-+91-9937148622 |
prerana_bgr@rediffmail.com |
Friday 17th April 2026 |
R.N.I. Regd No. ODIODI/2010/46693
Breaking News
16-Apr-2026
କାଲିମେଳା(ସନ୍ତୋଷ କୁମାର ପଣ୍ଡା): ମାଲକାନଗିରି ଜିଲ୍ଲା ଏମଭି-୭୯ ଥାନା ପୁଲିସ ଛେଳି ଚୋରି ଘଟଣାରେ ୩ ଜଣଙ୍କୁ ଗିରଫ କରିଛି। ଏଥିସହ ସେମାନଙ୍କ ନିକଟରୁ ଗୋଟିଏ ପିସ୍ତଲ ଏବଂ ଗୁଳି ଜବତ କରିଛି। ଗିରଫ ୩ଜଣଙ୍କ ଜଣଙ୍କ ପରିଚୟ ହେଉଛି ଏମଭି-୧୧୩ ଗ୍ରାମର ସୁଜୟ ମଣ୍ତଳ ଓ ଏମପିଭି-୪୫ ଗ୍ରାମର ରାହୁଲ ଶିକାରୀ ଏବଂ ପୂର୍ନେନ୍ଦୁ ମଣ୍ଡଲ। ସୂଚନା ଅନୁଯାୟୀ, ଗତ ଦୁଇ ଦିନ ତଳେ ୬ଜଣ ଚୋର ଦଳ ଗିରକାନପାଲୀ ଓ ଉଦୟଗିରି ଅଞ୍ଚଳରୁ ୩ଟି ଛେଳି ଚୋରି କରି ଆଣିଥିଲେ। ଏହା ଜାଣିବା ପରେ ଗିରକାନପାଲୀ ଗ୍ରାମ ସମେତ ଆଖଆଖ ଅଞ୍ଚଳର ଶତାଧିକ ଲୋକ ଚୋରଙ୍କ ପିଛା କରିଥିଲେ। ଚୋର ଦଳ ତାମନପାଲୀ ପାହାଡ଼ ନିକଟରେ ଆସି ଲୁଚି ରହିଥିବା ବେଳେ ସେଠାରେ ଗ୍ରାମବାସୀ ମଧ୍ୟରେ ମୁହାଁମୁହିଁ ହୋଇଥିଲା। ତେବେ ଚୋର ଦଳ ଗ୍ରାମବାସୀଙ୍କ ଉପରକୁ ପିସ୍ତଲରୁ ଗୁଳି କରି ଖସିଯିବାକୁ ଉଦ୍ୟମ କରିଥିଲେ | ଗୁଳି ବାଜି ଜଣେ ଗ୍ରାମବାସୀ ଆହତ ହୋଇଥିଲେ। କିନ୍ତୁ ଗ୍ରାମବାସୀ ଦୁଇଜଣ ଚୋରଙ୍କୁ କାବୁ କରି ନିର୍ଧୂମ ମାଡ଼ ମାରି ଲହୁଲୁହାଣ କରିଥିଲେ। ଅନ୍ୟମାନେ ଖସିଯିବାରେ ସଫଳ ହୋଇଥିଲେ । ୩ଟି ଛେଳି ମଧ୍ୟରୁ ଦୁଇଟି କୁଆଡ଼େ ଚାଲିଯାଇ ଥିବା ବେଳେ ଗୋଟିଏ ଛେଳିକୁ ପୁଲିସ ଧରି ଗ୍ରାମବାସୀଙ୍କୁ ହସ୍ତାନ୍ତର କରିଥିଲା। ଏମଭି-୭୯ ଥାନା ଅଧିକାରୀ ପୂର୍ଣ୍ଣିମା ଟେଟେ ଏବଂ ସାବଇସ୍ପେକ୍ଟର ଚନ୍ଦନ କୁମାର ବେହେରାଙ୍କ ନେତୃତ୍ବରେ ଏକ ପୁଲିସ ଟିମ୍ ଘଟଣାସ୍ଥଳରୁ ଦୁଇ ଆହତ ଚୋରଙ୍କୁ କାବୁ କରିଥିଲା ବେଳେ ଆଉ ଜଣଙ୍କୁ ଗିରଫ କରି ଥିଲା। ଏନେଇ ଏମ୍.ଭି-୭୯ଥାନାରେ ୫୮/୨୬ରେ ଏକ ମାମଲା ରୁଜୁ କରି ସମସ୍ତ ତିନି ଜଣ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇ ଥିଲା।