-+91-9937148622 |
prerana_bgr@rediffmail.com |
Sunday 4th October 2026 |
R.N.I. Regd No. ODIODI/2010/46693
Breaking News
26-Nov-2020
ନୂଆଦିଲ୍ଲୀ,(ପ୍ରେରଣା ଖବର) - ୧୦ଟି କେନ୍ଦ୍ରୀୟ ଟ୍ରେଡ ୟୁନିଅନ ପକ୍ଷରୁ ଗୁରୁବାର ଭାରତ ବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦରେ ୨୫ କୋଟି ଶ୍ରମିକ ସାମିଲ ହେବେ ବୋଲି ଟ୍ରେଡ ୟୁନିଅନ ପକ୍ଷରୁ ଜାରି ହୋଇଥିବା ପ୍ରେସ ବିବୃତିରେ କୁହାଯାଇଛି। ବିଶେଷକରି କେନ୍ଦ୍ରର ଶ୍ରମିକ ବିରୋଧୀ ନୀତି ବିରୋଧରେ ଟ୍ରେଡ ୟୁନିଅନ ପକ୍ଷରୁ ଏହି ଦିନିକିଆ ଧର୍ମଘଟର ଡାକରା ଦିଆଯାଇଛି। ଏକାଧିକ ପବ୍ଲିକ ସେକ୍ଟରକୁ ସରକାର ଘରୋଇକରରଣ କରିବା, ନୂଆ କରି ପ୍ରଣୟନ କରିଥିବା ଶ୍ରମ ଓ କୃଷ ଆଇନକୁ ବିରୋଧ କରି ଟ୍ରେଡ ୟୁନିୟନ ଗୁଡ଼ିକ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ବିଜେପିର ସହଯୋଗୀ ସଂଗଠନ ଭାବେ ଜଣାଶୁଣା ଭାରତୀୟ ମଜଦୁର ସଂଘ ଏହି ଭାରତ ବନ୍ଦକୁ ସମର୍ଥନ କରିବ ନାହିଁ ବୋଲି ପ୍ରେସ ରିଲିଜ ଜରିଆରେ ପ୍ରକାଶ କରିଛି। ଅନ୍ୟପକ୍ଷରେ ସର୍ବଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ ଏହି ବନ୍ଦକୁ ସମର୍ଥନ କରିଛି। ଫଳରେ ଗୁରୁବାର ବ୍ୟାଙ୍କଗୁଡ଼ିକରେ ସେବା ବାଧାପ୍ରାପ୍ତ ହେବା ନିଶ୍ଚିତ ହୋଇଛି। ପରିବହନ ସେବା ବାଧାପ୍ରାପ୍ତ ହେବାକୁ ଥିବାରୁ ସରକାରୀ ସ୍ତରରେ ଜରୁରୀ ସେବା ଯୋଗାଇବା ନେଇ ଅନେକଗୁଡ଼ିଏ ପଦକ୍ଷେପ ନିଆଯାଇଛି। କାରଣ ଟ୍ରେଡ ୟୁନିୟନ ପକ୍ଷରୁ ହରତାଳ ସହ ଚକଅଖ ଜାମ କରିବା ପାଇଁ ମଧ୍ୟ ଆହ୍ବାନ ଦିଆଯାଇଛି।
ନୂଆକରି ପ୍ରଣୟନ ହୋଇଥିବା କୃଷି ଆଇନ ଓ ଶ୍ରମିକ ବିରୋଧୀ ଆଇନ ପ୍ରତ୍ୟାହାର ଦାବି କରାଯାଉଛି। ଯେଉଁମାନେ ଟିକସ ଦେଉ ନାହାନ୍ତି ସେମାନଙ୍କ ଆକାଉଣ୍ଟକୁ ୭ ହଜାର ୫ ଶହ ଟଙ୍କା ଲେଖାଏଁ ପ୍ରଦାନ, ପରିବାରକୁ ମାସିକ ୧୦ କେଜି ଲେଖାଏଁ ଖାଦ୍ୟଶସ୍ୟ ପ୍ରଦାନ, ମନରେଗାରେ ବାର୍ଷିକ ୨୦୦ ଦିନ କାର୍ଯ୍ୟ ପ୍ରଦାନ ଆଦି ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି। ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଓ ଇଣ୍ଡିଆନ ଓଭରସିଜ ବ୍ୟାଙ୍କକୁ ଛାଡ଼ି ଦେଲେ ଅନ୍ୟ ସମସ୍ତ ଜାତୀୟ ଓ ଘରୋଇ ବ୍ୟାଙ୍କ କର୍ମଚାରୀ ସଂଘ ଏହି ଦିନିକିଆ ବନ୍ଦରେ ସାମିଲ ହେବେ ବୋଲି ଜଣାପଡ଼ିଛି। ଫଳରେ ପ୍ରାୟ ୪ ଲକ୍ଷ ବ୍ୟାଙ୍କ କର୍ମଚାରୀ ଏହି ବନ୍ଦରେ ସାମିଲ ହେବେ ବୋଲି କୁହାଯାଉଛି।