-+91-9937148622 |
prerana_bgr@rediffmail.com |
Thursday 27th August 2026 |
R.N.I. Regd No. ODIODI/2010/46693
Breaking News
07-Apr-2022
ପଦ୍ମପୁର(ନିରଞ୍ଜନ ତ୍ରିପାଠୀ)-ରାଜବୋଡ଼ାସମ୍ବର ଅଞ୍ଚଳର ସ୍ୱନାମଧନ୍ୟ ବିଜ୍ଞାନ ଓ ଗଣିତ ଶିକ୍ଷକ ଶ୍ରୀ ଧନଞ୍ଜୟ ସାହୁଙ୍କ ଗତକାଲି ଭୁବନେଶ୍ଵର ର ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସାଧିନ ଅବସ୍ଥାରେ ଦେହାନ୍ତ ହୋଇ ଯାଇଛି।
ଶ୍ରୀ ସାହୁ ଦେଉଳୀ ନୋଡାଲ ହାଇସ୍କୁଲ ସତୀଭଟା ରେ ୧୯୯୦ ମସିହା ରୁ ବିଜ୍ଞାନ ଶିକ୍ଷକ ରୂପେ କାର୍ଯ୍ୟରତ ଥିଲେ। ବିଜ୍ଞାନ ଓ ଗଣିତ କ୍ଷେତ୍ର ଅଗାଧ ପାଣ୍ଡିତ୍ୟ ଥିବାରୁ ସମଗ୍ର ବରଗଡ ଜିଲ୍ଲା ପାଇଁ ସେ ବେଶ ସୁପରିଚିତ ଥିଲେ। ତାଙ୍କ ତତ୍ତ୍ଵାବଧାନରେ ପ୍ରତିବର୍ଷ ଜିଲ୍ଲା ତଥା ରାଜ୍ୟ ସ୍ତରରେ ପ୍ରଦର୍ଶିତ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରଦର୍ଶନୀ ରେ କୁନି ବୈଜ୍ଞାନିକ ମାନେ ଭାଗନେଇ କୃତିତ୍ଵ ଅର୍ଜନ କରିଛନ୍ତି। ତାଙ୍କ ଦ୍ଵାରା ପ୍ରଦର୍ଶିତ ବିଜ୍ଞାନ ଓ ଗାଣିତିକ ପ୍ରକଳ୍ପ ରାଜ୍ୟସ୍ତରରେ ପୁରସ୍କୃତ ହୋଇଛି। ଶ୍ରୀଯୁକ୍ତ ସାହୁ ଜଣେ ସୁଦକ୍ଷ, ଜ୍ଞାନୀ, ମେଳାପି ଓ ଛାତ୍ରବତ୍ସଳ ଶିକ୍ଷକ ଥିଲେ। ତାଙ୍କ ଅକାଳ ବିୟୋଗରେ ସମଗ୍ର ବରଗଡ଼ ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ମର ଶରୀର କୁ ଶେଷ ଦର୍ଶନ କରିବା ପାଇଁ ଏ ଅଞ୍ଚଳର ଶତାଧିକ ଶିକ୍ଷକ, ଛାତ୍ର ଛାତ୍ରୀ, ବୁଦ୍ଧିଜୀବୀ ତଥା ଜନସାଧାରଣ ସତୀଭଟା ସ୍ଥିତ ବାସଭବନରେ ଉପସ୍ଥିତ ଥିଲେ। ବଡ ପୁଅ ଆଶିଷ ମୁଖାଗ୍ନି ଦେଇଥିଲେ। ଶ୍ରୀ ସାହୁଙ୍କ ବିୟୋଗ ରାଜବୋଡ଼ାସମ୍ବର ଅଞ୍ଚଳ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ କାଳୀଚରଣ ଦୁବେ ଓ ନୋଡାଲ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଧର୍ମ କୁମାର ଶତପଥୀ ମତବ୍ୟକ୍ତ କରିଛନ୍ତି।