-+91-9937148622 |
prerana_bgr@rediffmail.com |
Saturday 14th March 2026 |
R.N.I. Regd No. ODIODI/2010/46693
Breaking News
04-Jan-2023
ନୟାଗଡ,(ପ୍ରଦୀପ କୁମାର ପଣ୍ଡା)ନୟାଗଡ ଜିଲ୍ଲା ଶ୍ରମ ଅଧିକାରୀ ଶିବ ନାରାୟଣ ସାହୁ ଯୋଗଦେବା ଦିନଠାରୁ ଜିଲ୍ଲାରେ ବାରମ୍ବାର ଶ୍ରମିକ ଆନ୍ଦୋଳନ ଲାଗିରହିଛି। ଶ୍ରମିକଙ୍କ ବିଭିନ୍ନ ସହାୟତାରାଶି ଦେଉ ନଥିବା ବେଳେ ନୂଆ ଲେବର କାର୍ଡ ମଧ୍ୟ କରୁନଥିବା ଅଭିଯୋଗ ହୋଇଆସୁଛି। ଅଣସଂଗଠିତ ଶ୍ରମିକମାନଙ୍କୁ ଦୁର୍ବ୍ୟବହାର କରିବାସହ ମହିଳା ଶ୍ରମିକମାନଙ୍କୁ ଅଶ୍ଳୀଳ ଇଙ୍ଗିତ ଦେଉଥିବା ମଧ୍ୟ ଅଭିଯୋଗ ହେଉଥିଲା। ଏଥିନିମନ୍ତେ ଗତ ଅକ୍ଟୋବର ୨୭ ତାରିଖରେ ଶ୍ରମ ଅଫିସ ସମ୍ମୁଖରେ ଗଣ ଆନ୍ଦୋଳନ ହୋଇଥିବାବେଳେ ଡିସେମ୍ବର ୧୩ତାରିଖରେ ଜିଲ୍ଲାପାଳଙ୍କ ଅଫିସ ସାମନାରେ ଆମରଣ ଅନଶନ ହୋଇଥିଲା | ଜିଲ୍ଲା ରିଭ୍ୟୁ ମିଟିଂରେ ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁ, ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ ଡିଏଲ୍ଓ ଙ୍କୁ ବହୁତ ଗାଳି କରିଥିଲେ। ଏସବୁ ଅଭିଯୋଗକୁ ସଠିକ ବୋଲି ପ୍ରମାଣିତ କରିଛି ଦଶପଲ୍ଲା ଥାନାରେ ହୋଇଥିବା ହରିଜନ ଶ୍ରମିକଙ୍କୁ ଜାତିଆଣ ଆକ୍ଷେପ କରିଥିବାର ଲିଖିତ ଏତଲା। ସୂଚନାକ୍ରମେ ଦଶପଲ୍ଲା ବ୍ଲକ ଵାଣିଗୋଚ୍ଛା ଥାନା ଅନ୍ତର୍ଗତ ଦୁଡା ପଞ୍ଚାୟତର ଗାଡିଆପଡା
ଗ୍ରାମର ବିରଞ୍ଚି ନାୟକ ୧୭ତାରିଖରେ ନୟାଗଡ ଜିଲ୍ଲା ଅଫିସକୁ ଖଣ୍ଡିଏ ଅଣସଂଗଠିତ ଶ୍ରମିକ କାର୍ଡପାଇଁ ଯାଇଥିବାବେଳେ ଡ଼ିଏଲଓ ତାଙ୍କୁ କହିଥିଲେ – ଆମେ ତୁମ ଗ୍ରାମ କୁ ଯାଇ ଲେବର କାର୍ଡ ବାଣ୍ଟିବୁ ତୁମେ ଫେରିଯାଅ। ୧୮ ତାରିଖରେ ଦଶପଲ୍ଲା ଯାଇଥିବାବେଳେ ଉପରୋକ୍ତ ଶ୍ରମିକଙ୍କ ସମେତ ତିନି ଜଣଙ୍କୁ ମହୁ ଏବଂ ଗାଡିଖର୍ଚ୍ଚ ମାଗିଥିଲେ। ସେ ଟଙ୍କା ଏବଂ ମହୁ ଦେବାକୁ ଅସମର୍ଥ ପ୍ରକାଶ କରିବାରୁ ଡ଼ିଏଲଓ. ଶିବ ନାରାୟଣ ସାହୁ ହରିଜନ ଆଦିବାସୀ ଶ୍ରମିକମାନଙ୍କୁ ଛୋଟ ଜାତି ଏବଂ ଛୁଇଁଲେ ଛୁଆଁ ହେବ ଆଦି କହି ଜାତିଆଣ ଆକ୍ଷେପ କରି ଅପମାନିତ କରିଥିବାର ଦଶପଲ୍ଲା ଥାନାରେ ଲିଖିତ ଅଭିଯୋଗ ହୋଇଛି। ଏଭଳି ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଜିଲ୍ଲାରୁ ତୁରନ୍ତ ବିଦା କରିବା ସହିତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜନସାଧାରଣରେ ଦାବି ହେଉଛି।