-+91-9937148622 |
prerana_bgr@rediffmail.com |
Wednesday 24th June 2026 |
R.N.I. Regd No. ODIODI/2010/46693
Breaking News
17-Jun-2024
ବଲାଙ୍ଗୀର(ପ୍ରେରଣା ଖବର): ବଲାଙ୍ଗୀର ଜିଲ୍ଲାର ଲୋଇସିଂହା ବିଧାୟକ ଡ.ମୁକେଶ ମହାଲିଙ୍ଗ ରାଜ୍ୟମନ୍ତ୍ରୀମଣ୍ଡଳରେ ଏକ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟମନ୍ତ୍ରୀ ପଦବୀ ପାଇଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ,ସଂସଦୀୟ ବ୍ୟାପର,ସୂଚନା ବୈଷୟିକମନ୍ତ୍ରୀ ପଦ ମିଳିବା ପରେ ସେ ପ୍ରଥମ କରି ବଲାଙ୍ଗୀର ଜିଲ୍ଲାକୁ ଗସ୍ତ କରିଛନ୍ତି । ଐହି ଅବସରରେ ତାଙ୍କୁ ତାଙ୍କ ନିର୍ବାଚନମଣ୍ଡଳି ତଥା ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ରବିବାର ଅପରାହ୍ନ ୫ଟାରେ ତାଙ୍କ ନିଜନିର୍ବାଚନମଣ୍ଡଳିର ସୋନପୁର ଜିଲ୍ଲାର ସୀମାବର୍ତ୍ତି ଗ୍ରାମ ବଇରାସରଠାରେ ଏଡଭୋକେଟ ରାଜେନ୍ଦ୍ର ସାହୁଙ୍କ ନେତୃତ୍ୱରେ ସ୍ଥାନୀୟ ଲୋକେ ମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ । ବଇରାସର ଗ୍ରାମପଞ୍ଚାୟତଠାରେ ମନ୍ତ୍ରୀ ଏକ ବୃକ୍ଷରୋପଣ କରି ତାଙ୍କ ମନ୍ତ୍ରୀତ୍ୱ ସମୟର ଏକ ଚିହ୍ନ ଛାଡିଥିଲେ । ବଲାଙ୍ଗୀର ରେଞ୍ଜ ଅଫିସର ନବୀନକୁମାର ପଣ୍ଡା ଏକ
ଅଅଁଳା ଗଛ ନେଇ ମନ୍ତ୍ରୀଙ୍କ ହାତରେ ଲଗାଇଥିଲେ । ସେଠାରେ ସେ ବିଛୁପାଲିରେ ଥିବା ତପୋବନ ଆଶ୍ରମକୁ ଯାଇ ସ୍ୱାମୀଚିନ୍ମୟାନନ୍ଦ ସରସ୍ୱତୀଙ୍କୁ ଭେଟି ଆଶୀର୍ବାଦ ନେଇଥିଲେ । ବଇରାସରରୁ ବଲାଙ୍ଗୀର ପର୍ଯ୍ୟନ୍ତ ସାତମାଇଲଛକ, ବୁବେଲ ଛକ, ଗଇଁତଳା, ପୁଈଁତଳା ଇତ୍ୟାଦି ଗ୍ରାମରେ ମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ । ବଲାଙ୍ଗୀର ସହରକୁ ପଶିବା ବେଳେ ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମହାଲିଙ୍ଗ ଭୀମଭୋଇ ମେଡିକାଲ କଲେଜ ହସପିଟାଲକୁ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ମେଡିକାଲ କଲେଜର ଅଧିକ୍ଷିକା ଡ.ମାନସୀ ପଣ୍ଡା ମନ୍ତ୍ରୀଙ୍କୁ ହସପିଟାଲ ବୁଲାଇବା ସହିତ ସ୍ଥିତି ବିଷୟରେ ଅବଗତ କରିଥିଲେ। ହସପିଟାଲରେ ଯାହା ମଧ୍ୟ ସମସ୍ୟା ଅଛି ତାକୁ ସମାଧାନ କରାଯିବ ବୋଲି ମନ୍ତ୍ରୀ ପ୍ରତିଶୃତି ଦେଇଥିଲେ । ସେଠାରୁ ମନ୍ତ୍ରୀ ପାଟଣେଶ୍ୱରୀ ମନ୍ଦିର ଓ ସମଲେଶ୍ୱରୀ ମନ୍ଦିର ପହଞ୍ଚି ଦେବୀମାଁଙ୍କ ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ । ଏଠାରୁ ସେ ଗୋପାଳଜୀ ମନ୍ଦିର ରୋଡରେ ଥିବା ଆରଏସଏସ କାର୍ଯ୍ୟାଳୟକୁ ପହଞ୍ଚି କର୍ମକର୍ତ୍ତାଙ୍କ ସହିତ ଆଲୋଚନା କରିଥିଲେ। ସ୍ଥାନୀୟ ସାମ୍ବାଦିକ ଭବନଠାରେ ଦୁଲଦୁଲୀ କଳାପରିଷଦ ପକ୍ଷରୁ ଆୟୋଜିତ ନାଗରିକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ କହିଲେ ଯେ, ଆମେ ଲୋକଙ୍କୁ ଯେଉଁ ପ୍ରତିଶୃତି ନିର୍ବାଚନ ପ୍ରତିଶୃତି ଦେଇଛୁ ତାକୁ ପୂରଣ କରିବୁ। ବିଜେପିଦଳ ଲୋକଙ୍କୁ ଯେଉଁ ପ୍ରତିଶୃତି ଦେଇଥିଲା ସେଥିରୁ କିଛି ମନ୍ତ୍ରୀ ପରିଷଦ ଗଠନ ହେବାର ୨୪ଘଣ୍ଟା ମଧ୍ୟରେ କାର୍ଯ୍ୟନ୍ୱୟନ କରାଯାଇଛି । ପୁରୀ ଶ୍ରୀମନ୍ଦିରରେ ଚାରିଦ୍ୱାର ଖୋଲାଯାଇଛି ,ଚାଷିଙ୍କ ଧାନର ମୁଲ୍ୟ ୩୧ଶହ ଟଙ୍କା କରିବା ପ୍ରକ୍ରିୟା ଆରମ୍ଭ କରାଯାଇଛି । ବାକି ପ୍ରତିଶୃତିଗୁଡିକ ନିଶ୍ଚୟ ପୂରଣ ହେବ ବୋଲି କହିଥିଲେ । ଏଠାରେ ଦୁଲଦୁଲ କଳାପରିଷଦର ସଭାପତି ବାସୁଦେବ ସାଙ୍କ ସଭାପତିତ୍ୱ ଓ ସଂଦୀପ କୁଅଁରଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ଗୁରୁଶ୍ରୀ ଡ.ଘାସିରାମ ମିଶ୍ର, ଶଶିଭୂଷଣ ଶତପଥି, ଡ.ଲଲିତ ସାହୁ, ନାଟ୍ୟଶ୍ରୀ ଗଦାଧର ବାରିକଙ୍କ ସହ ବଲାଙ୍ଗୀର ବରିଷ୍ଠ ନାଗରିକ ମଞ୍ଚ, ଜେ ଏସ୍ ଏମ୍ କଲେଜ, ଜିଲ୍ଲା ଓକିଲ ସଂଘ, ନେସନାଲ ପିସ୍ ୟୁନିସନ, ରାଜ୍ୟ ଆଉଟସୋର୍ସିଂ କର୍ମଚାରୀ ମହାସଂଘ, ଆୟୁର୍ବେଦିକ ଡାକ୍ତର ମହାସଂଘ, ହସପିଟାଲ କର୍ମଚାରୀ ମହାସଂଘ ସମେତ ଶତାଧିକ ସଂଗଠନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।
ସେହିପରି ବଲାଙ୍ଗୀର ସର୍କିଟ ହାଉସଠାରେ ବଲାଙ୍ଗୀର ଜିଲ୍ଲାପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ଡ.ବିଜୟ ସେଠୀ,ଏସପି ଋଷିକେଶ ଖିଲାରୀଙ୍କ ନେତୃତ୍ୱରେ ମନ୍ତ୍ରୀଙ୍କୁ ସ୍ୱାଗତ କରାଯାଇଥିଲା । ସେହିପରି ଅହୁରି ଶତାଧିକ ସଂଗଠନର କର୍ମଚାରୀସଂଘମାନେ ମନ୍ତ୍ରୀଙ୍କୁ ଭେଟି ସମ୍ବର୍ଦ୍ଧିତ କରିବା ସହିତ ନିଜ ନିଜ ସଂଗଠନର ଦାବିପତ୍ର ପ୍ରଦାନ କରିଥିଲେ । ତେବେ ସବୁଠୁ ନିଆରା ଥିଲା ବିଧାୟକ ଥିବା ସମୟରେ ସାଙ୍ଗମାନଙ୍କ ସହ ଯେଉଁ
ଚାଖଟିରେ ଡ.ମହାଲିଙ୍କ ବସୁଥିଲେ ଏବେ କ୍ୟାବିନେଟ ମନ୍ତ୍ରୀ ହେଲାପରେ ସର୍କିଟ ହାଉସରାସ୍ତାର ସେରସୁଆଁଗୁଡି କମିଟିଠାରେ ଅଟକି ସାଙ୍ଗମାନଙ୍କ ସାଙ୍ଗରେ ଚା ପିଇଥିଲେ ଓ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଭାଜପା ଦଳ ପକ୍ଷରୁ ବଲାଙ୍ଗୀର ବିଧାୟକ ପ୍ରାର୍ଥି ଗୋପାଳଜୀ ପାଣିଗ୍ରାହୀ,ପିତାମ୍ବର ଖମାରୀ,ଶ୍ରୀକର ପଧାନ,ମହିଳା ମୋର୍ଚ୍ଚାର ପଙ୍କଜିନୀ ପଣ୍ଡା,ରଶ୍ମୀରେଖା ଦାନୀ,ଅନୀତା ମିଶ୍ର ପ୍ରମୁଖ ମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ । ସାମ୍ବାଦିକ ଭବନଠାରେ ସୋନପୁର ଜିଲ୍ଲାର ପୂର୍ବତନ ସଭାପତି ବଳଦେବପ୍ରସାଦ ବେଦବାକ,ପୂର୍ବତନ ଯୁବମୋର୍ଚ୍ଚା ସଭାପତି ବେଣୀମାଧବ ବେଦବାକ,ବାପି ପ୍ରମୁଖ ମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ ।