-+91-9937148622 |
prerana_bgr@rediffmail.com |
Thursday 20th August 2026 |
R.N.I. Regd No. ODIODI/2010/46693
Breaking News
19-Apr-2022
ବେଗୁନିଆପଡା(ଉମା ମହାରଣା) : ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଗଞ୍ଜାମ ଜିଲ୍ଲା ସୁମଣ୍ଡଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ଏକ ବିଶାଳ ମେଗା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି| କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଉକ୍ତ ସ୍ୱାସ୍ଥ୍ୟ ଶିବିରକୁ ଉଦଘାଟନ କରିଥିବା ବେଳେ ବହୁ ରୋଗୀ ଏହି ଶିବିରରେ
ଯୋଗଦେଇ ନିଜର ସ୍ବାସ୍ଥ୍ୟ ପରୀକ୍ଷା କରି ମାଗଣା ଔଷଧ ନେବାରେ ସକ୍ଷମ ହୋଇଛନ୍ତି । ରୋଗୀଙ୍କୁ ସେବା ଯୋଗାଇବାରେ ମେଡିକାଲ କର୍ମଚାରୀ ଓ ଅଞ୍ଚଳର ସ୍ବେଚ୍ଛାସେବୀ ମାନଙ୍କ ଭୂମିକା ଅତୁଳନୀୟ ବୋଲି କହିଛନ୍ତି କୋଦଳା ଭାରପ୍ରାପ୍ତ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ । ଶିବିରରେ ୧ ହଜାରରୁ ଊର୍ଦ୍ଧ୍ବ ରୋଗୀ ପଂଜୀକରଣ କରି ପ୍ରାକ୍ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ୬ ଜଣ ଅଭିଜ୍ଞ ଡ଼ାକ୍ତର ଓ ୧୦୦ ଜଣ ପାରାମେଡ଼ିକାଲ କର୍ମଚାରୀ ରୋଗୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବାରେ ନିୟୋଜିତ ହୋଇଥିଲେ। ଆଜି ସକାଳୁ ରୋଗୀମାନେ ଲାଇନରେ ଆସି ପଂଜୀକରଣ କରି ବିଭିନ୍ନ ବିଭାଗ ଡ଼ାକ୍ତରଙ୍କ ସହ ପରାମର୍ଶ କରିଥିଲେ। ବେଗୁନିଆପଡ଼ା ବ୍ଳକର କୋଣ ଅନୁକୋଣରୁ ରୋଗୀମାନେ ଆସିଥିବା ଜଣାପଡିଛି। ରୋଗୀଙ୍କୁ ନେବା ଆଣିବା ପାଇଁ ଷ୍ଟ୍ରେଚର ବ୍ୟବସ୍ଥା ଥିବା ବେଳେ ହ୍ବିଲ ଚେୟାରର ସୁବିଧା ରହିଥିଲା। ଗୁରୁତର
ରୋଗୀଙ୍କୁ ଆମ୍ବୁଲାନ୍ସ ଯୋଗେ ଭିତରକୁ ନିଆଯାଇଥିଲା। ଅଞ୍ଚଳର ସ୍ବାସ୍ଥ୍ୟ କର୍ମୀ, ଆଶା, ଅଂଗନବାଡ଼ି କର୍ମୀ ମାନେ ନିୟୋଜିତ ରହି ମେଗା ସ୍ବାସ୍ଥ୍ୟ ଶିବିରରେ ରୋଗୀଙ୍କୁ ପଂଜୀକରଣ କରିବା, ଦିବ୍ୟାଙ୍ଗମାନଙ୍କୁ ସୁବିଧାରେ ଭିତରକୁ ନେବା, ଖାଦ୍ୟ ଓ ପାନୀୟଜଳ ପ୍ରଦାନ କରିବା, ଡ଼ାକ୍ତରଙ୍କ ପାଖରେ ରହି ଶୃଙ୍ଗଳାରେ ଭିତରକୁ ଛାଡିବାରେ ପ୍ରମୁଖ ଭୂମିକା ନେଇଥିଲେ। ଏହି ମେଳାରେ ଆୟୁଷ ଚିକିତ୍ସା ସୁବିଧା ମଧ୍ୟ ମାଗଣାରେ ଉପଲବ୍ଧ କରାଯାଇଥିଲା। ସ୍ବାସ୍ଥ୍ୟ ପାଇଁ ଯୋଗ କେତେ ଉପଯୋଗୀ ସେ ନେଇ ଯୋଗ ଶିକ୍ଷକ ମାନେ ଉପସ୍ଥିତ ରହି ବୁଝାଇଥିଲେ। ସେହିପରି ସ୍ବାସ୍ଥ୍ୟ ତଥା ବିଭିନ୍ନ ରୋଗର ସଚେତନତାକୁ ନେଇ ଏକ ପଥପ୍ରାନ୍ତ ନାଟକ ପରିବେଷଣ କରାଯାଇଥିଲା।( ଉମା ମହାରଣା - କୋଦଳା )