ୍ଲୀ ବିକାଶର ବିଭିନ୍ନ କାର୍ଯ୍ୟକ୍ରମକୁ ସଫଳତାର ସହିତ କାର୍ଯ୍ୟାନ୍ୱୟନ କରିଥିବା ୧୦ଟି ସ୍ୱୟଂ ସହାୟକ ଗୋଷ୍ଠୀ ଓ ୨୦ ଜଣ ପ୍ରଗତିଶୀଳ ଚାଷୀଙ୍କୁ ସେମାନଙ୍କର ଉଲ୍ଲେଖନୀୟ ଅବଦାନ ଓ ସଫଳତା ପାଇଁ ଆଜି ସମ୍ମାନିତ କରାଯାଇଥିଲା
କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା ଶ୍ରୀଯୁକ୍ତ ସହଦେବ ରାଉତ କରିଥିବା ବେଳେ ଶେଷରେ ଶ୍ରୀଯୁକ୍ତ ଭକ୍ତ ଚରଣ ବାଗ ଧନ୍ୟବାଦ ଅର୍ପଣ କରିଥିଲେ । ଅଧ୍ୟକ୍ଷଙ୍କ ଅନୁମତି କ୍ରମେ ସଭାର ସମାପନ କରାଯାଇଥିଲା । ଲୋକଙ୍କ ସହ, ଲୋକଙ୍କ ପାଇଁ ଏବଂ ଲୋକଙ୍କ ମତାମତକୁ ଆଧାର କରି " ସ୍ଥାୟୀ ବିକାଶ ”ର ସଂକଳ୍ପ ସହ ପଲ୍ଲୀ ବିକାଶର ୨୬ତମ ପ୍ରତିଷ୍ଠା ଦିବସ ସମାପ୍ତ ହୋଇଥିଲା ।