-+91-9937148622 |
prerana_bgr@rediffmail.com |
Thursday 6th August 2026 |
R.N.I. Regd No. ODIODI/2010/46693
Breaking News
06-Aug-2026
ନୂଆପଡ଼ା (ରାମନାଥ ପଣ୍ଡା )
ନୂଆପଡ଼ା ଜିଲ୍ଲାର ଯୁବ ସାମ୍ବାଦିକ ରାଜ କିରଣ ସିଂ ଦେଓଙ୍କ ୪୩ ବର୍ଷ ବୟସରେ ଗତକାଲି ବିଳମ୍ବିତ ରାତ୍ରିରେ ପରଲୋକ ଘଟିଛି। ତାଙ୍କ ବିୟୋଗ ଖବର ପ୍ରଚାର ପାଇବା ପରେ ସାମ୍ବାଦିକ ମହଲ ସମେତ ବିଭିନ୍ନ ବର୍ଗରେ ଶୋକର ଛାୟା ଖେଳିଯାଇଛି। ବିଭିନ୍ନ ମହଲ ପକ୍ଷରୁ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଯାଇଛି।
ପରିବାର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ରାଜ କିରଣ ସିଂ ଦେଓ ଦୀର୍ଘଦିନ ଧରି ରୋଗରେ ପୀଡ଼ିତ ଥିଲେ। ତାଙ୍କୁ ରାୟପୁରସ୍ଥିତ ଶ୍ରୀ ନାରାୟଣ ଘରୋଇ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ କରାଯାଉଥିଲା। ତେବେ ଗତକାଲି ବିଳମ୍ବିତ ରାତ୍ରିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଥିବା ଜଣାପଡ଼ିଛି।
ତାଙ୍କ ପାର୍ଥିବ ଶରୀର ଆଜି ପୈତୃକ ଗ୍ରାମ ବୁଦ୍ଧିକୋମନା ଅଣାଯାଇ ଗଭୀର ଶୋକର ସହିତ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ସ୍ୱର୍ଗତ ସିଂ ଦେଓଙ୍କ ଏକ ପୁଅ ଓ ଏକ ଝିଅ ଅଛନ୍ତି ।
ରାଜ କିରଣ ସିଂ ଦେଓ ଜଣେ ମେଳାପୀ, ଭଦ୍ର, ମିଷ୍ଟଭାଷୀ ଓ ହସମୁଖ ବ୍ୟକ୍ତିତ୍ୱ ଭାବେ ପରିଚିତ ଥିଲେ। ସାମ୍ବାଦିକତା କ୍ଷେତ୍ରରେ ତାଙ୍କ ସକ୍ରିୟତା ଓ ସହଯୋଗୀ ମନୋଭାବ ତାଙ୍କୁ ସହକର୍ମୀ ଓ ପରିଚିତ ମହଲରେ ଲୋକପ୍ରିୟ କରିଥିଲା।
ତାଙ୍କ ଅକାଳ ବିୟୋଗ ନୂଆପଡ଼ା ଜିଲ୍ଲାର ସାମ୍ବାଦିକ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ତାଙ୍କ ବିୟୋଗରେ ସାମ୍ବାଦିକ, ବୁଦ୍ଧିଜୀବୀ, ସାମାଜିକ କର୍ମୀ ଓ ବିଭିନ୍ନ ବର୍ଗର ଲୋକେ ଗଭୀର ଶୋକବ୍ୟକ୍ତ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି।