-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
29-Sep-2024
ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ଆଜି ସ୍ଥାନୀୟ ସମତା ଭବନ ବରଗଡ଼ ଠାରେ ପଶ୍ଚିମ ଓଡିଶା କୃଷକ ସଂଗଠନ ସମନ୍ବୟ ସମିତିର , ଗନ୍ଧମାର୍ଦ୍ଦନ ସୁରକ୍ଷା ଆନ୍ଦୋଳନ , ନାଅମଗିରି ସୁରକ୍ଷା ଆନ୍ଦୋଳନର ଜଣେ ବରିଷ୍ଠ ନେତା ନିରଞ୍ଜନ ବିଦ୍ରୋହୀଙ୍କ ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି। ଗତ ୨୪ ସେପ୍ଟେମ୍ବର ୨୦୨୪ ରେ ବିଶାଖାପାଟଣାର ଏକ ଘରୋଇ ଡାକ୍ତରଖାନା ରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ଦେହାନ୍ତର ହୋଇଯାଇଥିଲା । ଏହି ଶ୍ରଦ୍ଧାଞ୍ଜଳୀ ସଭା ରେ ପଶ୍ଚିମ ଓଡିଶା କୃଷକ ସଂଗଠନ ସମନ୍ବୟ ସମିତିର ଆବାହକ ଲିଂଗରାଜ ଯୋଗଦେଇ କହିଥିଲେ ଯେ ସାଥୀ ନିରଞ୍ଜନ ବିଦ୍ରୋହୀ ଜୟପ୍ରକାଶ ନାରାୟଣ ଙ୍କ ଆନ୍ଦୋଳନ ସମୟରୁ କିଶନ ପଟ୍ଟନାୟକ ଙ୍କ ଆଦର୍ଶ ଅନୁପ୍ରାଣିତ ହୋଇ ଛାତ୍ରଯୁବା ସଂଘର୍ଷ ବାହିନୀ ର ଜଣେ ଛାତ୍ର ନେତା ଥିଲେ। ସେହି ସମୟର ଆନ୍ଦୋଳନ ର ପ୍ରଭାବ ରେ ସେ ତାଙ୍କ ଜାତିଗତ ପରିଚୟକୁ ବାଦ ଦେଇ ନିରଞ୍ଜନ ବିଦ୍ରୋହୀ ଲେଖିବା ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ଐତିହାସିକ ଗନ୍ଧମାର୍ଦ୍ଦନ ସୁରକ୍ଷା ଆନ୍ଦୋଳନର ଢଣେ ପ୍ରମୁଖ କର୍ମୀ ତଥା ନେତା ଥିଲେ। ଗନ୍ଧମାର୍ଦ୍ଦନ ସୁରକ୍ଷା ଆନ୍ଦୋଳନ ଠାରୁ ଆରମ୍ଭ କରି ନିୟମଗିରି ସୁରକ୍ଷା ଆନ୍ଦୋଳନ ସହିତ ପଶ୍ଚିମ ଓଡିଶା କୃଷକ ସଂଗଠନ ସମନ୍ବୟ ସମିତିର ଜଣେ ଆଗଧାଡିର ନେତା ଥିଲେ। ସାଥୀ ନିରଞ୍ଜନ ବିଦ୍ରୋହୀ ତାଙ୍କ ଶେଷ ଜୀବନ ପର୍ଯ୍ୟନ୍ତ ଚାଷୀ ମାନଙ୍କ ସ୍ବାର୍ଥରେ ଲଢେଇ ସଂଘର୍ଷ କରି ଆସିଥିଲେ। ଏପରି ଜଣେ ବୈଚାରିକ ସାଥୀଙ୍କ ବିୟୋଗରେ କଳାହାଣ୍ଡି ସହ ସମଗ୍ର ପଶ୍ଚିମ ଓଡିଶାରେ ଚାଷୀ ଆନ୍ଦୋଳନ ପାଇଁ ଅପୂରଣୀୟ କ୍ଷତି ବୋଲି ମତବ୍ଯକ୍ତ କରିଥିଲେ। ଏହି ଶ୍ରଦ୍ଧାଞ୍ଜଳୀ ସଭାରେ ଜୟ କିସାନ ଆନ୍ଦୋଳନର ବରିଷ୍ଠ ନେତା ଶ୍ରୀ ଶିବ ପ୍ରସାଦ ପ୍ରଧାନ, ଜିଲ୍ଲା ସଭାପତି ସୁଶୀଲ କୁମାର ସାହୁ, ସାଧାରଣ ସଂପାଦକ ହର ବଣିଆଁ, ଅରୁଣ କୁମାର ସାହୁ, ମହେଶ୍ବର ପ୍ରଧାନ, ସୀତାରାମ ମେହେର କିଶୋର ସାହୁ, ଭଞ୍ଜନ ବାରିକ ପ୍ରମୁଖ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହିତ ସ୍ମୃତି ଚାରଣ କରିଥିଲେ।