-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
04-Oct-2024
ବରଗଡ:(ନିରଞ୍ଜନ ତ୍ରିପାଠୀ)--ବରଗଡ ଜିଲ୍ଲା ବିଜେପୁର ସହରରେ ସାର୍ବଜନୀନ ନବଦୁର୍ଗା ପୂଜା ବିଲ୍ବବରଣ ଖଣ୍ଡାଧୁଆ ପର୍ବ ପୂଜା ଆରମ୍ଭ ହୋଇଯାଇଛି ।ବୁଧବାର ଅପରାହ୍ନରେ ଜମିଦାରଙ୍କ ବାସଭବନରୁ ଖଣ୍ଡାଧୁଆ ପର୍ବ ଆରମ୍ଭ ହୋଇ ଏକ ଭବ୍ୟ ଶୋଭାଯାତ୍ରାରେ ଘଣ୍ଟବାଦ୍ୟ,ଦୁଲଦୁଲି ବାଜାର ତାଳେ ତାଳେ ଦାମୋଦର ପୋଖରୀ କୁ ପହଞ୍ଚି ଥିଲା ।ଖଣ୍ଡାଧୁଆ ସହ କୁଷ୍ମାଣ୍ଢ ବଳି ଦିଆଯାଇ ପୁର୍ଣ୍ଣ କଳସ ଆଣି ପୂଜାମଣ୍ଡପରେ କଳାଧିବାସ କରାଯାଇଥିଲା । ଗୁରୁବାର ରୀତିନୀତି ସହକାରେ ଦେବୀ ଙ୍କୁ ଆବାହନ କରି ମାଦୁର୍ଗାଙ୍କ ମୃଣ୍ମୟୀ ପ୍ରତିମାଙ୍କ ପୂଜାର୍ଚ୍ଚନା କରାଯାଇଥିଲା ।ଦ୍ବାରପାଳ ପୂଜା, ସୂର୍ଯ୍ୟ ପୂଜା ସହ ପ୍ରଥମ ଦିବସରେ ଶୈଳପୂତ୍ରୀ ଦେବୀଙ୍କ ପୂଜାର୍ଚ୍ଚନା କରାଯାଇଥିଲା ।ବିଜେପୁର ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ତଥା ଜମିଦାର ସନତ କୁମାର ଗଡତୀୟା କର୍ତ୍ତା ରହିଥିବାବେଳେ ସରୋଜ କୁମାର ସାହୁ ,ନବୀନ ସାହୁ, ତାପସ କୁମାର କର୍ତ୍ତା ଦାୟିତ୍ୱ ତୁଲାଉଛନ୍ତି ।ରାଜପୁରୋହିତ କିଶୋର ଚନ୍ଦ୍ର ପୂଜାରୀ ମୁଖ୍ୟ ତଥା ଚଣ୍ଡୀପାଠକ,ସୁରେନ୍ଦ୍ର ମହାପାତ୍ର ପୁସ୍ତକାଚାର୍ଯ୍ୟ ରହିଛନ୍ତି।ଚଣ୍ଡୀହୋମ,ଆରତୀ ପୁଷ୍ପାଞ୍ଜଳୀ ସହ ପୁରୋହିତଙ୍କ ବେଦମନ୍ତ୍ର ପାଠ,ଘଣ୍ଟଶଙ୍ଖ ଧୂପ ଗୁଗୁଲର ମହମହ ସୁବାସିତ ବାସ୍ନାରେ ଏକ ଅପୁର୍ବ ଭକ୍ତି ଭାବମୟ ପରିବେଶ ସୃଷ୍ଟି ହେଉଛି ।ସନ୍ଧ୍ୟାରେ ଦୃଷ୍ଟି ବାଧକ ଙ୍କ ଭଜନ ସମାରୋହ ପରିବେଷଣ ହୋଇଥିଲା ।ପ୍ରତ୍ୟହ ବିଭିନ୍ନ ସାଂସ୍କୃତିକ ପରିବେଷଣ ହେବ ବୋଲି ସମ୍ପାଦକ ଶ୍ରୀମାନ ଜନାର୍ଦ୍ଦନ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।ସଭାପତି ବିଧାୟକ ଶ୍ରୀ ଗଡତୀୟା, କୋଷାଧ୍ୟକ୍ଷ ଗଙ୍ଗାଧର ପଧାନ,ଅଜିତ କୁମାର ସାହୁ, ରଜନୀକାନ୍ତ ଗଡତୀୟା, ପାଣ୍ଡବ ପ୍ରଧାନ,ସୁବ୍ରତ ରଥ,ହୃଷୀକେଶ ମେହେର ,ତାପସ ଗଡତୀୟା, ତ୍ରିଲୋଚନ ମେହେର ପ୍ରମୁଖ ବିଜେପୁର ବାସୀ ପୂଜାକାର୍ଯ୍ୟରେ ସହଯୋଗ କରୁଛନ୍ତି ।