-+91-9937148622 |
prerana_bgr@rediffmail.com |
Thursday 20th August 2026 |
R.N.I. Regd No. ODIODI/2010/46693
Breaking News
23-Feb-2026
କନ୍ଧମାଳ(କନ୍ଧମାଳ ଜିଲ୍ଲାରୁ ମୃତ୍ୟୁଞ୍ଜୟ ଦିଗାଲ ଙ୍କ ରିପୋର୍ଟ): କନ୍ଧମାଳ ଜିଲ୍ଲାର ଟିକାବାଲି ବ୍ଲକ ଅନ୍ତର୍ଗତ ପାବୁରିଆ ପଞ୍ଚାୟତ ରାଇକିଆ ରାସ୍ତା ପାର୍ଶ୍ୱରେ ଆଜି ‘ମାଁ ମାଣିକେଶ୍ୱରୀ’ ନାମକ ନୂତନ ଫିଲିଂ ଷ୍ଟେସନ ଭବ୍ୟ ଉଦଘାଟନ ଉତ୍ସାହ ଓ ଆଡ଼ମ୍ବର ମଧ୍ୟରେ ସମ୍ପନ୍ନ ହୋଇଯାଇଛି। ଏହି ସେଣ୍ଟରଟି ଇଣ୍ଡିଆନ୍ ଅଏଲ କର୍ପୋରେସନ ସହ ସଂଯୁକ୍ତ ଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ବିଶେଷ ଆନନ୍ଦ ଓ ଆଶା ଦେଖାଯାଇଥିଲା। ଏହି ଅବସରରେ ସ୍ଥାନୀୟ ସରପଞ୍ଚ ସଞୟ କୁମାର ନାୟକ ଅତିଥି ଭାବେ ଯୋଗଦେଇ ଉଦ୍ ଘାଟନ କରିଥିଲେ । ସେଣ୍ଟର୍ ର ମାଲିକ ଶ୍ରୀ କିଶୋର ବିଶ୍ୱାଳଙ୍କ ଉପସ୍ଥିତିରେ ବିଧିବତ୍ ପୂଜାର୍ଚ୍ଚନା କରାଯାଇଥିଲା। ମାଁ ମାଣିକେଶ୍ୱରୀଙ୍କ ଆଶୀର୍ବାଦ କାମନା କରି ହୋମ-ଯଜ୍ଞ ଓ ପୂଜା ପର୍ବ ସମ୍ପନ୍ନ ହୋଇଥିଲା। ପରେ ଫିତା କାଟି ଓ ପୂଜାର ଶଙ୍ଖଧ୍ୱନି ମଧ୍ୟରେ ସେଣ୍ଟରଟି ସାଧାରଣ ଲୋକଙ୍କ ପାଇଁ ଉଦଘାଟିତ କରାଯାଇଥିଲା। ଉଦଘାଟନ ସମୟରେ ଅଞ୍ଚଳର ବହୁ ସଂଖ୍ୟକ ଗ୍ରାମବାସୀ, ଯାନଚାଳକ ଓ ବ୍ୟବସାୟୀମାନେ ଉପସ୍ଥିତ ଥିଲେ। ଉପସ୍ଥିତ ଅତିଥି ଓ ସାଧାରଣ ଲୋକଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା। ବିଶେଷ ଆକର୍ଷଣ ଭାବେ କିଛି ଯାନ ଚାଳକଙ୍କୁ ପେଟ୍ରୋଲ ପ୍ରଦାନ କରାଯାଇଥିବାରୁ ଉପସ୍ଥିତ ଲୋକମାନଙ୍କ ମଧ୍ୟରେ ଅଧିକ ଉତ୍ସାହ ପ୍ରକାଶ ପାଇଥିଲା। ଏହି ନୂତନ ମା ମାଣିକେଶ୍ଵରୀ ଫିଲିଂ ଷ୍ଟେସନ ଖୋଲାଯାଇଥିବାରୁ ପାବୁରିଆ-ରାଇକିଆ ରାସ୍ତାରେ ଯାତାୟାତ କରୁଥିବା ଯାନ ଚାଳକମାନେ ଏବେ ସ୍ଥାନୀୟ ସ୍ତରରେ ଉଚ୍ଚ ଗୁଣସ୍ତରୀୟ ଇନ୍ଧନ ସୁବିଧା ପାଇପାରିବେ। ପୂର୍ବରୁ ଇନ୍ଧନ ପାଇଁ ଦୂରସ୍ଥ ସ୍ଥାନକୁ ଯିବାକୁ ପଡ଼ୁଥିବା ଅସୁବିଧା ଏବେ ହ୍ରାସ ପାଇବ ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି। ସେଣ୍ଟରର ଆରମ୍ଭ ଅଞ୍ଚଳର ଆର୍ଥିକ କାର୍ଯ୍ୟକଳାପକୁ ତେଜ କରିବା ସହ ଯାତାୟାତ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବ ବୋଲି ମତ ପ୍ରକାଶ ପାଇଛି। ଏହା ଗ୍ରାମୀଣ ଅଞ୍ଚଳରେ ଉନ୍ନତ ସେବା ଓ ସୁବିଧା ପ୍ରଦାନରେ ଆଉ ଗୋଟିଏ ସକାରାତ୍ମକ ପଦକ୍ଷେପ ବୋଲି ସାଧାରଣରେ ଆଲୋଚନା ହେଉଛି।