-+91-9937148622 |
prerana_bgr@rediffmail.com |
Saturday 9th May 2026 |
R.N.I. Regd No. ODIODI/2010/46693
Breaking News
08-Apr-2025
ବଲାଙ୍ଗୀର(ପ୍ରେରଣା ଖବର): କୁଶମେଲ ଗ୍ରାମରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ପାଇଁ ନିମନ୍ତ୍ରିତ "ମାଁ କୁଶଙ୍ଗାଇ" ସୋମବାର କୁଶଙ୍ଗସ୍ଥିତ ନିଜ ମନ୍ଦିରକୁ ଏକ ଭବ୍ୟ ଶୋଭାଯାତ୍ରାରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପାଞ୍ଚ ଦିନ ପର୍ଯ୍ୟନ୍ତ ଦେବୀ କୁଶଙ୍ଗାଇଙ୍କୁ କନ୍ୟା ରୂପରେ ପାଇ ଭକ୍ତି ସହକାରେ ସେବା ପୂଜା କରିବାର ସୈାଭାଗ୍ୟ ଏବଂ ଆଶିର୍ବାଦ ପ୍ରାପ୍ତ କରି ଲୋକାଚାର ରୀତିନୀତି ଓ ପରଂପରା ଅନୁସାରେ ବିଦାୟ ଦେଇଥିଲେ। କୁଶମେଲ ବାସୀଙ୍କ ଆବେଗଭରା ଦିବ୍ୟ ଓ ଭବ୍ୟ ଶୋଭାଯାତ୍ରାରେ ହଜାର ହଜାର ସଂଖ୍ୟାରେ ମହିଳା ଓ ପୁରୁଷ ଶ୍ରଦ୍ଧାଳୁ କୁଶଙ୍ଗ ଅଭିମୁଖେ ଯାତ୍ରା କରିଥିଲେ। ପ୍ରକାଶ ଥାଉକି "ମାଁ କୁଶଙ୍ଗାଇ"ଙ୍କ ଜନ୍ମ ପୀଠ ହେଉଛି ନିକଟସ୍ଥ କୁଶମେଲ ଗ୍ରାମ ଯାହାକି କେଉଁ ଆବାହମାନ କାଳରୁ କିମ୍ବଦନ୍ତୀ ଓ ଜନଶ୍ରୁତି ରହିଆସିଛି। ଅପରାହ୍ନରେ ଏହି ଶୋଭାଯାତ୍ରା ଆରମ୍ଭ ହୋଇ ସଂନ୍ଧ୍ୟାରେ ତଲିଉଡାର ଗ୍ରାମକୁ ପହଞ୍ଚିଥିଲା। ସେଠାରେ ମଧ୍ୟ ଉକ୍ତ ଗ୍ରାମର ଗ୍ରାମବାସୀ ମାନେ ଦେବୀଙ୍କର ଚଳନ୍ତି ଠାକୁରାଣୀ "ଛତ୍ର ବାଉତି" ଙ୍କୁ ପୂଜାର୍ଚ୍ଚନା ପୂର୍ବକ ସ୍ବାଗତ କରିଥିଲେ। ଏହି ସମୟରେ ତଲିଉଡାର ଠାରୁ କୁଶଙ୍ଗ ପର୍ଯ୍ୟନ୍ତ ରାସ୍ତା ଲୋକାରଣ୍ୟ ହୋଇଯାଇଥିଲା। ମାଁ ଙ୍କ ର ଜୟ ଜୟ କାର ଧ୍ଵନି ରେ ଅପୂର୍ବ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। କୁଶଙ୍ଗ ଗାଁ ମୁଣ୍ଡରେ ପହଞ୍ଚିବା ପରେ ଆନନ୍ଦ ଉଲ୍ଲାସର ସହ ଗ୍ରାମ ବାସୀ ମାଁ ଙ୍କ ର ପ୍ରତ୍ୟାବର୍ତ୍ତନ କୁ ସ୍ଵାଗତ କରିଥିଲେ। ମନ୍ଦିର ରେ ଦେବୀ ଙ୍କ ପ୍ରବେଶ ପରେ ଶୋଭାଯାତ୍ରାରେ ଆସିଥିବା ଭକ୍ତ ମାନଙ୍କୁ ଆତିଥ୍ୟ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ କୁ କୁଶଙ୍ଗ ଓ କୁଶମେଲ ଗ୍ରାମ ବାସୀ ତଥା କୁଶଙ୍ଗାଇ ମନ୍ଦିର କମିଟି ଶାନ୍ତି ଶୃଙ୍ଖଳାର ସହ ପରିଚାଳନା କରିଥିଲେ।