-+91-9937148622 |
prerana_bgr@rediffmail.com |
Friday 4th September 2026 |
R.N.I. Regd No. ODIODI/2010/46693
Breaking News
17-Mar-2022
ବୌଦ୍ଧ(ପ୍ରେରଣା ଖବର): ଜାତୀୟ ଟୀକାକରଣ ଦିବସ ଅବସରରେ ଗତକାଲିଠାରୁ ବୌଦ୍ଧ ଜିଲ୍ଲାରେ ୧୨ ରୁ ୧୪ବର୍ଷ ର କିଶୋର କିଶୋରୀ ମାନଙ୍କ ପାଇଁ କୋଭିଡ ଟିକାକରଣ ଆରମ୍ଭ ହୋଇଯାଇଛି l ଏଥିପାଇଁ ବୌଦ୍ଧ ଜିଲ୍ଲାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୧୪୦୦୦ ଡୋଜ କୋର୍ବେଭ୍ୟାକ୍ସ ଟୀକା ଯୋଗାଇ ଦିଆଯାଇଛି l ସ୍ଥାନୀୟ ଯୋଗୀନ୍ଦ୍ରଦେବ ଉଚ୍ଚ ବିଦ୍ୟାଳୟ ଠାରେ ଆରମ୍ଭ ହୋଇଥିବା ଏହି ଟୀକାକରଣ କାର୍ଯ୍ୟକ୍ରମକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡକ୍ଟର ଅଭୟ କୁମାର ଦାଶ ଆନୁଷ୍ଠାନିକ ଭାବରେ ଶୁଭାରମ୍ଭ କରିଥିଲେ l ପ୍ରଥମ ଥର ପାଇଁ ଅଫ ଲାଇନ ମାଧ୍ୟମରେ କିଶୋର କିଶୋରୀ ଙ୍କୁ କୋଭାକ୍ସିନ ଟୀକା ଦିଆଯାଇଥିଲା l ଟୀକାକରଣ ଅଭିଯାନ ସମ୍ପର୍କ ରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, ଜିଲ୍ଲାରେ ୧୨ ରୁ୧୪ ବର୍ଷ ମଧ୍ୟରେ ଥିବା ମୋଟ୧୫୯୮୬ ଜଣ କିଶୋର କିଶୋରୀଙ୍କୁ ଟୀକା ଦିଆଯିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି l ସେଥିମଧ୍ୟରୁ ପ୍ରଥମ ଦିନରେ ବୌଦ୍ଧ ଯୋଗୀନ୍ଦ୍ରଦେବ ଉଚ୍ଚ ବିଦ୍ୟାଳୟର ୪୦ ଜଣ ଛାତ୍ର ଛାତ୍ରୀଙ୍କୁ ଟୀକା ଦିଆଯାଇଥିଲା l କାହା ଠାରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇନଥିଲା l ମାର୍ଚ୍ଚ ୧୮ ତାରିଖ ରୁ ଜିଲ୍ଲାର ସମସ୍ତ ବ୍ଲକ ଯଥା, ବୌଦ୍ଧ, ହରଭଙ୍ଗା ଓ କଣ୍ଟାମାଳ ରେ ୧୨ ରୁ ୧୪ ବର୍ଷ ବୟସ୍କ କିଶୋର କିଶୋରୀଙ୍କୁ କୋର୍ବେଭ୍ୟାକ୍ସ ଟୀକା ଦିଆଯିବ l ସୂଚନାଯୋଗ୍ୟ ଯେ ୧୮ ବର୍ଷ ରୁ ଅଧିକ ବର୍ଷର ଜିଲ୍ଲାର ୯୩.୩୭ ପ୍ରତିଶତ ବ୍ୟକ୍ତି କୋଭିସିଲଡ଼ ଟୀକାର ପ୍ରଥମ ଡୋଜ ନେଇ ସାରିଥିବା ବେଳେ ୮୩.୧୭ ପ୍ରତିଶତ ବ୍ୟକ୍ତିଙ୍କୁ ଦୁଇଟି ଯାକ ମାତ୍ରା ଦିଆଯାଇଛି l ବୌଦ୍ଧ ଜିଲ୍ଲାର ୨୨ ଟି କେନ୍ଦ୍ରରେ କୋଭିଡ ଟୀକାକରଣ ଜାରି ରହିବା ସହ ଟୀକା ନ ନେଇଥିବା ବ୍ୟକ୍ତିଙ୍କୁ ଆଶା କର୍ମୀଙ୍କ ଜରିଆରେ ଚିହ୍ନଟ କରି ଘରକୁ ଘର ଯାଇ ଜିଲ୍ଲାର ସ୍ୱାସ୍ଥ୍ୟ କର୍ମୀ ମାନେ କୋଭିଡ ଟୀକାକରଣ କରୁଛନ୍ତି l ଟୀକାକରଣ ପାଇଁ ସମସ୍ତ ବ୍ୟକ୍ତି ବିଶେଷ ତୁରନ୍ତ କୋଭିଡ ଟୀକା ର ଦୁଇଟି ମାତ୍ରା ସହ ଯୋଗ୍ୟ ବ୍ୟକ୍ତି ପ୍ରିକସନ ଡୋଜ ନେବା ପାଇଁ ସ୍ୱାସ୍ଥ୍ୟ ବିଭାଗ ତଥା ଜିଲ୍ଲା ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି l ଏହି ଟୀକାକରଣ କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ବବିତାରାଣୀ ଦଳବେହେରା, ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରଦୋଷ ମହାପାତ୍ର, ଜିଲ୍ଲା ପରିବାର କଲ୍ୟାଣ ଅଧିକାରୀ ଡକ୍ଟର ଭଞ୍ଜକିଶୋର ରାମଚନ୍ଦ୍ର ଦେଓ ହେମ୍ବ୍ରମ, ଡିପିଏମ ରୂପକ ମହାପାତ୍ର, ଜିଲ୍ଲା ପ୍ରଜନନ ଓ ଶିଶୁ ସ୍ୱାସ୍ଥ୍ୟ ପରିଚାଳକ ଗିରିଜା ପ୍ରସାଦ ମିଶ୍ର, ଯୋଗୀନ୍ଦ୍ରଦେବ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ପ୍ଲାନ ଇଣ୍ଡିଆର ସ୍ବେଛାସେବୀ ତଥା ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ l