-+91-9937148622 |
prerana_bgr@rediffmail.com |
Wednesday 25th March 2026 |
R.N.I. Regd No. ODIODI/2010/46693
Breaking News
13-Jan-2023
ବଲାଙ୍ଗିର: ସ୍ଥାନୀୟ ଟାଉନ ହଲ ଠାରେ ୨୧ତମ ଉପଖଣ୍ଡସ୍ତରୀୟ ବଲାଙ୍ଗିର ଲୋକ ଉତ୍ସବ ଉପଜିଲ୍ଲାପାଳ କୁମାର ନାଗଭୂଷଣଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଯାଇଛି । ଏହି ମହୋତ୍ସବରେ ମୁଖ୍ୟ ଅତିଥି ତଥା ଉଦଘାଟକ ଭାବେ ଜିଲ୍ଲାପାଳ ଚଞ୍ଚଳ ରାଣା, ଆରକ୍ଷୀ ଅଧିକ୍ଷକ ନିତୀନ କୁଶଲକର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ମଞ୍ଚରେ ଅତିଥି କଳାକାର ଭାବେ ଡା. ରୁଦ୍ର ପ୍ରସାଦ ପଟେଲ ଓ ଅଶୋକ କୁମାର ଥନାପତି ମଞ୍ଚାସୀନ ଥିଲେ । ଆକାଶବାଣୀ ର ବରିଷ୍ଠ ଉଦଘୋଷକ ମଧୁ ସୂଦନ ନାୟକ ସଭା ପରିଚାଳନା କରିଥିଲେ । ମା ସମଲେଶ୍ଵରୀ, ମା ପାଟଣେଶ୍ଵରୀଙ୍କ ପ୍ରତିକୃତିରେ ମାଲ୍ୟାର୍ପଣ, ପ୍ରଦୀପ ପ୍ରଜ୍ଵଳନ ପରେ କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବରେ କଦମପଡା ସରସ୍ଵତୀ ଶିଶୁ ମନ୍ଦିରର ଛାତ୍ରଛାତ୍ରୀ ମାନେ ସ୍ଵାଗତ ସଙ୍ଗୀତ ପରିବେଷଣ କରିଥିଲେ । ସାମ୍ବାଦିକ
ପ୍ରଶାନ୍ତ ମହାକୁର ସ୍ଵାଗତ ଭାଷଣ ଦେଇଥିଲେ । ଏହି ଅବସରରେ କୁତୁର୍ଲାର କୃଷ୍ଣଚନ୍ଦ୍ର ଚାନ୍ଦ ଓ ବିଲେଇକାନି ର ଜୟଦେବ ପଟେଲଙ୍କୁ କଳାପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଥିଲା । ନବୀବ କୁଅଁର ଓ ଅଜୟ ଅମର ସିଂହଦେଓ ଙ୍କୁ ସମର୍ଦ୍ଧନା ଦିଆଯାଇଥିଲା । ବଲାଙ୍ଗିର ଉପଖଣ୍ଡ ର ବିଭିନ୍ନ ବ୍ଲକ ମାନଙ୍କରୁ ଆସିଥିବା କଳାକାର ମାନେ ମଞ୍ଚରେ କଳା ପରିବେଷଣ କରିଥିଲେ । ଲୋକ ନାଟକରେ ୫ ଟି ଦଳ, ଲୋକ ନୃତ୍ୟ ରେ ୫ ଟି ଦଳ, ଲୋକ ଗୀତ (ଏକକ) ରେ ୬ ଟି ଦଳ, ଲୋକ ଗୀତ (ଦଳୀୟ) ରେ ୬ ଟି ଦଳ, ଲୋକ ବାଦ୍ୟ (ଏକକ) ରେ ୬ ଟି ଦଳ ଓ ଲୋକ ବାଦ୍ୟ (ଦଳୀୟ) ରେ ୭ ଟି ଦଳ ଭାଗ ନେଇଥିଲେ । ଡାଳଖାଇ, ରାସରକେଳି, କୃଷ୍ଣଗୁରୁ,
ସଙ୍କୀର୍ତ୍ତନ, ଦୁଲଦୁଳି, କରମା, ରାମଳୀଳା ଓ ହଳିଆଗୀତର ତାଳେତାଳେ ଦର୍ଶକ ଝୁମି ଥିଲେ । ଉଦଯାପନୀ ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧାରୁଆ, ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ସନାତନ ଠାକୁର, ବ୍ରହ୍ମାନନ୍ଦ ବନଛୋର, ବାଲମକୁନ୍ଦ ବେହେରା, ପଙ୍କଜ ଜାଲ ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ମୁରଲୀଧାରୀ ପତି, ଉଦଘୋଷକ ବିଭୁ କଲ୍ୟାଣ ଗଡତ୍ୟା, ଅର୍ଜୁନ ସାହୁ ଓ ଉଦଘୋଷିକା ମାନସୀ ସାହୁ, ରିଙ୍କି ତ୍ରିପାଠୀ ପରିଚାଳନା କରିଥିଲେ । ଶେଷରେ ଗୋପାଳ ପଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।