-+91-9937148622 |
prerana_bgr@rediffmail.com |
Saturday 29th August 2026 |
R.N.I. Regd No. ODIODI/2010/46693
Breaking News
09-Feb-2026
ବଲାଙ୍ଗିର(ପ୍ରେରଣା ଖବର): ରାଜ୍ୟରେ ସରକାର ବଦଳିବାର ୧୮ମାସ ଭିତରେ ରାଜ୍ୟରେ ଚାଷୁଙ୍କ ସମସ୍ୟା, ନାରୀ ନିର୍ଯ୍ୟାତନା ବଢିବା ଓ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡିି ଯାଇସାରିଥିବା ବିରୋଧି ବିଜୁଜନତାଦଳ(ବିଜେଡି) ଅଭିଯୋଗ ଉଠାଇଛି। ଏହି ସବୁ ସମସ୍ୟାକୁ ନେଇ ଆଜି ବଲାଙ୍ଗୀର ଠାରେ ବିଜେଡି ପକ୍ଷରୁ ଏକ ବିଶାଳ ଚାଷୀ ସମାବେଶ କରି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପ୍ରଶାସନକୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସ୍ଥାନୀୟ କୋସଳ କଳାମଣ୍ଡଳ ପଡିଆ ଠାରୁ ପ୍ରାୟ ୩ହଜାରରୁ ଅଧିକ ଚାଷୀ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ମୁଖ୍ୟସଡକ ଦେଇ ଜିଲ୍ଲାପାଳ କାର୍ଯ୍ୟାଳୟ ନିକଟସ୍ଥ ବ୍ରାହ୍ମଣପଡା ରଛକର ଫଳବଜାର ଠାରେ ପହଞ୍ଚିଥିଲେ। ସେଠାରେ ଜିଲ୍ଲା ବିଜୁଜନତାଦଳର ଜିଲ୍ଲା ସଭାପତି ପାଟଣାଗଡର ପୂର୍ବତନ ବିଧାୟକ ସରୋଜ ମେହେରଙ୍କ ସଭାପତି ଓ ଜିଲ୍ଲା ଯୁବ ବିଜେଡି ସଭାପତି ରାଜେନ୍ଦ୍ର ହୋତାଙ୍କ ସଂଯୋଜନାରେ ଅନୁଷ୍ଠିତ ପ୍ରତିବାଦ ସଭାରେ ବଲାଙ୍ଗୀରର ନେତାଗଣ ରାଜ୍ୟସରକାର ବିରୁଦ୍ଧରେ ଗର୍ଜିଥିଲେ।
ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂଦେଓ, ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟ ମହିଳାମୋର୍ଚ୍ଚା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ପୂର୍ବତନମନ୍ତ୍ରୀ ଟୁକୁନୀ ସାହୁ, ଗତଥରର ସାଂସଦପ୍ରାର୍ଥି ସୁରେନ୍ଦ୍ର ସିଂଭୋଇ, ଜିଲ୍ଲାପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ଉପାଧ୍ୟକ୍ଷା ମିଥିଲା ମାଝୀ, ବଲାଙ୍ଗୀର ପୌରାଧ୍ୟକ୍ଷା ଲିକା ସାହୁ, ବରିଷ୍ଠନେତା ଲକ୍ଷ୍ମଣ କୁମାର ମେହେର, ଅଜୟ ଦାସ,ପ୍ରଭାସ ପାଣିଗ୍ରାହୀ,ଚାଷୀନେତା ଆକାଶ ମିଶ୍ର, ବିଧୁଭୂଷଣ ତ୍ରୀପାଠୀ, ଆଦିବାସୀ ନେତା ସତ୍ୟନାରାୟଣ ଭୋଇ, ଦଳିତନେତା ପାଣ୍ଡବ କୁମ୍ଭାର ,ଶମ୍ଭୁ ନାଗ, ସଦରବ୍ଲକ ଅଧ୍ୟକ୍ଷା ସରିତା ବାଗ, ଦେଓଗାଁ ବ୍ଲକ ଅଧ୍ୟକ୍ଷ ଦୟାନିଧି ଖମାରୀ, ବରିଷ୍ଠ ନେତା କୈଳାସ ମହାନ୍ତି, ଅଜିତ ଯୋଷୀ, ଡ.