-+91-9937148622 |
prerana_bgr@rediffmail.com |
Tuesday 6th October 2026 |
R.N.I. Regd No. ODIODI/2010/46693
Breaking News
29-Jun-2026
ବିନିକା(ହିମାଂଶୁ ଶେଖର ପୁଟେଲ)ସୁବର୍ଣ୍ଣପୁର ଜିଲ୍ଲା ବିନିକା ସ୍ଥିତ ପବିତ୍ର ମୁକ୍ତିତୀର୍ଥ ପାପକ୍ଷୟ ଘାଟରେ ଆଜି ଭକ୍ତି ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଦେବସ୍ନାନ ପୂର୍ଣ୍ଣିମା ଉତ୍ସବ ପାଳିତ ହୋଇଯାଇଛି। ସକାଳୁ ଶ୍ରୀଜୀଉଙ୍କ ନୀତିକାନ୍ତି ସମ୍ପନ୍ନ ହେବା ପରେ ପାରମ୍ପରିକ ପହଣ୍ଡି ବିଜେରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ସ୍ନାନ ମଣ୍ଡପକୁ ଅଣାଯାଇଥିଲା।ସେଠାରେ ବୈଦିକ ମନ୍ତ୍ରୋଚ୍ଚାରଣ ଓ ପୂଜାର୍ଚ୍ଚନା ମଧ୍ୟରେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନଙ୍କ ପବିତ୍ର ସ୍ନାନ ନୀତି ସମ୍ପନ୍ନ କରାଯାଇଥିଲା। ଏହି ଅବସରରେ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଓ ଭକ୍ତମାନେ ଉପସ୍ଥିତ ରହି ମହାପ୍ରଭୁଙ୍କ ଦିବ୍ୟ ଦର୍ଶନ କରିବା ସହ ଆଶୀର୍ବାଦ ଲାଭ କରିଥିଲେ।
ଦେବସ୍ନାନ ପୂର୍ଣ୍ଣିମା ପାଳନ ପରେ ପାରମ୍ପରିକ ରୀତିନୀତି ଅନୁଯାୟୀ ମହାପ୍ରଭୁ ଅନବସର ନୀତିକୁ ପ୍ରବେଶ କରିବେ। ଏଥିରେ ପୂଜକ ଭାବେ ସର୍ବେଶ୍ୱର ପୁରୋହିତ ଦାୟିତ୍ୱ ତୁଲାଇଥିବା ବେଳେ ଏହି ପବିତ୍ର ଉତ୍ସବକୁ ସୁଚାରୁ ଭାବେ ସମ୍ପନ୍ନ କରିବାରେ ମନ୍ଦିର ପରିଚାଳନା କମିଟି, ସେବାୟତ ଓ ସ୍ଥାନୀୟ ସ୍ୱେଚ୍ଛାସେବୀମାନଙ୍କର ସକ୍ରିୟ ସହଯୋଗ ରହିଥିଲା ।