-+91-9937148622 |
prerana_bgr@rediffmail.com |
Saturday 25th July 2026 |
R.N.I. Regd No. ODIODI/2010/46693
Breaking News
24-Jul-2026
ବରପାଲି -(ସୁଦାମ ଦୀପ)ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ କଦଲିପାଲି ଅଞ୍ଚଳର ସୂକନ୍ୟା କୁମାରୀ ପିଙ୍କି ହଂସା ଅଖିଳ ଭାରତୀୟ ଫୁଟବଲ୍ ଫେଡେରେସନ୍ (AIFF) ପକ୍ଷରୁ ଭାରତୀୟ ଏସିଷ୍ଟାଣ୍ଟ ରେଫରି (କେଟାଗୋରୀ-5) ଭାବେ ଉନ୍ନିତ ହୋଇ ବରପାଲି ତଥା ସମଗ୍ର ବରଗଡ଼ ଜିଲ୍ଲା ପାଇଁ ଗର୍ବର କାରଣ ପାଲଟିଛନ୍ତି। ଫୁଟବଲ୍ ଖେଳରେ ରେଫରିଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ନିଷ୍ପକ୍ଷତା, ନିୟମ ସମ୍ପର୍କରେ ଗଭୀର ଜ୍ଞାନ, ଶାରୀରିକ ସକ୍ଷମତା ଓ ତ୍ୱରିତ ନିଷ୍ପତ୍ତି ନେବାର କ୍ଷମତା ଥିଲେ ହିଁ ଜଣେ ରେଫରି ଏହି ସ୍ତରରେ ପହଞ୍ଚିପାରନ୍ତି। ପିଙ୍କି ହଂସାଙ୍କ ଏହି ସଫଳତା ତାଙ୍କ ଦୀର୍ଘଦିନର କଠିନ ପରିଶ୍ରମ, ଅଧ୍ୟବସାୟ ଓ ନିଷ୍ଠାର ଫଳ। ଜଣେ ମହିଳା ଭାବେ ଏହି କ୍ଷେତ୍ରରେ ଜାତୀୟ ସ୍ତରକୁ ଉନ୍ନିତ ହେବା କେବଳ ତାଙ୍କ ବ୍ୟକ୍ତିଗତ ସଫଳତା ନୁହେଁ, ବରଂ ବରପାଲି ଅଞ୍ଚଳର ଯୁବପିଢ଼ୀ ଓ ବିଶେଷ କରି ଯୁବତୀମାନଙ୍କ ପାଇଁ ଏକ ପ୍ରେରଣାଦାୟକ ଉଦାହରଣ। ତାଙ୍କ ଏହି କୃତିତ୍ୱ ଆଗାମୀ ଦିନରେ ଅନେକ ଯୁବକ-ଯୁବତୀଙ୍କୁ କ୍ରୀଡ଼ା କ୍ଷେତ୍ରରେ ଆଗେଇ ଯିବାକୁ ଉତ୍ସାହିତ କରିବ। ବରପାଲିବାସୀଙ୍କ ପାଇଁ ଏହା ଏକ ଅତ୍ୟନ୍ତ ଆନନ୍ଦ ଓ ଗର୍ବର ବିଷୟ, ସମଗ୍ର ଅଞ୍ଚଳ ପକ୍ଷରୁ ପିଙ୍କି ହଂସାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଅଶେଷ ଶୁଭେଚ୍ଛା। ସେ ଆଗାମୀ ଦିନରେ ଆହୁରି ଉଚ୍ଚ ସଫଳତା ଅର୍ଜନ କରି ରାଜ୍ୟ ଓ ଦେଶର ନାମ ଉଜ୍ଜ୍ୱଳ କରନ୍ତୁ ବୋଲି ଆମର କାମନା।