-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
15-Nov-2024
ବୀରମହାରାଜପୁର,( ବିନୋଦ ପାଣ୍ଡେ): ପବିତ୍ର କାର୍ତ୍ତିକ ମାସର ଅନ୍ତିମ ପର୍ଯ୍ୟାୟ ପଞ୍ଚୁକ ଶେଷ ଦିନରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅଞ୍ଚଳର ବିଭିନ୍ନ ଗ୍ରାମରେ ନାମ ସଂକୀର୍ତ୍ତନ ଓ ଭକ୍ତି ରସାତ୍ମକ ଉତ୍ସବାନୁଷ୍ଠାନର ପରିସମାପ୍ତି ଘଟିଛି। ଏହା ସାଙ୍ଗକୁ ଉଦଯାପିତ ହୋଇଯାଇଛି। ବ୍ରତ ଧାରି ହବିଶ୍ୟାଳୀ ମାନଙ୍କ ମାସ ବ୍ୟାପୀ ନିଷ୍ଠାଭରା ସାମ୍ବତ୍ସରିକ ବ୍ରତ ଉଦଯାପିତ ହୋଇଯାଇଛି। କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଅଞ୍ଚଳରେ ବିଭିନ୍ନ ଶୈବପୀଠରେ ଶ୍ରଦ୍ଧାଳୁ ଙ୍କ ବିଶେଷ ସମାବେଶ ହୋଇଥିଲା। ବିଶେଷତଃ ଜଟେସିଂହା ପଞ୍ଚାୟତ ଅନ୍ତର୍ଗତ ମହାନଦୀ କୂଳରେ ଅବସ୍ଥିତ ପ୍ରାଚୀନ ତଥା ପ୍ରସିଦ୍ଧ ବାବା ଗୋଧନେଶ୍ଵର ଶୈବପୀଠ ଠାରେ ମହାଦେବ ଙ୍କ ଦର୍ଶନ ପାଇଁ ବହୁ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା। ଭୋର ୩ ଟା ସମୟରୁ ମହାଦେବଙ୍କ ରୀତିକାନ୍ତି ପରେ ସର୍ବସାଧାରଣଙ୍କ ଦର୍ଶନ ହୋଇଥିଲା। ଏଥିରେ ସମସ୍ତ ଭକ୍ତ ଶାନ୍ତି ଶୃଙ୍ଖଳା ସହ ଯାଇ ମହାଦେବ ଙ୍କ ଦର୍ଶନ ଲାଭ କରିଥିଲେ। ସେହିପରି ସୁରୁବାଲି ଜୋର କୂଳରେ ଅବସ୍ଥିତ ପ୍ରାଚୀନ ଶିବାଳୟ ସୁନାରୀବେନୀ ସ୍ବପ୍ନେଶ୍ଵର ମନ୍ଦିର, ବୀରମହାରାଜପୁର ସ୍ଥିତ ଚମେଶ୍ଵର ମନ୍ଦିର,ଟିଠିପାଲି ସ୍ଥିତ ରାମେଶ୍ବର ମନ୍ଦିର ରେ ଦିନ ତମାମ ଶ୍ରଦ୍ଧାଳୁ ତଥା ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା। ଭକ୍ତି ମୟ ପରିବେଶ ମଧ୍ୟରେ ଦେବାଦେବୀଙ୍କୁ ଦର୍ଶନ କରି ଆବାଳବୃଦ୍ଧବନିତା ଦୀପ ଦାନ ଓ ପୂଜାର୍ଚ୍ଚନା ମାଧ୍ୟମରେ ଆଶିଷ କାମନା କରିଥିଲେ। ଏଥି ଯୋଗୁଁ ସବୁ ଦେବାଳୟ ଉତ୍ସବ ମୁଖର ଉଠିଥିଲା।