-+91-9937148622 |
prerana_bgr@rediffmail.com |
Thursday 25th June 2026 |
R.N.I. Regd No. ODIODI/2010/46693
Breaking News
13-Apr-2024
ଡାବୁଗାଁ :ମିହିର ଶଙ୍କର ପାତ୍ର,
ଆମ ବ୍ଲକ ଏକ ଆଦିବାସୀ ବହୁଳ ବ୍ଲକ ଭାବେ ପରିଚିତ।ବିଗତ ଦିନରେ ଜିଲ୍ଲାରେ ତଥା ଆଖପାଖ ଅଞ୍ଚଳରେ ହଜାର ହଜାର ଗାଇଗୋରୁ ଦେଖିବାକୁ ମିଳୁଥିଲା।ସନ୍ଧ୍ୟା ସମୟରେ ଗାଇଗୋରୁ ଘରକୁ ଫେରିବା ସମୟରେ ଗୋଧୂଳିର ମଜା କିଛି ଅଲଗା ଥିଲା।ବର୍ତ୍ତମାନ ସମୟରେ ସେହି ଦୃଶ୍ୟ ଦେଖିବା ସ୍ୱପ୍ନ ହୋଇଗଲାଣି |ଗାଇ ଚରାଲି ଗାଇ ଧରି ସନ୍ଧ୍ୟା ସମୟରେ ଘରକୁ ଫେରିବା ବେଳେ ଛୋଟ ଛୋଟ ଶିଶୁ ମାନେ ବାଡ଼ି ଧରି ସହଯୋଗ କରୁଥିଲେ।ସାଧାରଣ ଲୋକ ସହ ଗୌଡ଼ ସମ୍ପ୍ରଦାୟର ଲୋକମାନେ ଦେଶୀ ଗାଇ ପାଳନ କରି କ୍ଷୀର,ଦହି ଓ ଛେନା ବିକ୍ରି କରି ଦୁଇ ପଇସା ରୋଜଗାର କରୁଥିବା ବେଳେ ଏବେ ଆଉ କାହାର ଗାଇ ପାଳନ ପାଇଁ ଆଗ୍ରହ ନାହିଁ।ଆଧୁନିକ ଯୁଗରେ ଲୋକମାନେ ଚାଷ କାମରେ ଯନ୍ତ୍ରପାତି ବ୍ୟବହାର କରୁଥିବା ବେଳେ ଏବେ ଆଉ ବଳଦର ଆଵଶ୍ୟକତା ମନେ କରୁନାହାନ୍ତି।ସେହିପରି ବଜାରରେ ଅପମିଶ୍ରିତ କ୍ଷୀର,ଦହି ଓ ପନିର ସବୁବେଳେ ଉପଲବ୍ଧ ଥିବା ବେଳେ ଦେଶୀ ଗାଇ କ୍ଷୀରରେ ତିଆରି କ୍ଷୀର ଓ ଦହିର ଚାହିଦା ନାହି। ସେହିପରି ଗାଇର ଗୋବର ଯଥେଷ୍ଟ ପରିମାଣର ମିଳୁନଥିବା ଯୋଗୁଁ ଆବଶ୍ୟକ ଅନୁଯାୟୀ ଗୋବର ଖତ ସ୍ଥାନୀୟ ଅଞ୍ଚଳରେ ମିଳୁନାହିଁ।ଫଳରେ ଚାଷୀ ମାନେ ଜୈବିକ ସାର ପ୍ରୟୋଗ କରିବା ପରିବର୍ତ୍ତେ ଅଧିକ ଅଳମ କରିବା ଆଶାରେ ରାସାୟନିକ ସାର ପ୍ରୟୋଗ କରୁଛନ୍ତି।ପ୍ରଶାସନ ପକ୍ଷରୁ ଅବୈଦ୍ୟ ଗୋ ଚାଲାଣ ରୋକିବା ସହ ସ୍ଥାନୀୟ ଅଞ୍ଚଳର ଚାଷୀ ମାନଙ୍କୁ ସଚେତନ କରି ଗୋ ପାଳନ ପାଇଁ ଲୋନ ବ୍ୟବସ୍ଥା ଓ ଗାଇ ଗୁହାଳ ଭଳି ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ କରି ସ୍ୱତନ୍ତ୍ର ବ୍ୟବସ୍ଥା ନକଲେ ଦେଶୀ ଗାଇ ଲୋପ ପାଇବାର ସମ୍ଭାବନା ଦେଖାଦେଇଛି।ତେଣୁ ପ୍ରଶାସନ ବେଳ ଥାଉ ଥାଉ ପଦକ୍ଷେପ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହୋଇଛି।