-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
30-Jan-2021
ବାଣପୁର (ପ୍ରେରଣା ଖବର): ରାଜ୍ୟର ବିଭିନ୍ନ ସ୍ଥାନରେ ମୂର୍ତ୍ତି ଚୋରି ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ରାଜସ୍ଥାନର ମୁକେଶ ଚନ୍ଦ୍ର ମୀନା, କୈଳାସ ମୀନା, ଚୁଟ୍ଟନ୍ ଏବଂ ମନୋଜ କୁମାର ମୀନା। ଏହି ସମସ୍ତ ଚୋର ଖାସ କରି ମୂର୍ତ୍ତି ଚୋରି କରିବା ପାଇଁ ଓଡ଼ିଶା ଆସନ୍ତି ବୋଲି ସୂଚନା ରହିଛି। ଓଡ଼ିଶାରେ ସେମାନେ ନିଜକୁ ବିଦ୍ୟୁତ୍ ଖୁଣ୍ଟି ଶ୍ରମିକ ଭାବେ ପରିଚୟ ଦେଇଥାନ୍ତି। ସେମାନେ ରାଜ୍ୟର ପ୍ରାୟ ୫-୬ ଜିଲ୍ଲାରେ ଥିବା ତାଙ୍କ ପରିଚିତ ଲୋକଙ୍କୁ ଯୋଗାଯୋଗ କରି ରାଜ୍ୟର ବିଭିନ୍ନ ସ୍ଥାନରୁ ମନ୍ଦିରରେ ପଶି ପଥର ଓ ଅନ୍ୟାନ୍ୟ ଧାତୁ ନିର୍ମିତ ମୂର୍ତ୍ତି ଚୋରି କରିବା ଯୋଜନା କରିଥାନ୍ତି। ୨୦୨୦ ମସିହା ଡିସେମ୍ବର ୨୨ ତାରିଖରେ ଗିରଫ ଅଭିଯୁକ୍ତମାନେ ଖୋର୍ଦ୍ଧା ଜିଲ୍ଲାର ବାଣପୁରର ବ୍ଲକ୍ ଅଧୀନରେ ଥିବା ପ୍ରସିଦ୍ଧ ଦକ୍ଷ ପ୍ରଜାପତି ମନ୍ଦିରରୁ ୨୨ଟି ମୂର୍ତ୍ତି ଚୋରି କରିଥିଲେ। ଅଭିଯୁକ୍ତମାନଙ୍କୁ ପୁଲିସ୍ ଗିରଫ କରିବା ସହ ସେମାନଙ୍କ ନିକଟରୁ ଦେବାଦେବୀଙ୍କ ମୂର୍ତ୍ତି, ଆଧାରକାର୍ଡ, ମୋବାଇଲ୍ ଫୋନ୍ ଏବଂ ଏୟାର୍ ବ୍ୟାଗ୍ ଆଦି ଜବତ କରିଛି।
ଏହି ମୂର୍ତ୍ତି ଚୋରି ଘଟଣାକୁ ନେଇ ତଦନ୍ତ ଆରମ୍ଭ ହୋଇଛି। ବିଭିନ୍ନ ଦଳ ମିଶି ଏହି ମାମଲାକୁ ବିଭିନ୍ନ ଦିଗରୁ ତଦନ୍ତ କରୁଛନ୍ତି। ଗତକାଲି ଅଭିଯୁକ୍ତ କୈଳାସକୁ ପୁଲିସ୍ ଖୋର୍ଦ୍ଧାର ବରୁଣେଇ ମନ୍ଦିର ଅଞ୍ଚଳରୁ ଗିରଫ କରିବା ପରେ ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବାରେ ପୁଲିସ୍ ସମର୍ଥ ହୋଇଛି। ପୁଲିସ୍ ସେମାନଙ୍କୁ ଧରି ପଚରାଉଚରା କରିବା ପରେ ସେମାନେ ରାଜ୍ୟରୁ ବହୁ ମୂର୍ତ୍ତି ଚୋରି କରିଥିବା ସ୍ବୀକାର କରିଛନ୍ତି। ମାତ୍ର ସବୁ ମୂର୍ତ୍ତି ସେମାନେ ଏକା ଥରକେ ଚୋରି କରିନାହାନ୍ତି। ସମସ୍ତ ଅଭିଯୁକ୍ତମାନଙ୍କୁ ଗିରଫ ପରେ କୋର୍ଟ ଫରୱାର୍ଡ କରାଯାଇଛି। ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ତଦନ୍ତ ଜାରି ରହିଛି।