-+91-9937148622 |
prerana_bgr@rediffmail.com |
Monday 24th August 2026 |
R.N.I. Regd No. ODIODI/2010/46693
Breaking News
15-Feb-2026
ବଲାଙ୍ଗୀର (ପ୍ରେରଣା ଖବର): ଦେବ ଦେବ ମହାଦେବଙ୍କ ପବିତ୍ର ଶିବରାତ୍ରୀ ଅବସରରେ ଆଜି ବଲାଙ୍ଗୀର ସହରର ଶୈବପୀଠ ଗୁଡିକ ଉତ୍ସବମୁଖର ହୋଇ ଉଠିଛି । ‘ଓମ୍ ନମଃ ଶିବାୟ’ ଧ୍ୱନୀରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିବା ବେଳେ ଆଜି ଲାଗୁଥିଲା ଯେମିତି ଭକ୍ତ ଓ ଭଗବାନ ଏକାକର ହୋଇଯାଇଛନ୍ତି । ଘଂଟ,ଶଂଖ, ହୁଳହୁଳି ଓ ଭଜନ କୀର୍ତ୍ତନରେ ଶିବ ମନ୍ଦିର ସବୁ ପ୍ରକମ୍ପିତ ହୋଇଉଠିଲା । ଆଜି ସକାଳୁ ସକାଳୁ ଶିବ ମନ୍ଦିର ଗୁଡିକରେ ଭକ୍ତ ମାନଙ୍କ ପ୍ରବଳ ଭିଡ ଜମିଥିଲା । ମହାଶିବ ରାତ୍ରୀ ପାଇଁ ଆଜି ବଲାଙ୍ଗୀରର ମହାଦେବ ମନ୍ଦିର, ଖୁଜେନପାଲି ଶିବ ମନ୍ଦିର, କାଅଁଗା ଧବଳେଶ୍ୱର ଶିବ ମନ୍ଦିର ଓ ଚନ୍ଦ୍ରଶେଖର ଶିବ ମନ୍ଦିର ସ୍ୱତନ୍ତ୍ର ଭାବେ ସଜେଇ ହୋଇଛି । ଅଗଣିତ ଭକ୍ତଙ୍କ ବିଶ୍ୱାସ ଓ ଭାବନା ସହ ଜଡିତ ବଲାଙ୍ଗୀର ସହରର ଅନ୍ୟତମ ଶିବ ମନ୍ଦିର ଚନ୍ଦ୍ରଶେଖର ଶିବ ମନ୍ଦିରରେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଭକ୍ତ ମାନେ ଧାଡିରେ ରହି ମହାଦେବଙ୍କ ପାଖରେ ବେଲପତ୍ର ଚଢ଼ାଇ ଦୀପ ଜାଳିଥିଲେ । ଆଜି ଦିନ ତମାମ ଚନ୍ଦ୍ରଶେଖର ଶିବ ମନ୍ଦିରରେ ବିଭିନ୍ନ ପ୍ରକାରର ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ମାନ ରହିଛି । ରାତ୍ରୀ ରେ ଦୀପ ଜାଳି ଉଜାଗର ରହି ଶିବଙ୍କୁ ପୂଜା କରାଯାଉଥିବାରୁ ଏହି ପବିତ୍ର ପର୍ବ ମହାଜାଗର ନାମରେ ଜଣାଶୁଣା । ଭକ୍ତ ମାନେ ଏଠାକୁ ଆସି ପରମ ଆନନ୍ଦ ଓ ଶିବ କୃପା ଲାଭ କରିଥାଆନ୍ତି। ଆଜି ଭଗବାନ ଶିବ ଓ ମାତା ପାର୍ବତୀଙ୍କ ଯୁଗଳ ମୂର୍ତ୍ତି ଦର୍ଶନ କରିବାର ସୌଭାଗ୍ୟ ଲାଭ କରନ୍ତି ଭକ୍ତ ମାନେ । ଆଜି ଭକ୍ତ ମାନେ ନିଜର ମନୋକାମନା ପୂରଣ ପାଇଁ ଭଗବାନଙ୍କ ଠାରେ ଶରଣାପନ୍ନ ହୋଇଛନ୍ତି । ଆଜି ମହା ଶିବରାତ୍ରୀ ପାଇଁ ଶିବ ମୟ ହୋଇଯାଇଛି ବଲାଙ୍ଗୀର ସହର l