ଅମ୍ଜଦ ଖାନ ପ୍ରମୁଖ ରାଜ୍ୟସରକାରଙ୍କ ଉପରେ ଖୁବ ବର୍ଷିଥିଲେ । ବିଧାୟକ କଳିକେଶ ନାରାୟଣ ସିଂଦେଓ ତାଙ୍କ ବକ୍ତବ୍ୟରେ କହିଛନ୍ତି ଯେ,ରାଜ୍ୟରେ ଥିବା ବିଜେପି ସରକାର ଅମଳରେ ଚାଷୀ ମାନେ ଧାନବିକ୍ରୀ କରିପାରୁ ନାହାଁନ୍ତି ଓ ମହିଳାମାନେ ମଧ୍ୟ ସୁରକ୍ଷିତ ନୁହଁନ୍ତି। ରାଜ୍ୟରେ ଯେଭଳି ସ୍ଥିତି ଆସିଛି କେବଳ ଅରାଜକତା ଦେଖାଦେଇଛି । ତେଣୁ ରାଜ୍ୟରେ ବିଜେପି ଦଳ ଶାସନରେ ରହିବାର ନୈତିକତା ହରାଇସାରିଛି। ଚାଷୀ ଓ ମହିଳାଙ୍କ ସମସ୍ୟାକୁ ନେଇ ବିଧାନସଭାରେ ଓ ବାହାରେ ଲଢାଇ ଚାଲିବ। ବିଜେଡିଦଳର ନେତା ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ସରକାରଙ୍କ ବିରୁଦ୍ଧରେ ଲଢେଇ ଜାରିରହିବ ବୋଲି କଳିକେଶ ସିଂଦେଓ କହିଛନ୍ତି । ଠିକ ସେହିପରି ଗତ ୧୮ମାସ ମଧ୍ୟରେ ଚାଷୀ ମାନଙ୍କ ଅବସ୍ଥା ବିପନ୍ନ ହୋଇପଡି ଥିବା ବେଳେ ମହିଳାମାନେ ଅସୁରକ୍ଷିତ ହୋଇ ଗଲେଣି। ରାଜ୍ୟରେ ବିଜେପିଶାସନ ସମୟରେ ୪୦ହଜାର ନାରୀ ନିର୍ଯ୍ୟାତନା ମାମଲା ରୁଜୁ ହେଲାଣି ବୋଲି ରାଜ୍ୟ ବିଜୁଜନତା ଦଳର ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି । ଟୁକୁନୀ ସାହୁ ମଧ୍ୟ ବଲାଙ୍ଗୀର ଜିଲ୍ଲାରେ ଚାଷୀଙ୍କ ସମସ୍ୟା ବଢିଥିବା ବେଳେ ବିଜେଡିସରକାର ଅମଳରେ ଯେଉଁ ଜଳସେଚନ ପ୍ରକଲ୍ପ ଗୁଡିକୁ ଟେଣ୍ଡର ହୋଇଥିଲା ତାହାକୁ ମନ୍ଦ ଉଦ୍ଦେଶ୍ୟ ରଖି ବାତିଲ କରାଯାଇଛି । ଲୋୟରସୁକତେଲ ଭଳି ପ୍ରକଲ୍ପଟିଏ ବିଜପିସରକାର କରିକି ଦେଖାଉ ବୋଲି ଟୁକୁନୀ ସାହୁ କହିଥିଲେ । ଜିଲ୍ଲାର ସମସ୍ତ ବିଜେଡିନେତା ଏକ ହୋଇ ବିଜେପି ସରକାରଙ୍କ ବିରୁଦ୍ଧରେ ଲଢାଇ କରିବୁ ବୋଲି ଶ୍ରୀମତୀ ସାହୁ କହିଥିଲେ । ଚାଷୀନେତା ଅକାଶ ମିଶ୍ର, ଲକ୍ଷ୍ମଣ ମେହେର ରାଜ୍ୟସରକାର ନିଜେ ଓ ତାଙ୍କ ମନ୍ତ୍ରୀଗଣ ନୌଟଙ୍କି କରି ଚାଷୀଙ୍କୁ ହଇରାଣ ହରକତ କରୁଥିବା ଅଭିଯୋଗ ଉଠାଇ ଥିଲେ । ସଭାରେ ଚାଷିଙ୍କ କଷ୍ଟଉପାର୍ଜିତ ଧାନରୁ କ୍ୱିଣ୍ଟାଲ ପ୍ରତି ୩ରୁ ୫କେଜି କଟନୀ କରାଯାଇ ଲୁଣ୍ଠନ କରୁଥିବା ଅଭିଯୋଗ ଉଠିଥିଲା । ୮୦୦ ଟଙ୍କା ଇନପୁଟ ଏକ ବୋଗସ ଓ ବିଳମ୍ବରେ ଧାନ କିଣିବାକୁ ସରକାରଙ୍କ କାର୍ଯ୍ୟକଳାପକୁ ନେତାଗଣ ନୀନ୍ଦା କରିଥିଲେ । ବିଜେପିଦଳ ତାର ନିର୍ବାଚନୀ ପ୍ରତିଶୃତି ପାଳନ କରୁନାହିଁ । ତେଣୁ ଜନଅସନ୍ତୋଷ ଲାଗିରହୁଛି । ଆଗାମୀ
ଦିନରେ ଲୋକଙ୍କ ସମସ୍ୟାକୁ ନେଇ ବିଜେଡି ଦଳ ତୀବ୍ର ଆନ୍ଦୋଳନ କରିବ ବୋଲି ଜିଲ୍ଲା ବିଜେଡିସଭାପତି ସରୋଜ ମେହେର କହିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସୁଶିଳ ଚାନ୍ଦ, ଗୋଲାପ ବାଗ , ଆଇଟିସେଲର ବିଭୂତି ଭୂଷଣ ମିଶ୍ର, ଲେଙ୍ଗା ସାହୁ,ଦେବଦତ୍ତ ବେହେରା, ନୀହାର ରଂଜନ ସ୍ୱାଇଁ, ସନ୍ତୋଷ ଦନ୍ତା, ସାଗରସଙ୍ଗମ ଶତପଥି, ପ୍ରଦ୍ୟୁମ୍ନ ହୋତା,ଗୁଞ୍ଜ ଖାନ,ସୁମନ ନନ୍ଦ, ଅମୃତ ପଣ୍ଡା,ଟିଟୁ ସାହୁ ପ୍ରମୁଖଙ୍କ ସହ ବିଜେଡିଦଳର ବହୁ କାର୍ଯ୍ୟକର୍ତ୍ତା ସାମିଲଥିଲେ ।