-+91-9937148622 |
prerana_bgr@rediffmail.com |
Sunday 2nd August 2026 |
R.N.I. Regd No. ODIODI/2010/46693
Breaking News
02-Aug-2026
ବଲାଙ୍ଗୀର(ପ୍ରେରଣା ଖବର)-ବଲାଙ୍ଗୀର ଜିଲ୍ଲାର ଦେଓଗାଁ ଓ ସଦରବ୍ଲକର ସୀମାରହିଥିବା ଐତିହ୍ୟସମ୍ପନ୍ନ ବୁଢାଡଙ୍ଗର ପାହାଡକୁ ପର୍ଯ୍ୟଟନସ୍ଥଳୀ ଘୋଷଣା କରିବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହେଉଛି । ଆଜି ଗାଇବାହାଲ ପଞ୍ଚାୟତର ଅର୍ଡା ଗାଁର କଲ୍ୟାଣମଣ୍ଡପଠାରେ ଏନେଇ ବଲାଙ୍ଗୀର ସଦରବ୍ଲକ ଓ ଦେଓଗାଁ ଅଞ୍ଚଳବାସୀଙ୍କ ପକ୍ଷରୁ ଏକ ସାମ୍ବାଦିକ ସମ୍ବିଳନୀ ଆୟୋଜିତ କରି ଗଣମାଧ୍ୟମ ଜରିଆରେ ଏହି ଦାବି ରଖାଯାଇଛି । ଅଞ୍ଚଳବାସୀ ଦାବି କରିଛନ୍ତି ଯେ,ବୁଢାଡଙ୍ଗର ପାହାଡ ଯାହାକି ୪୯୦ ହେକ୍ଟର ପରିମିତ ଅଞ୍ଚଳରେ ପରିବ୍ୟାପ୍ତ ହୋଇଛି । ଏହାକୁ ୭ଟି ଗ୍ରାମ୍ୟମୌଜା ଲାଗିରହିଛି । ଏହି ପାହାଡ ସହିତ ବଲାଙ୍ଗୀର ପାଟଣା ଗଡଜାତ ରାଜ୍ୟସମୟର ଇତିହାସ ଲାଖିରହିଛି । ୧୨୪୨ ମସିହାରେ ପାଟଣାରାଜ୍ୟ ଗଠନ ହେବା ପୂର୍ବରୁ ଏହା ଗଣ୍ଡୱାନା ରାଜ୍ୟ ଅନ୍ତର୍ଗତ ଥିଲା । କୁଆଁରୀ ପାଟଣା ଅଞ୍ଚଳର ଗଣ୍ଡ,ସହରା,ବିଞ୍ଝାଲ ଇତ୍ୟାଦି
ଆଦିବାସୀମାନେ ଏହି ପାହାଡରେ ତାଙ୍କର ଡଙ୍ଗରବୁଢା ଦେବତାଙ୍କୁ ପୂଜା କରୁଥିଲେ । ସେହି ପରଂମ୍ପରା ଆଜି ମଧ୍ୟ ଚାଲିଆସିଛି । ପାଟଣାଗଡଜାତର ଜରାସିଂହାର ପ୍ରସିଦ୍ଧ ପାଟଖଣ୍ଡାଯାତ୍ରା ବେଳେ ପାଟଣାଗଡରୁ ପାଟସିନ୍ଦୁର ଆସିବା ବେଳେ ଏହି ଡଙ୍ଗରବୁଢା ପୀଠରେ ମଧ୍ୟ ଏହାକୁ ପୂଜାର୍ଚ୍ଚନା କରାଯାଏ ଓ ତାପରେ ଜରାସିଂହାକୁ ଯାଇଥାଏ । ମୋଟ ଉପରେ ଆଦିବାସୀ ଏକ ବୃହତ ପରଂମ୍ପରାର ଏହି ବୁଢାଡଙ୍ଗର ସହିତ ସମ୍ପର୍କ ରହିଛି । ଗଣ୍ଡସଂପ୍ରଦାୟର ପୂଜକମାନେ ପ୍ରତିବର୍ଷ ଆଶ୍ୱିନ ଓ ଚୈତ୍ରମାସରେ ଏଠାରେ ପୂଜା କରିଥାନ୍ତି । ଡଙ୍ଗରବୁଢା ଯାତ୍ରାରେ ୮୪ ଖଣ୍ଡ ଗ୍ରାମର ଲୋକ ସମ୍ମିଳିତ ହୋଇ ପୂଜାକରିଥାନ୍ତି । ଏବେ କୁଡାସିଙ୍ଘା,ଶିରିଶ,ଅର୍ଡା,ଗଡଦ୍ୱାର,ରତନପୁର,ଟେକା ଓ ଖଇରବାହାଲି ଗ୍ରାମର ଲୋକେ ଏହି ଡଙ୍ଗରରୁ ଉପକୃତ ହେଉଛନ୍ତି । ଏହି ଡଙ୍ଗରରୁ ବହିଯାଇଥିବା ପ୍ରାୟ ୬ଟି ଝରଣାର ଜଳକୁ ବ୍ୟବହାର କରି ଚାଷକାର୍ଯ୍ୟ କରୁଥିବା ବେଳେ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ବିଭିନ୍ନ ଅଞ୍ଚଳରୁ ଲୋକେ ଆସୁଛନ୍ତି । ଅର୍ଡା-ଗଡଦ୍ୱାର ସୀମାରେ ପାହାଡ ଉପରୁ ତଳକୁ ପାଣି ପଡୁଥିବା ଦୁଇଟି ସୁନ୍ଦର ଜଳପ୍ରପାତ ରହିଛି ।ପାହାଡ ଉପରେ ଏକ ବିସ୍ତିର୍ଣ୍ଣ ପଥରଚଟାଣ ରହିଛି ଓ ସେଥିରେ ଏକ ପାଣିକୁଣ୍ଡ ରହିଛି । ଏଠାରେ ବର୍ଷତମାମ ଜଳଭର୍ତ୍ତି ହୋଇ ରହିଥାଏ । ଝରଣାଗୁଡିକରେ ପ୍ରାୟ ବର୍ଷସାରା ପାଣି ବହୁଥାଏ । ସେଥିପାଇଁ ସେଠିକି ଗାଧୋଇବା ଓ ବଣଭୋଜି ପାଇଁ ହଜାର ହଜାର ଦର୍ଶକ ପ୍ରତ୍ୟହ ଆସୁଛନ୍ତି । ମୁଖ୍ୟତଃ ଆଦିବାସୀଙ୍କ ଧର୍ମିୟଭାବନା ସହିତ ଜଡିତ ଥିବା ଏକ ପ୍ରାକୃତିକ ସୌନ୍ଦର୍ଯ୍ୟଭରା ପାହାଡକୁ ପର୍ଯ୍ୟଟନସ୍ଥଳୀ ଘୋଷଣା କରିବାକୁ ଦାବି ଉଠିଛି । ଏବେ ରାଜ୍ୟସରକାର ଏଠାରୁ ମାତ୍ର ୧କିମି ଦୂରରେ ସୋନଗଡନଦୀରେ ସିକୁଆଁ-ସିଲେଟକନୀଠାରେ ଏକ ଭୂତଳ-ଜଳସଂରକ୍ଷଣକେନ୍ଦ୍ର(ଆଇଏସଏସ) ନିର୍ମାଣ କରିବାକୁ ଯାଉଛନ୍ତି । ଆଗକୁ ଏହି ସ୍ଥାନକୁ ପର୍ଯ୍ୟଟକଙ୍କ ସଂଖ୍ୟା ମଧ୍ୟ ବଢିବ । ବଲାଙ୍ଗୀର ସହରଠାରୁ ମାତ୍ର ୨୦କିମି ଦୂରରେ ଥିବା ଏହି ସ୍ଥାନକୁ ସଂଯୋଗ କରୁଥିବା ରତନପୁର-ଅର୍ଡା ରାସ୍ତାକୁ ପ୍ରାୟ ୬କୋଟି ଟଙ୍କାରେ ଗ୍ରାମ୍ୟଉନ୍ନୟନ ବିଭାଗ ଉନ୍ନତିକରଣ କରାଇବାକୁ ଯାଉଛନ୍ତି । ସ୍ଥାନୀୟ ବିଧାୟକ କଳିକେଶ ନାରାୟଣ ସିଂଦେଓ ଏହି ସ୍ଥାନକୁ ଯିବାକୁ ରାସ୍ତାନିର୍ମାଣ ପାଇଁ ୧୦ଲକ୍ଷ ଟଙ୍କାର ଅନୁଦାନ ମଧ୍ୟ ଘୋଷଣା କରିଛନ୍ତି । ସେ ରାଜ୍ୟସରକାରଙ୍କ ପାଖରେ ପର୍ଯଟନସ୍ଥଳୀ ଘୋଷଣାନେଇ ଦାବି ଉପସ୍ଥାପନ କରିବାକୁ ଅଞ୍ଚଳବାସୀ ତାଙ୍କ ପାଖରେ ଦାବି ରଖିଥିଲେ । ସେ ମଧ୍ୟ ଏନେଇ ଅନୁଦାନ ଦେଇ ରାଜ୍ୟସରକାରଙ୍କ ପାଖରେ ଦାବି ଉପସ୍ଥାପନ କରିବେ ବୋଲି ପ୍ରତିଶୃତି ଦେଇଥିବା କୁହାଯାଇଛି । ଏବେ ଏହି ସ୍ଥାନକୁ ରତନପୁର-ଅର୍ଡା ମୁଖ୍ୟ ଆରଡିରାସ୍ତାରୁ ନୂତନ ରାସ୍ତାନିର୍ମାଣ, ପାହାଡରେ ବୁଢାଡଙ୍କର ଦେବତାଙ୍କ ପାଇଁ ମନ୍ଦିର ନିର୍ମାଣ,ଝରଣାଗୁଡିକୁ ପର୍ଯ୍ୟଟକମାନେ ଯିବାକୁ ଜଙ୍ଗଲରେ ରାସ୍ତାନିର୍ମାଣ,ଝରଣାଜଳକୁ ଅଟକାଇ ଜମିପାଇଁ ଉପଯୋଗୀ କରିବାକୁ ଚେକଡ୍ୟାମନିର୍ମାଣ କରିବାକୁ ଦାବି ହୋଇଛି ।
ଦେଓଗାଁବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ବିଡିସିସି ବ୍ୟାଙ୍କର ପୂର୍ବତନ ସଭାପତି ଲକ୍ଷ୍ମଣକୁମାର ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ବିଳନୀରେ ବଲାଙ୍ଗୀର ବିଧାୟକଙ୍କ ଦେଓଗାଁ ବ୍ଲକପ୍ରତିନିଧି ସୁଶିଳକୁମାର ଚାନ୍ଦ,ସଂସ୍କୃତିଗବେଷକ ଉମାଶଙ୍କର ସିଂ,ଯୁବନେତା ପ୍ରଦ୍ୟୁମ୍ନ ହୋତା,ଗାଇବାହାଲ ସରପଞ୍ଚ ତ୍ରୀଲୋଚନ ନାଗ,କୁଡାସିଂହା ଗଉଁତିଆ ନିମାଇଁ ଝାଙ୍କର,ଅର୍ଡା ଗଉଁତିଆ ଦୀପକ ନନ୍ଦ,ଭୀମପାହାଡ ମହୋତ୍ସବକମିଟିର ସଭାପତି ପ୍ରମୋଦ ବହିଦାର,ଚାନ୍ଦଲି ମହୋତ୍ସବ କମିଟିର ସଭାପତି ରାଧେଶ୍ୟାମ ମେହେର,ଘାସିରାମ ରଣା,ଯୁବନେତା ଶୈଳେନ୍ଦ୍ର ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ । ଲକ୍ଷ୍ମଣ ମେହେର ସୂଚନା ଦେଇଥିଲେ
ଯେ,ଦେଓଗାଁ ବ୍ଲକର ପୂର୍ବଦିଗରେ ଭୀମଡୁଙ୍ଗୁରୀ ଓ ପଶ୍ଚିମ ଦିଗରେ ଦେଷଣ୍ଢ ଚାନ୍ଦଲୀପାହାଡକୁ ରାଜ୍ୟସରକାର ପର୍ଯ୍ୟଟନସ୍ଥଳୀ ଘୋଷଣା କରିସାରିଛନ୍ତି । ଏବେ ଦେଓଗାଁର ମଧ୍ୟଭାଗରେ ଥିବା ବୁଢାଡଙ୍ଗରକୁ ପର୍ଯ୍ୟଟନସ୍ଥଳୀ ଘୋଷଣା କରି ଅଞ୍ଚଳର ବିକାଶ କରାଇବାକୁ ରାଜ୍ୟସରକାରଙ୍କୁ ଅନୁରୋଧ କରିଛନ୍ତି । ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂଦେଓଙ୍କ ସହିତ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ,ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ଓ ସାଂସଦ ସଂଗୀତାକୁମାରୀ ସିଂଦେଓଙ୍କ ପାଖରେ ଦୃଢଦାବୀ ରଖାଯିବ ବୋଲି ଶ୍ରୀ ମେହେର ସୂଚନା ଦେଇଥିଲେ । ଏହି ସାମ୍ବାଦିକ ସମ୍ବିଳନୀରେ ଶୈଳେନ୍ଦ୍ର ସାହୁ ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ସନ୍ତୋଷ ପଧାନ,ଆଶୀର୍ବାଦ ସାହୁ,କାହ୍ନୁ ମେହେର, ଶ୍ୟାମ ମେହେର,ନରେନ୍ଦ୍ର ପାତ୍ର,କମଲସୁନ୍ଦର ଚାନ୍ଦ, ପରମେଶ୍ୱର ସାହୁ,ଅନୀରୁଦ୍ଧ ମାଝୀ,ସତ୍ୟନାରାୟଣ ପାଣ୍ଡେ, ଶିବରାମ ବିଶ୍ୱାଳ,ସମ୍ବିତ ଭୋଇ,ତପନ ବଗର୍ତ୍ତି,ଅଭୀ ଭୋଇ ପ୍ରମୁଖ ଉପସ୍ଥିତ ରହିଥିଲେ ।