-+91-9937148622 |
prerana_bgr@rediffmail.com |
Saturday 9th May 2026 |
R.N.I. Regd No. ODIODI/2010/46693
Breaking News
27-Jan-2024
ବଲାଙ୍ଗିର(ଚିତ୍ରସେନ ବେହେରା ): ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ଜିଲ୍ଲା ମୁଖ୍ୟାଳୟ ରେ ଥିବା ମନୋହର ପୁର ରିଜର୍ଭ ପୋଲିସ ଗ୍ରାଉଣ୍ଡ ରେ ଅନୁଷ୍ଠିତ ହେଇଯାଇଛି | ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ କୃଷି ଓ କୃଷକ ସଶକ୍ତିକରଣ ଓ ପ୍ରାଣୀ ସମ୍ପଦ ବିକାଶ ଓଡିଶା ସରକାର ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ପତାକା ଉତ୍ତୋଳନ କରି ଜିଲ୍ଲାବାସୀଙ୍କ ପାଇଁ ଉଦବୋଧନ ଦେଇଥିଲେ | ତାଙ୍କ ଭାଷଣରେ ସେ ସ୍ଵାଧୀନତା ସଂଗ୍ରାମରେ ବଲାଙ୍ଗିର ଜିଲ୍ଲାର ସ୍ଵାଧୀନତା ସଂଗ୍ରାମୀ ଙ୍କ ଭୂମିକା ଉଲ୍ଲେଖନୀୟ ବୋଲି କହିଥିଲେ । କପୁରଚନ ନାୟକ , ସୁରେନ୍ଦ୍ର ଠାକୁର , କୁଞ୍ଜ ବିହାରୀ ମେହେର, କପିଳେଶ୍ଵର ପ୍ରସାଦ ନନ୍ଦ, ସତ୍ୟାନନ୍ଦ ମିଶ୍ର , ଦିବାକର ବହିଦାର , ନରସିଂହ ପ୍ରସାଦ ନନ୍ଦ , ସ୍ଵପ୍ନାନନ୍ଦ ପାଣିଗ୍ରାହୀ, ଯୁଧିଷ୍ଟିର ମିଶ୍ର , ଯୋଗେଶ୍ଵର କୁମୁର , ଧ୍ରୁବ ନାଥ ,ପୁରୁଷୋତ୍ତମ ନାଥ , ଚିନ୍ତାମଣି ମିଶ୍ର, ରିଷି ଗଡତ୍ୟା,ଭାର୍ଗବୀ ଗୁରୁ , ଦଶରଥ ସାହୁ , ଯୁଗୋଳ କିଶୋର ନାଥ , ଆଠ ଗାଁ ଜମିଦାର ଧରମ ସିଂ ମାନ୍ଧତା ଭଳି ସଂଗ୍ରାମୀଙ୍କ ବଳିଦାନ କୁ ଆଜି ସ୍ମରଣ କରିବାର ଦିନ ବୋଲି ସମ୍ବୋଧନ କରିଥିଲେ ।
ସମ୍ବିଧାନ ହେଉଛି ଯେକୌଣସି ଦେଶ ପାଇଁ ସର୍ବୋଚ୍ଚ ଆଇନ । ଏହି ଦିବସଟି ସମସ୍ତଙ୍କ ପାଇଁ ଚିରସ୍ମରଣୀୟ ଯାହାକୁ ଗର୍ବ ଓ ଗୌରବର ସହ ପାଳନ କରୁଛୁ ବୋଲି ମୁଖ୍ୟ ଅତିଥି ଅଭିଭାଷଣ ଦେଇଥିଲେ । ଉଣେଇଶ ଶହ ପଚାଶ ମସିହା ଜାନୁଆରୀ ଛବିଶ ତାରିଖ ଦିନ ଭାରତ ଏକ ସାର୍ବଭୌମ, ଗଣତାନ୍ତ୍ରିକ, ସାଧାରଣତନ୍ତ୍ର ରାଷ୍ଟ୍ର ହିସାବରେ ଘୋଷିତ ହୋଇଥିଲା । ଏହି ପବିତ୍ର ଦିନଟି ସଂକଳ୍ପ ଓ ଆତ୍ମସମୀକ୍ଷାର ଦିବସ ।ବିବିଧତା ମଧ୍ୟରେ ଏକତା ହେଉଛି ଦେଶର ପରିଚୟ । ଅନେକ ଜାତି, ଭାଷା, ଧର୍ମ, ବିଶ୍ୱାସ, ସଂସ୍କୃତି ଓ ପରମ୍ପରା ଦେଶକୁ ମହାନ୍ ଓ ସମୃଦ୍ଧ କରିଛି । ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ସମସ୍ତଙ୍କୁ ସାଥୀରେ ନେଇ ଦେଶ ବହୁ ପଥ ଅତିକ୍ରମ କରି ବିକାଶ ଯାତ୍ରାରେ ଆଗେଇ ଚାଲିଛି ।ଭାରତ ସମଗ୍ର ବିଶ୍ୱରେ ନିଜସ୍ୱ ଗଣତନ୍ତ୍ର ଓ ମୂଲ୍ୟବୋଧ ପାଇଁ ଉଚ୍ଚ ପ୍ରଶଂସିତ । ଗଣତନ୍ତ୍ର ପରମ୍ପରା ଓ ଏହି ପରମ୍ପରାକୁ ବଜାୟ ରଖିବା ସମସ୍ତଙ୍କ ନୈତିକ ଦାୟିତ୍ୱ | ତେଣୁ ଏହା ର ଟେକ ରଖିବା ସମସ୍ତଙ୍କ କର୍ତବ୍ୟ ବୋଲି କହିଥିଲେ ।
ନିଜ ଭାଷଣରେ ରାଣୀପୁର ଝରିଆଲ, ହରିଶଙ୍କର, ପାଟଣେଶ୍ୱରୀ ମନ୍ଦିର, କୁମୁଡ଼ା ପାହାଡ଼, ଭୀମ ଡୁଙ୍ଗୁରୀ, ଚଉଷଠି ଯୋଗିନୀ, ସଇଁତଳାର ଚଣ୍ଡୀ ମନ୍ଦିର ଆଦି ପର୍ଯ୍ୟଟନ କ୍ଷେତ୍ର ବର୍ତ୍ତମାନ ପର୍ଯ୍ୟଟନ ମାନଚିତ୍ରରେ ବେଶ ଆଦୃତ ହୋଇଛି ବୋଲି କହିଥିଲେ । ଜିଲ୍ଲାର ଲୋକସଂସ୍କୃତି, ଲୋକକଳା, ଲୋକନୃତ୍ୟ, କୁଟୀର ଶିଳ୍ପ ବେଶ୍ ପ୍ରସିଦ୍ଧ । ଡାଲଖାଇ, ଦୁଲଦୁଲି ,ରସରକେଲି, ଘୁମୁରା, ନଚନିଆ, ଦଣ୍ଡ, ମାଇଲାଯୋଡ଼ି, ଢାପ୍, କରମା ଆଦି ଲୋକନୃତ୍ୟ ସମଗ୍ର ଦେଶରେ ଅନନ୍ୟ ବୋଲି ମାନ୍ୟବର ମନ୍ତ୍ରୀ ଉକ୍ତି ରଖିଥିଲେ ।
ବଲାଙ୍ଗିର ଜିଲ୍ଲା ର ସର୍ବାଙ୍ଗୀନ ବିକାଶ ନିମନ୍ତେ ବଲାଙ୍ଗିର ର ବିକାଶ ନିମନ୍ତେ ରାଜ୍ୟ ସରକାରଙ୍କ ତରଫ ରୁ ବହୁବିଧି ବିକାଶ ମୂଳକ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି । ଜଳସେଚନ ନିମନ୍ତେ ବଲାଙ୍ଗିର ର ଜୀବନ ରେଖା କୁହାଯାଉଥିବା ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ , ଡ୍ୟାମ ଓ ସ୍ପିଲୱେ , ସ୍ୱାସ୍ଥ୍ୟ ଭିତିଭୂମି ର ବିକାଶ ନିମନ୍ତେ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ସହ ଆନୁଷଙ୍ଗିକ ସ୍ୱାସ୍ଥ୍ୟ ଭିତିଭୂମି ର ବିକାଶ ନିମନ୍ତେ ଗୁରୁତ୍ଵ ପ୍ରଦାନ କରାଯାଇଛି ।
ଯାତ୍ରୀମାନଙ୍କ ସୁବିଧା ନିମନ୍ତେ ବଲାଙ୍ଗିର ଠାରେ ଅତ୍ୟାଧୁନିକ ବସ ଟର୍ମିନାଲ ପ୍ରତିଷ୍ଠା କରାଯାଇ ଉନ୍ନତ ମାନର ସୁବିଧା ଯୋଗାଇ ଦିଆଯାଇଛି ।
