-+91-9937148622 |
prerana_bgr@rediffmail.com |
Monday 10th August 2026 |
R.N.I. Regd No. ODIODI/2010/46693
Breaking News
12-Mar-2026
ବଲାଙ୍ଗୀର (ପ୍ରେରଣା ଖବର): ଓଡିଶା ବିଧାନସଭାରେ ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ସମସ୍ୟାକୁ ନେଇ ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂଦେଓ ଦୃଢସ୍ୱର ଉତ୍ତୋଳନ କରିଛନ୍ତି। ଜିଲ୍ଲାର ପାନୀୟଜଳସମସ୍ୟା,ଶିକ୍ଷା,ସ୍ୱାସ୍ଥ୍ୟ ଓ ରାସ୍ତାଉନ୍ନତିକରଣ, ଯୁବକ/ଯୁବତୀଙ୍କ ନିଯୁକ୍ତି ପ୍ରସଙ୍ଗକୁ ନେଇ ସରକାରଙ୍କୁ ବିରୋଧି ବିଧାୟକ ଭାବରେ ଘେରୁଥିବା ଲକ୍ଷ୍ୟ କରାଯାଇଛି। ବଲାଙ୍ଗୀର ଜିଲ୍ଲାରେ ସରକାର କରିବାକୁ ଥିବା ଖଣିପ୍ରକଲ୍ପରେ ଜିଲ୍ଲାର କେତେ ନିଯୁକ୍ତି ସୁଯୋଗ ପାଇବେ ବୋଲି ପ୍ରଶ୍ନ ଉଠାଇଛନ୍ତି। ଚଳିତ ବିଧାନସଭା ଅଧିବେସନର ପ୍ରଥମ ପର୍ଯ୍ୟାୟରେ ସ୍କୁଲକଲେଜ,ସ୍ୱାସ୍ଥ୍ୟକେନ୍ଦ୍ର ତଥା ରାସ୍ତା ଉନ୍ନତିକରଣ ନେଇ ପୂର୍ତ୍ତ ଓ ଗୃହନିର୍ମାଣ ବିଭାଗର ମନ୍ତ୍ରୀଙ୍କୁ ଜିଲ୍ଲାର ଭିତ୍ତିଭୂମୀ ଉପରେ ପ୍ରଶ୍ନ କରିଥିଲେ । ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ତାଙ୍କର ଉତ୍ତରରେ ବଲାଙ୍ଗୀର ନିର୍ବାଚନମଣ୍ଡଳି ତଥା ବଲାଙ୍ଗୀର ଓ କଣ୍ଟାବାଞ୍ଜି ଡିଭିଜନ ପକ୍ଷରୁ ଭିତ୍ତିଭୂମୀ ନିର୍ମାଣ ପାଇଁ ନିଆଯାଇଥିବା ପଦକ୍ଷେପ ବିଷୟରେ ଉତ୍ତର ରଖିଥିଲେ। ଏହା ସହିତ ଗୃହବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀଙ୍କୁ ପଚରାଯାଇଥିବା ଏକ ପଶ୍ନର ଉତ୍ତରରେ ବଲାଙ୍ଗୀର ଟାଉନଥାନାର ଏକ ନୂତନ ବିଲଡିଂ ନିର୍ମାଣର ଏକ ପ୍ରସ୍ତାବ ରହିଥିବା ଉତ୍ତର ରଖିଥିଲେ। ଠିକ ସେହିପରି ସ୍ୱାସ୍ଥ୍ୟ ତଥା ବୈଦ୍ୟୁତିକ ବୈଷୟିକ ବିଭାଗର ମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗଙ୍କୁ ପଚରାଯାଇଥିବା ପ୍ରଶ୍ନରେ ବଲାଙ୍ଗୀରରେ ଏକ ଆଇଟିପାର୍କ ସ୍ଥାପନ ହେବାକୁ ଯାଉଛି ବୋଲି ଉତ୍ତର ରଖିଥିଲେ। ଜିଲ୍ଲାରେ ପାନୀୟଜଳ ଯୋଗାଣ ବ୍ୟବସ୍ଥା ନେଇ କଳିକେଶ ପ୍ରଶ୍ନକରି ପ୍ରକଲ୍ପଗୁଡିକ ନିର୍ଦ୍ଧାରତ ସମୟରେ ସରୁନଥିବା ବିଷୟରେ ପ୍ରଶ୍ନ କରିଥିଲେ। ବିଭିନ୍ନ ବ୍ଲକଅଞ୍ଚଳରେ ପାନୀୟ ଜଳଯୋଗାଣ ପାଇଁ ଚାଲିଥିବା ପ୍ରକଲ୍ପଗୁଡିକ ଆସନ୍ତା ଜୁନ ଓ ଆଉ କିଛି ଡିସେମ୍ବର ସୁଦ୍ଧା ସରିଯିବ ବୋଲି ମନ୍ତ୍ରୀ ମନ୍ତ୍ରୀ ଶ୍ରୀ ନାଏକ ଉତ୍ତର ରଖିଛନ୍ତି । ତେବେ ବଲାଙ୍ଗୀର ଜିଲ୍ଲାରେ ଖଣିଖନନ ଓ ପରିବେଶ ସୁରକ୍ଷା ତଥା ଯୁବକ/ଯୁବତୀଙ୍କ ନିଯୁକ୍ତି ପ୍ରସଙ୍ଗରେ ନେଇ ବିଧାନସଭା ରେ କଳିକେଶ କରିଥିବା ପ୍ରଶ୍ନରେ ଖଣିମନ୍ତ୍ରୀ ଉତ୍ତର ରଖି କହିଛନ୍ତି ଯେ, ୨୦୨୫-୨୬ରେ ଜିଲ୍ଲାର ୪ଟି ଖଣି ବ୍ଲକ ନିଲାମ ହୋଇଛି। ଏଥିରେ ତେଲିପଦର-ଲୁକାପଡା-ପିପଲମୁଣ୍ଡା ଚୁନପଥର ଖଣିକୁ ରାଜ୍ୟସରକାର ନୀଲାମ କରିଥିବା ବେଳେ ଭାରତସରକାରଙ୍କ ପକ୍ଷରୁ ଭରତବାହାଲ ଗ୍ରାଫାଇଟ ଓ ମାଙ୍ଗାନିଜ ବ୍ଲକ,ଲରମ୍ଭା ଗ୍ରାଫାଇଟ ଓ ମାଙ୍ଗାନିଜ ବ୍ଲକ, କନେଇଟାଲ ଗ୍ରାଫାଇଟ ଓ ମାଙ୍ଗାନିଜ ଖଣିବ୍ଲକକୁ ନୀଳାମ କରାଯାଇଛି। କିନ୍ତୁ ଏପର୍ଯ୍ୟନ୍ତ ଜିଲ୍ଲାରେ କୌଣସି ଖଣିଭିତ୍ତିକ ଶିଲ୍ପ ସ୍ଥାପନ ନେଇ କୌଣସି ପ୍ରସ୍ତାବ ନାହିଁ ବୋଲି ମନ୍ତ୍ରୀ ଉତ୍ତର ରଖିଛନ୍ତି। ଜିଲ୍ଲାରେ ବନୀକରଣ,ବେକାର ଯୁବକ/ଯୁବତୀଙ୍କୁ ତାଲିମ ଇତ୍ୟାଦି ପ୍ରସଙ୍ଗରେ ମଧ୍ୟ ବିଧାୟକ ଶ୍ରୀ ସିଂଦେଓ ପ୍ରଶ୍ନ ଉପସ୍ଥାପନ କରିଛନ୍ତି।