-+91-9937148622 |
prerana_bgr@rediffmail.com |
Friday 28th August 2026 |
R.N.I. Regd No. ODIODI/2010/46693
Breaking News
28-Aug-2026
ଭୁବନେଶ୍ୱର(ମୁରଲୀଧର ମିଶ୍ର): ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟରେ ଖାଦ୍ୟର ଗୁଣବତ୍ତା ଓ ସୁରକ୍ଷା ସୁନିଶ୍ଚିତ କରିବା ଲକ୍ଷ୍ୟରେ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ବ୍ୟାପକ ଯାଞ୍ଚ କରାଯାଉଛି । ଖାଦ୍ୟ ସୁରକ୍ଷା କମିଶନର ଡ଼ ପୋମା ଟୁଡୁଙ୍କ ତତ୍ୱାବଧାନରେ ଏହି ଅଭିଯାନରେ ରାଜ୍ୟର ବିଭିନ୍ନ ଜିଲ୍ଲା, ଉପଖଣ୍ଡ, ପୌରାଞ୍ଚଳ ଆଦି ଅଞ୍ଚଳରେ ଖାଦ୍ୟ ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକରେ ଯାଞ୍ଚ କରାଯାଇ ଅପମିଶ୍ରିତ ଖରାପ ଖାଦ୍ୟ ସାମଗ୍ରୀ ଗୁଡିକ ନଷ୍ଟ କରାଯିବା ସହ ସମ୍ପୃକ୍ତ ପ୍ରତିଷ୍ଠାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଆଜି ଯାଏଁ ଏହି ଅଭିଯାନରେ ମୋଟ ୩,୬୦୫ କିଲୋଗ୍ରାମ ଖରାପ ଖାଦ୍ୟ ସାମଗ୍ରୀ ନଷ୍ଟ କରାଯାଇଥିବା ବେଳେ ୪୭୫ଟି ଖାଦ୍ୟ ନମୁନା ପରୀକ୍ଷା ନିମନ୍ତେ ସଂଗ୍ରହ କରାଯାଇଛି । ଏହାସହିତ ମୋଟ ୨,୮୪,୫୦୦ ଟଙ୍କାର ଜରିମାନା ଆଦାୟ କରାଯାଇଛି ।
ସେଥିରୁ ବିଏମ୍ସି, ଭୁବନେଶ୍ୱର ଅଞ୍ଚଳରେ ସର୍ବାଧିକ ୭୮୭ କିଲୋଗ୍ରାମ ଖାଦ୍ୟ ସାମଗ୍ରୀ ନଷ୍ଟ କରାଯାଇଥିବା ସହ ୬୧ଟି ନମୁନା ସଂଗ୍ରହ ଏବଂ ୬୮,୫୦୦ ଟଙ୍କା ଜରିମାନା ଲଗାଯାଇଛି । ସେହିପରି କେଏମ୍ସି, କଟକରେ ୫୭୦ କିଲୋଗ୍ରାମ ଏବଂ ଆର୍ଏମ୍ସି, ରାଉରକେଲାରେ ୧୨୩ କିଲୋଗ୍ରାମ ଖାଦ୍ୟ ସାମଗ୍ରୀ ଅପମିଶ୍ରଣ ଯୋଗୁଁ ନଷ୍ଟ କରାଯାଇଛି।
ଜିଲ୍ଲାସ୍ତରରେ ମଧ୍ୟ ଜୋରଦାର ଅଭିଯାନ ମାଧ୍ୟମରେ ପୁରୀରେ ୧୨୦ କିଲୋଗ୍ରାମ, ବାଲେଶ୍ୱରରେ ୯୮ କିଲୋଗ୍ରାମ, ଢେଙ୍କାନାଳରେ ୯୫ କିଲୋଗ୍ରାମ, କେନ୍ଦ୍ରାପଡ଼ାରେ ୯୫ କିଲୋଗ୍ରାମ, ଏବଂ ସୁନ୍ଦରଗଡ଼ରେ ୭୦ କିଲୋଗ୍ରାମ ଖାଦ୍ୟ ସାମଗ୍ରୀ ନଷ୍ଟ କରାଯାଇଛି। କେନ୍ଦ୍ରାପଡ଼ାରେ ୪୪,୦୦୦ ଟଙ୍କା, ଢେଙ୍କାନାଳରେ ୨୮,୦୦୦ ଟଙ୍କା ଏବଂ ଭଦ୍ରକରେ ୩୧,୫୦୦ ଟଙ୍କା ଜରିମାନା ଲଗାଯାଇଛି ।
ଏହି ଅଭିଯାନ ମାଧ୍ୟମରେ ଉପଭୋକ୍ତାମାନଙ୍କୁ ସୁରକ୍ଷିତ ଓ ସ୍ୱଚ୍ଛ ଖାଦ୍ୟ ଯୋଗାଣ ନିଶ୍ଚିତ କରିବା ଏବଂ ଖାଦ୍ୟ ବ୍ୟବସାୟୀମାନଙ୍କ ମଧ୍ୟରେ ଖାଦ୍ୟ ସୁରକ୍ଷା ମାନଦଣ୍ଡ ପ୍ରତି ସଚେତନତା ବୃଦ୍ଧି କରିବା ଉପରେ ବିଭାଗ ଗୁରୁତ୍ୱ ଦେଇଛି । ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ଆଗାମୀ ଦିନରେ ଏଭଳି ଯାଞ୍ଚ ଓ ନିରୀକ୍ଷଣ ଅଭିଯାନ ଜାରି ରହିବ। ଉପଭୋକ୍ତାମାନଙ୍କୁ ମଧ୍ୟ ଖାଦ୍ୟ କିଣିବା ସମୟରେ ଗୁଣବତ୍ତା, ପରିଷ୍କାର-ପରିଚ୍ଛନ୍ନତା ଓ ଲେବେଲିଂ ଯାଞ୍ଚ କରିବାକୁ ବିଭାଗ ପକ୍ଷରୁ ସଚେତନ କରାଯାଇଛି ।