ସୁକତେଲ ପ୍ରକଳ୍ପ ବଲାଙ୍ଗିର ଜଳସେଚନ କ୍ଷେତ୍ର ଓ କୃଷି କ୍ଷେତ୍ରରେ ରୂପାନ୍ତର ଆଣିବ । ବଲାଙ୍ଗିର ସବୁବେଳେ ରାଜ୍ୟ ବିକାଶଧାରାର ଫୋକସ୍ରେ ରହିଛି । ବଲାଙ୍ଗିରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ୨ ହଜାର ୫୨୫ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । କିଛି ଦିନ ପୂର୍ବେ ମାନ୍ୟବର ମୁଖ୍ୟମନ୍ତ୍ରୀ ୨ ହଜାର ୨ ଶହ ୨୦ କୋଟି ଟଙ୍କା ବ୍ୟୟରେ ୧୧୨ ଗୋଟି ଭିତ୍ତିଭୂମି ପ୍ରକଳ୍ପ ପାଇଁ ଶୁଭ ଦେଇଛନ୍ତି । ୩୦୫ କୋଟି ଟଙ୍କା ବ୍ୟୟରେ ୬୯ଟି ଭିତ୍ତିଭୂମି ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି । ନଦୀଗୁଡ଼ିକରେ ସବୁଦିନ ପାଣି ମିଳିବାର ସୁବିଧା ପାଇଁ ରାଜ୍ୟ
ସରକାରଙ୍କ ପକ୍ଷରୁ ୨୪ଟି ନଦୀଗର୍ଭ ଜଳାଶୟ ପ୍ରକଳ୍ପ କରାଯାଉଛି । ଏହିସବୁ ପ୍ରକଳ୍ପ ଦ୍ୱାରା ରାଜ୍ୟର କୃଷି କ୍ଷେତ୍ର ସମୃଦ୍ଧ ହେବ ଏବଂ ଚାଷୀଭାଇଭଉଣୀ ମାନଙ୍କର ରୋଜଗାର ବୃଦ୍ଧି ପାଇବ ।ବଲାଙ୍ଗୀର ଜିଲ୍ଲା ତଥା ସମଗ୍ର ପଶ୍ଚିମ ଓଡିଶାର ପ୍ରସିଦ୍ଧ ହରିଶଙ୍କର ପୀଠ ସହିତ ବିଭିନ୍ନ ଧାର୍ମିକ ଅନୁଷ୍ଠାନ ଗୁଡିକରେ ରୂପାନ୍ତରଣ କାମ ଚାଲିଛି । ପାନୀୟ ଜଳ ଯୋଗାଣ ପ୍ରକଳ୍ପରେ ଜିଲ୍ଲା ର ବିଭିନ୍ନ ବ୍ଲକ ପାଇଁ ୧୪୮୬.୨କୋଟି ଟଙ୍କାରେ ପ୍ରକଳ୍ପ କାମ ଆଗେଇଚାଲିଛି ।
ଦେଶ ମାତୃକର ସେବା କରିବାର ସୁଯୋଗ ମିଳିଥିବାରୁ ସମସ୍ତେ ନିଜକୁ ଧନ୍ୟ ମଣିବା ସହ ସଂସ୍କୃତି , ପରମ୍ପରା ତଥା ଐତିହ କୁ ସର୍ବଦା ସମ୍ମାନ କରିବାକୁ ଚେଷ୍ଟିତ ରହିବା ବୋଲି ଉଦବୋଧନ ଦେବା ପରେ ସମ୍ମିଳିତ ପରେଡ ର ଅଭିବାଦନ ଗ୍ରହଣ କରି କୃତି ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ |
ଏହା ପରେ ମେଡିକାଲ ଯାଇ ବିଭିନ୍ନ ୱାର୍ଡ ବୁଲି ଫଳ ଏବଂ ମିଠା ବାଣ୍ଟି , ଜେଲ ରେ ଅନ୍ତେବାସୀଂକୁ ମିଠା , ପୁଇଁତଳା ରେ ଶାଢ଼ୀ ଓ ଲୁଙ୍ଗି ବଣ୍ଟନ କରି ସମାରୋହ ଶେଷ କରିଥିଲେ | ଶେଷରେ ବନ୍ଧୁତ୍ୱ ପୂର୍ଣ୍ଣ କ୍ରିକେଟ ଖେଳ ପ୍ରଶାସକ ଏକାଦଶ ଏବଂ ଗଣମାଧ୍ୟମ ଏକାଦଶ ମଧ୍ୟରେ ଅନୁଷ୍ଠିତ ହେଇଥିଲା | ଜିଲ୍ଲାପାଳ ଶ୍ରୀ ଚଞ୍ଚଳ ରାଣା ଏବଂ ଆରକ୍ଷୀ ଅଧିକ୍ଷକ ଋଷିକେଶ ଖିଲାରୀ ଦ୍ୟଂଦେଓ ମୁଖ୍ୟ ଅତିଥି ଙ୍କ ସହ ଉପସ୍ଥିତ ଥିଲେ |