-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
05-Oct-2025
ସମୟ ବଦଳିଛି କିନ୍ତୁ ସମାଜର ମାନସିକତା ବଦଳି ନାହିଁ l ଆଜି ମଧ୍ୟ ରେବତୀ ଟିଏ ନିଜର ଅଧିକାର ପାଇଁ ସଙ୍ଘର୍ଷ କରୁଛି l ରେବତୀ ନିଜ ଘର ଲୋକଙ୍କ ଦ୍ୱାରା ନିର୍ଯାତିତ ହେଉଥିଲା ଏବେକାର ରେବତୀ ମାନେ ସମାଜଦ୍ୱାରା ନିର୍ଯାତିତ ହେଉଛନ୍ତି l ନାରୀଟିଏ ତାର ଅଧିକାର ପାଇଁ ଲଢ଼ିବ କାହିଁକି ? ଯାହା ତାର ପ୍ରାପ୍ୟ ତାହାସେ ପାଇବା ଉଚିତ l ଏଥିପାଇଁ ଆବଶ୍ୟକ ମାନସିକତାରେ ପରିବର୍ତ୍ତନ l ବଲାଙ୍ଗୀର ର ଅଗ୍ରଣୀ ସାହିତ୍ୟ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ରଚନା ଦ୍ୱାରା ଆୟୋଜିତ ମନୋଜ କୁମାର ପଣ୍ଡା ସ୍ମାରକୀ ବକ୍ତୃତା ଓ ସର୍ଜନ ପୁରସ୍କାର ସମାରୋହ ରେ ଏହିମତ ପ୍ରକାଶ ପାଇଛି l
ସ୍ଥାନୀୟ ସରୋଜିନୀ ରେସିଡେଣ୍ଟସି ସଭାକକ୍ଷ ଠାରେ ବିଶିଷ୍ଟ କବି ପ୍ରହଲ୍ଲାଦ ଶତପଥୀଙ୍କ ସଭାପତିତ୍ୱରେ ଆୟୋଜିତ ସମାରୋହରେ ଅତିଥି ବକ୍ତା ଭାବରେ ଓଡିଶାର ସୁନାମଧନ୍ୟ ଗାଳ୍ପିକା ଡ଼ ସରୋଜିନୀ ସାହୁ ଯୋଗଦେଇ "ରେବତୀ, ଧୋବୀ ଓ ଗମ୍ଭୀରି ଘରର ନାୟିକାମାନେ "ଶୀର୍ଷକରେ ନିଜ ବକ୍ତବ୍ୟରେ ନାରୀବାଦୀ ମାନଙ୍କୁ ସମାଜରେ ଭିନ୍ନଦୃଷ୍ଟିରେ ନ ଦେଖି ,ସେମାନଂକୁ ବାମାବାଦୀ ନ କହି ବରଂ ମାନବବାଦୀ କହିବା ଆବଶ୍ୟକ କାରଣ ସେମାନେ ମାନବସମାଜର ଅର୍ଦ୍ଧେକ ଶରୀରର କଥା କହୁଛନ୍ତି l ରେବତୀ ଓ ଧୋବୀ ଚରିତ୍ର କୁ ଦୁଇ ଜଣ ଲେଖକ ଲେଖିଥିଲେ ଓ ଗମ୍ଭୀରି ଘରର ନାୟିକା ମାନଙ୍କ କଥାକୁ ଜଣେ ଲେଖିକା, ତେଣୁ ସେ ତାଙ୍କ ଅନ୍ତର୍ମନ କୁ ଭଲ ଭାବରେ ଅନୁଭବବି ପାରିଛନ୍ତି ବୋଲି ମତ ଦେଇଥିଲେ l
ଏହି ଅବସରରେ ବିଶିଷ୍ଟ ସାହିତ୍ୟିକା ଚିରଶ୍ରୀ ଇନ୍ଦ୍ରସିଂ ଙ୍କୁ ମନୋଜ କୁମାର ପଣ୍ଡା ସର୍ଜନ ପୁରସ୍କାର 2025 ସ୍ୱରୂପ ଉତ୍ତରୀୟ ମାନପତ୍ର ଓ 10,000 ଟଙ୍କା ପ୍ରଦାନ କରାଯାଇଥିଲା l ସଭା ଆରମ୍ଭରେ ଅତିଥି ମାନଙ୍କ ଦ୍ୱାରା ମନୋଜ ପଣ୍ଡାଙ୍କ ଫୋଟୋ ଚିତ୍ରରେ ପୁଷ୍ପ ପ୍ରଦାନ ପରେ ସୁନାମଧନ୍ୟ କଣ୍ଠଶିଳ୍ପୀ ଦୁଃଖିଶ୍ୟାମ ତ୍ରିପାଠୀ ଭଜନ ପରିବେଷଣ କରିଥିଲେ l ରଚନା ର ସମ୍ପାଦକ ବିଶିଷ୍ଟ କବି ଭାଗିରଥି ମିଶ୍ର ଅତିଥି ପରିଚୟ ଓ ପ୍ରାରମ୍ଭିକ ସୂଚନା ପ୍ରଦାନ ପରେ ସହ ସମ୍ପାଦକ ରତ୍ନମୟ ତ୍ରିପାଠୀ ଗାଳ୍ପିକ ପଣ୍ଡାଙ୍କ ଜୀବନୀ ଓ ସୃଜନ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ l ସମସ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ କବି ସସ୍ମିତା ନେପାକ l ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ରଚନାର ସଭାପତି ସନାତନ ଠାକୁର l ଏହି କାର୍ଯ୍ୟକ୍ରମ ରେ ପ୍ରଫେସର ମଧୁସୂଦନ ପତି, ସାହିତ୍ୟିକ କାଳିଦାସ ମିଶ୍ର, ସମାଜସେବି ଶ୍ରୀକର ମିଶ୍ର, ଗାଳ୍ପିକ ମଳୟ ମିଶ୍ର, ଗାଳ୍ପିକ ହୃଷିକେଶ ପୂଜାରୀ, ଅଭିନେତା ରତନ ମେହେର, ଅଧ୍ୟାପିକା ଆରତୀ ତ୍ରିପାଠୀ, ସୁଷମା ମଞ୍ଜରୀ ନାୟକ, ପ୍ରିୟମ୍ବଦା ହୋତା କବି ବିନତି ଶତପଥି, ତଥା ରଚନା ର ସମସ୍ତ ସଭ୍ୟ ଓ ସହର ର ଶତାଧିକ ସାହିତ୍ୟିକ ଓ ମନୋଜ ସାହିତ୍ୟ ପ୍ରେମୀ ଯୋଗଦେଇଥିଲେ l