-+91-9937148622 |
prerana_bgr@rediffmail.com |
Wednesday 30th September 2026 |
R.N.I. Regd No. ODIODI/2010/46693
Breaking News
22-Sep-2024
ରାଜନୈତିକ ଇଚ୍ଛାଶକ୍ତିର ଅଭାବ ସାଙ୍ଗକୁ ପ୍ରଶାସନିକ ଅଧିକାରୀଙ୍କ ବୈମାତୃକ ମନୋଭାବ
ଡୁଙ୍ଗୁରିପାଲି(ଅରବିନ୍ଦ ମିଶ୍ର)- ୨୬ନମ୍ବର ବରଗଡ-ବୋରିଗୁମ୍ମା ଜାତୀୟ ରାଜପଥ । ପଶ୍ଚିମ ଓଡିଶାର ଏକ ବ୍ୟସ୍ତ ବହୁଳ ରାଜପଥ ଭାବରେ ଜଣାଶୁଣା । ପଶ୍ଚିମ ଓଡିଶାର ବୁଲା ମେଡିକାଲ ଉପରେ ଏହି ଅଂଚଳର ଲୋକେ ନିର୍ଭରକରି ଥାନ୍ତି । ତେଣୁ ଭବାନୀପାଟଣାଠାରୁ ଆରମ୍ଭ କରି କେସିଙ୍ଗା, ସଇଁତଲା, ଟିଟିଲାଗଡ, କଣ୍ଟାବାଞ୍ଜି, ବଲାଙ୍ଗିର, ପାଟଣାଗଡ, ବଲାଙ୍ଗିର,ସୋନପୁର ପ୍ରଭୃତି ଅଂଚଳରୁ ସମ୍ବଲପୁର ଏବଂ ବୁର୍ଲା ଡାକ୍ତରଖାନାକୁ ଏହି ରାସ୍ତା ଦେଇ ଯିବା ଆସିବା କରୁଛନ୍ତି । ଉକ୍ତ ଜାତୀୟ ରାଜପଥ ବରଗଡରୁ ବରପାଲି ପର୍ଯ୍ୟନ୍ତ ଚାରିଥାକିଆ ହୋଇଥିବା ବେଳେ ବରପାଲିରୁ ବୋରିଗୁମ୍ମା ପର୍ଯ୍ୟନ୍ତ ସଂପ୍ରସାରଣ ହୋଇଅଛି । ଏହି ସଂପ୍ରସାରଣ ରାସ୍ତା କାମ କାମ ବଲାଙ୍ଗିର ଜିଲ୍ଲା ଏବଂ ବରଗଡ ଜିଲ୍ଲା ମଧ୍ୟରେ କାମ ସରିଯାଇଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲାର ଚେରୁପାଲିଠାରୁ ଚିନାଯୁରୀ ପର୍ଯ୍ୟନ୍ତ ୧୨କିମି କାମ ଆରମ୍ଭ ହୋଇ ଡୁଙ୍ଗୁରିପାଲି ଏଫସିଆଇଠାରୁ ଡୁଙ୍ଗୁରିପାଲି ଶିଶୁ ମନ୍ଦିର ଛକ ୪କିମି ରାସ୍ତା ବନ୍ଦ ରହିଛି । ଡୁଙ୍ଗୁରିପାଲି ସହର ମଝୀରେ ଅଧପନ୍ତରିଆ ଭାବେ ଡ୍ରେନ କାମ ବନ୍ଦ ରହିଛି । ଏହି କାମ ବନ୍ଦ ରହିବା ଅଭିଯୋଗ ହେବାରୁ ତତ୍କାଳୀନ ଜିଲ୍ଲାପାଳ ବିମଳେନ୍ଦୁ ରାୟ, ଏନଏଚ ବିଭାଗର ଅଧିକାରୀମାନେ ଆସି ନଭେମ୍ବର ୨୦୨୩ ସୁଦ୍ଧା କାମ ଶେଷ କରାଯିବ ବୋଲି କହିଥିଲେ ମଧ୍ୟ କାମ ଏପର୍ଯ୍ୟନ୍ତ ଇଞ୍ଜେ ମଧ୍ୟ ଆଗକୁ ବ ଢି ନାହିଁ । ରାସ୍ତା ନିର୍ମାଣ କିମ୍ବା ମରାମତି ନ ହେବାରୁ ଉକ୍ତ ୪କିମି ରାସ୍ତାସାରା ଖାଲ ରହିଛି ।ପ୍ରତ୍ୟେହ ଛୋଟବଡ ଦୁର୍ଘଟଣା ଘଟୁଛି । ବର୍ଷାହେଲେ ପାଣି ଭର୍ତ୍ତିଖାଲକୁ ଠିକ୍ ଭାବରେ ବୁଝି ନପାରି ବାଇକଠାରୁ ଆରମ୍ଭ କରି ଚାରିଚକିଆ ଯାନ ମଧ୍ୟ ଦୁର୍ଘଟଣା ଗ୍ରସ୍ତ ହେଉଛି । ରାସ୍ତାକୁ ଦେଖିଲେ କେହି ମଧ୍ୟ ଜାତୀୟ ରାଜପଥ ବୋଲି କହିବେ ନାହିଁ । ଉକ୍ତ ୪କିମି ରାସ୍ତାକୁ ଅଧଘଣ୍ଟାରୁ ଅଧିକ ସମୟ ଲାଗୁଛି । ଚାଳକ କେଉଁ ଖାଲ ଦେଇ କିପରି ଗାଡି ପାର କରିବ ସେ ଚିନ୍ତା କରିପାରୁ ନାହିଁ । ଗ୍ରାମାଞ୍ଚଳରଏକ ପାହାଡିଆ ରାସ୍ତାରୁ ଏହା ଅତି ନିମ୍ନମାନର ହୋଇଅଛି । ଏହାକୁ ନେଇ ଅଂଚଳବାସୀ ପ୍ରଶାସନ, ବିଭଗୀୟ ଅଧିକାରୀଙ୍କଠାରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା । ତେଣୁ ବାଧ୍ୟ ହୋଇ ଦୁଇ ଦିନ ଧରି ଅଂଚଳବାସୀ ଆନ୍ଦୋଳନ, ଧାରଣା ଏବଂ ରାସ୍ତାରୋକ କରିଥିଲେ । ଏହାକୁ ତତ୍କାଳୀନ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ବେଆଇନ କହି ଆନ୍ଦୋଳନକାରୀଙ୍କୁ ନାଳୀ ଆଖି ଦେଖାଇଥିଲେ ଏବଂ ପ୍ରାୟ ୩୦ରୁ ୪୦ ଜଣଙ୍କ ନାମରେ ରାସ୍ତା ଅବରୋଧ ମାମଲା ଋଜୁ କରିଥିଲେ । ଶେଷରେ ଆନ୍ଦୋଳନକାରୀଙ୍କୁ ଜିଲ୍ଲାପାଳ ସୋନପୁର ଡକାଇ ବିଭାଗୀୟ ଅଧିକାରୀମାନଙ୍କ ସହିତ ଆଲୋଚନା କରି ୨୦୨୩ସୁଦ୍ଧା କାମ ଶେଷ ହେବାକୁ ଲିଖିତ ପ୍ରତିଶୃତି ଦେଇଥିଲେ । ପରବର୍ତ୍ତି ସମୟରେ ଜିଲ୍ଲାପାଳଙ୍କ ବଦଳୀ ପରେ ନୂତନ ଜିଲ୍ଲାପାଳଙ୍କଠାରେ ବଣିକ ସଂଘ ପକ୍ଷରୁ ଅଭିଯୋଗ ଶୁଣାଣିରେ ଗୁହାରୀ କରିଥିଲେ ମଧ୍ୟ ତାହା ବି ବିଫଳ ହୋଇଅଛି । ବିଶେଷ କରି ରାସ୍ତାର ଦୂରାବସ୍ତାକୁ ନେଇ ସାମାଜିକ ଗଣମାଧ୍ୟରେ ବିଭିନ୍ନ ସମୟରେ ବିଜେଡି ଏବଂ ବିଜେପି କର୍ମୀ ମଧ୍ୟରେ କାଦୁଆ ଫିଙ୍କା ଚାଲିଛି । ଉଭୟ ଦଳ ପରସ୍ପର ଅନ୍ୟକୁ ଦୋଷ ଦେବାର ଲାଗିଥିବା ବେଳେ ନିଜ ଦଳର ନେତାକୁ ପଦେ କହିପାରିନାହାନ୍ତି । ୨୪ ବର୍ଷର ବିଜେଡି ସରକାରର ବିଭିନ୍ନ ଗୁରୁତ୍ୱ ପୂର୍ଣ୍ଣ ବିଭାଗର ମନ୍ତ୍ରୀ ତଥା ବାଚସ୍ପତୀ ଭଳି ପଦବୀରେ ନିରଞ୍ଜନ ପୁଜାରୀ ରହିଥିଲେ ମଧ୍ୟ ତାଙ୍କ ନିର୍ବାଚନ ମଣ୍ଡଳୀ ତଆ ନିଜ ବ୍ଲକର ଏପରି ଅବସ୍ଥା ଦେଖିଲେ ଜନତା କଣ ଭାବୁଥିବେ ତାଙ୍କୁ ହିଁ ଜଣା । ଆହୁରି ମଧ୍ୟ ବଲାଙ୍ଗିର ସାଂସଦ ଭାବରେ ସଙ୍ଗୀତା ସିଂହଦେଓଙ୍କ ଦବ୍ ଦବା ରହିଛି । କେନ୍ଦ୍ରରେ ତାଙ୍କର ସରକାର ରହିଛି । ଜାତୀୟ ରାଜପଥ ତାଙ୍କ ଅଧିନରେ । ସେ ଗର୍ଜନ କଲେ ୨୪ଘଣ୍ଟା ମଧ୍ୟରେ ରାସ୍ତା ହୋଇପାରିବ ବୋଲି ଲୋକେ ଆଲୋଚନା କରୁଛନ୍ତି । ତାଙ୍କର ଏଥିପ୍ରତି ଧ୍ୟାନ ରହିଛି କି ନାହିଁ ତାହା ବି ତାଙ୍କୁ ଜଣା । ରାଜ୍ୟ କି କେନ୍ଦ୍ର କାହାର କାମ ସାଧାରଣ ଜନତା ବୁଝିବେ କାହିିଁକି । ସେମାନେ ଯାହାକୁ ଭୋଟ ଦେଇ ନିର୍ବାଚିତ କରିଛନ୍ତି । ସେମାନଙ୍କଠାରୁ ଉତ୍ତରଦାୟୀ କରିବେ । ଉଭୟ ଦଳର କର୍ମୀମାନେ ମଧ୍ୟ ସାମାଜିକ ଗଣମାଧ୍ୟରୁ ବାହାରି ନିଜ ନିଜ ଦଳର ନେତା ବା ନିର୍ବାଚିତ ପ୍ରତିନିଧିମାନଙ୍କୁ ଅବଗତ କରାଇ ରାସ୍ତାକାମ କଲେ ଅଂଚଳବାସୀ ଉପକୃତ ହେବେ । କଂଗ୍ରେସ ଦଳର ମଧ୍ୟରୁ କୌଣସି ପ୍ରତିକ୍ରୀୟା ମଧ୍ୟ ଦେଖା ଯାଉ ନାହିଁ । ଉକ୍ତ ରାସ୍ତା ଦେଇ ବାହାର ଅଂଚଳର ଲୋକେ ଯିବା ଆସିବା ବେଳେ କଦର୍ଯ୍ୟ ଭାଷାରେ ଏଠିକାର ସ୍ଥାନୀୟ ଲୋକେ, ସଚେତନ ବ୍ୟକ୍ତି, ନିର୍ବାଚିତ ଜନପ୍ରତିନିଧି, ପ୍ରସାଶନକୁ ଆରୋକ କରୁଛନ୍ତି । ବିଭିନ୍ନ ଭାଷାରେ ସେମାନେ କଟୁ ସମାଲୋଚନାକରିବା ମଧ୍ୟ ପଛାଉ ନହାନ୍ତି । ରାସ୍ତା ନିର୍ମାଣରେ ଅବହେଲା ହେଲେ ବା କୌଣସି ମୁହୁର୍ତ୍ତରେ କିଛି ଅଘଟଣ ଘଟିଲେ ଲୋକମାନଙ୍କ ଭିତରେ ରହିଥିବା ପୁଞ୍ଜିଭୁତ ଅସନ୍ତୋଷ ଏକ ବିରାଟ ଆନ୍ଦୋଳନର ରୂପ ନେବ ।