-+91-9937148622 |
prerana_bgr@rediffmail.com |
Tuesday 7th July 2026 |
R.N.I. Regd No. ODIODI/2010/46693
Breaking News
22-May-2022
ବଲାଙ୍ଗୀର(ପ୍ରେରଣା ଖବର) ନିକଟରେ କେନ୍ଦ୍ର ଆଇନ ମନ୍ତ୍ରୀ ହାଇକୋର୍ଟ ବେଂଚ ଉପରେ ମନ୍ତବ୍ୟ ଦେଇଥିଲେ । ତାର ପ୍ରତିବାଦରେ ଓଡ଼ିଶା ହାଇକୋର୍ଟ ବାର୍ ଏସୋସିଏସନ, ଆଇନ ମନ୍ତ୍ରୀ ଙ୍କ ମନ୍ତବ୍ୟକୁ ଖଣ୍ଡନ କରି ହାଇକୋର୍ଟର ବେଂଚ ସ୍ଥାପନା କୁ ବିରୋଧ କରି ଥିଲା । ଏହା ଉପରେ ଏକ ପ୍ରସ୍ତାବ ମଧ୍ୟ ଗ୍ରହଣ କରାଯାଇଥିଲା । ହାଇକୋର୍ଟ ବାର୍ ର ଏହି ନିଷ୍ପତ୍ତିକୁ ସମଗ୍ର ପଶ୍ଚିମ ଓଡ଼ିଶାରେ ବିଦ୍ରୋହର ସ୍ୱର ଉଠିଥିବା ସମୟରେ ବଲାଙ୍ଗୀର ନାଗରିକ କମିଟୀ ମଧ୍ୟ ଏହାକୁ ଦୃଢ଼ ନିନ୍ଦା କରିଛି । ବଲାଙ୍ଗୀରରେ ହାଇକୋର୍ଟର ପୁନଃସ୍ଥାପନ ଦାବି ବହୁତ ପୁରୁଣା । ହାଇକୋର୍ଟ ବାର୍ ଓ ଉପକୂଳବର୍ତ୍ତୀ ଅଂଚଳର ଲୋକ ମାନଙ୍କ ଷଡଯନ୍ତ୍ର ଫଳରେ ବଲାଙ୍ଗୀରରେ ହାଇକୋର୍ଟ ବେଂଚ ସ୍ଥାପନ ହେବାରେ ବାଧା ସୃଷ୍ଟି ହେଉଛି । କିନ୍ତୁ ଯଶବନ୍ତ କମିଶନ ଓ ପାଲ କମିଶନର ରିପୋର୍ଟ ଅନୁସାରେ ହାଇକୋର୍ଟ ବେଂଚ ପାଇଁ ବଲାଙ୍ଗୀର ହିଁ ପ୍ରକୃଷ୍ଟ ସ୍ଥାନ । ପୁଣି ଏଠାରେ ଗଡଜାତ ସମୟରେ ୧୯୪୮ ପର୍ଯ୍ୟନ୍ତ ହାଇକୋର୍ଟ କାର୍ଯ୍ୟ କରୁଥିଲା । ବଲାଙ୍ଗୀର ନାଗରିକ କମିଟୀ ହାଇକୋର୍ଟ ବେଂଚ ପୁନଃସ୍ଥାପନର ଆନ୍ଦୋଳନରେ ସବୁବେଳେ ସାମିଲ ହୋଇ ଆସିଛି । ବଲାଙ୍ଗୀରରେ ହାଇକୋର୍ଟ ବେଂଚ ସ୍ଥାପନ ନ ହେବା ସଙ୍ଗେ ସଙ୍ଗେ ଏଠାରୁ ବିଭିନ୍ନ ପ୍ରତିଷ୍ଠାନ ଧୀରେ ଧୀରେ ସ୍ଥାନାନ୍ତରଣ କିମ୍ବା ବନ୍ଦ କରି ଦିଆଯାଉଛି । ତେଣୁ ଏହି ଆନ୍ଦୋଳନ ପଶ୍ଚିମ ଓଡ଼ିଶାରେ ସ୍ୱତନ୍ତ୍ର ରାଜ୍ୟ ଆନ୍ଦୋଳନକୁ ଖୋରାକ ଯୋଗାଉଛି ବୋଲି ବଲାଙ୍ଗୀର ନାଗରିକ କମିଟିର ସଭାପତି ବେଲାରସିଂ ଭୋଇ ଓ ସାଧାରଣ ସଂପାଦକ ମନୋରଂଜନ ସାହୁ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି ।