-+91-9937148622 |
prerana_bgr@rediffmail.com |
Wednesday 19th August 2026 |
R.N.I. Regd No. ODIODI/2010/46693
Breaking News
07-Jan-2021
ବଲାଙ୍ଗୀର, (ପ୍ରେରଣା ଖବର) : ଟିଟିଲାଗଡ ଥାନା ଅନ୍ତର୍ଗତ ଟିକ୍ରାପଡା ଗ୍ରାମର ଜଣେ ମହିଳା କ୍ୟାନ୍ସରରେ ପୀଡ଼ିତ ହୋଇ ଗୁରୁତର ଅବସ୍ଥାରେ ଅର୍ଥ ଅଭାବ ଯୋଗୁଁ ଯନ୍ତ୍ରଣାରେ ଛଟପଟ ହୋଇ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଥିବାବେଳେ ପ୍ରଶାସନିକ ସହାୟତାକୁ ଚାହିଁ ରହିଛନ୍ତି । ପ୍ରକାଶ ଯେ, ଟିକ୍ରାପଡା ଗ୍ରାମର ଚାବିଲା ଜାନୀ(୫୭) ନାମ୍ନୀ ଏହି ମହିଳା ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବା ବେଳେ ତାଙ୍କ ପେଟ ଯନ୍ତ୍ରଣା ଯୋଗୁଁ ଡାକ୍ତରଙ୍କ ନିକଟକୁ ଯାଇଥିଲେ । ପ୍ରାୟ ଛଅ ମାସ ହେଲା ଉକ୍ତ ଯନ୍ତ୍ରଣା ଭୋଗ କରି ଶେଷରେ ତାଙ୍କୁ କ୍ୟାନ୍ସରରେ ପୀଡିତ ଥିବା ଜଣାଯାଇଥିଲା । ଏହି ସମୟ ସୀମାରେ ସେ ତାଙ୍କ ଘର ବନ୍ଧା ସହ ନିଜ ଜମି ବିକ୍ରି କରି ସବୁ ନିଜ ଚିକିତ୍ସା ରେ ସାରି ଦେଇଥିବା ବେଳେ ଏବେ ଚିକିତ୍ସା ପାଇଁ ଅର୍ଥ ପ୍ରତିବନ୍ଧକ ସାଜିଛି । ତାଙ୍କର ପରିବାରରେ ରୋଜଗାର କ୍ଷମ ବ୍ୟକ୍ତି କେହି ନଥିବା ବେଳେ ସେ ଅର୍ଦ୍ଧାହର ସହ ଯନ୍ତ୍ରଣା ରେ ଛଟପଟ ହେଉଥିବା ଦେଖାଯାଇଛି l ତୁରନ୍ତ ଚିକିତ୍ସା କରନଗଲେ ରୋଗୀଙ୍କ ଜୀବନ ପ୍ରତି ବିପଦ ଅଛି ବୋଲି ଡାକ୍ତର କହିଛନ୍ତି । ଅସହାୟ ମହିଳା ଜଣକ ସାତ ଦିନ ହେଲା ଟିଟିଲାଗଡ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ସାକ୍ଷାତ ପାଇପାରୁ ନ ଥିବା କାନ୍ଦିକାନ୍ଦି ଆମ ନିକଟରେ ପ୍ରକାଶ କରିଛନ୍ତି । ଏହି ମହିଳା ନିଜେ ସକାଳୁ ସଞ୍ଜ ଯାଏଁ ତାଙ୍କ କାର୍ଯ୍ୟାଳୟ ନିକଟରେ ଜଗି ରହି ଥିବା ବେଳେ ସାକ୍ଷାତ କରିପାରୁ ନ ଥିବା ଜଣାଇଛନ୍ତି । ତେବେ ପ୍ରତିଦିନ ନିଜ କାର୍ଯ୍ୟାଳୟକୁ ନଆସି ମନଇଚ୍ଛା ଆସି ତୁରନ୍ତ ଚାଲିଯାଉଥିବା ଓ ଦୂର,ଦୁରାନ୍ତ ରୁ ଲୋକେ ଆସି ନିଜ ଗୁହାରି ନ ଜଣାଇପାରି ନିରାଶ ହୋଇ ଫେରିବା ସାର ହେଉଛି । ଏ ନେଇ ସାଧାରଣ ରେ ତୀଵ୍ର ଅସନ୍ତୋଷ ପ୍ରକାଶ ପାଇଛି । ତେବେ ଏହି ମହିଳା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ବର୍ତ୍ତମାନ ସୁଦ୍ଧା ଦୟନୀୟ ଅବସ୍ଥାରେ ପଡିରହି ଥିବା ବେଳେ ତୁରନ୍ତ ପ୍ରଶାସନ ତରଫରୁ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦୃଢ଼ ଦାବି ହୋଇ ଆସୁଛି ।