-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
02-Mar-2022
ନୟାଗଡ (ପ୍ରଦୀପ କୁମାର ପଣ୍ଡା): ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ନୟାଗଡ଼ ଜିଲ୍ଲା ଓଡ଼ଗାଁ ଶରଣକୁଳର ଲଡୁବାବାଙ୍କ ପୀଠରେ ଜାଗରଯାତ୍ରା ଅନୁଷ୍ଠିତ ହୋଯାଇଛି। ଏଠାରେ ୫୦ହଜାରରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଭକ୍ତମାନେ ବ୍ୟାରିକେଟ ଭିତରେ ଧାଡ଼ିବାନ୍ଧି ଠାକୁରଙ୍କ ଦର୍ଶନ ସାରି ଫେରିଥିଲେ। ଭୋରୁ ପହୁଡ଼ ଖୋଲିବା ପରେ ସକାଳ ନୀତିକାନ୍ତି ଅଧଘଣ୍ଟା ବିଳମ୍ବରେ ସଂପନ୍ନ ହୋଇଥିଲା। ଭୋର ୩ଟାରୁ ମନ୍ଦିର ଖୋଲି ୧ଘଣ୍ଟା ମଧ୍ୟରେ ଠାକୁରଙ୍କ ସକାଳ ଅବକାଶ ନୀତି ଶେଷ ହୋଇ ଭୋର ୪ଟାରୁ ସକାଳ ୭ଟା୩୦ମିନିଟ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ନିମନ୍ତେ ମନ୍ଦିର ଖୋଲାଥିଲା । ସକାଳ ୭ଟା୩୦ ମିନିଟରୁ ୧୦ଟା ମଧ୍ୟରେ ଠାକୁରଙ୍କ ସକାଳର ସମସ୍ତ ପୂଜା ନୀତି ସମାପନ ହୋଇସନ୍ଧ୍ୟା ୬ଟା ୩୦ ପର୍ଯ୍ୟନ୍ତ ଭକ୍ତମାନେ ଠାକୁରଙ୍କୁ ଦର୍ଶନ କରିବାର ସୁଯୋଗ ପାଇଥିଲେ । ମାତ୍ର ୧ଘଣ୍ଟା ମଧ୍ୟରେ ସଂଧ୍ୟା ପୂଜାନୀତି ସଂପନ୍ନ କରାଯାଇ ରାତ୍ର୧୦ଘଣ୍ଟା ପର୍ଯ୍ୟନ୍ତ ଭକ୍ତମାନେ ସାଧାରଣ ଦର୍ଶନ ସୁଯୋଗ ମଧ୍ୟ ପାଇଥିଲେ । ରାତି୧୦ଟା ୩୦ମିନିଟରେ ଲଡୁବାବାଙ୍କ ଚଳନ୍ତି ପ୍ରତିମା ପ୍ରଭୁ ଚନ୍ଦ୍ରଶେଖର ଦକ୍ଷିଣଦ୍ୱାର ଦେଇ ବେଢା ପରିକ୍ରମା କରିବା ପରେ ରାତ୍ର ୧୨ ଟା ସମୟରେ ମହାଦୀପ ଉଠିଥିଲା । ଭକ୍ତମାନେ ମନ୍ଦିର ସିଂହଦ୍ୱାର ଦେଇ ବେଢା ଭିତରକୁ ପ୍ରବେଶ କରି ମହନ ଓ ଘଣ୍ଟ ଦ୍ୱାର ଦେଇ ଠାକୁରଙ୍କୁ ଦର୍ଶନ କରି ଦକ୍ଷିଣ ଦ୍ୱାର ଦେଇ ବେଢାକୁ ଓ ସେଠାରୁ ହାତୀ ଦ୍ୱାର ଦେଇ ମନ୍ଦିର ବାହାରକୁ ପ୍ରସ୍ଥାନ କରିଥିଲେ । ଭକ୍ତମାନେ ମନ୍ଦିର ପରିସରରେ ଦୀପ ଜାଳିବା ପାଇଁ ନିଷିଦ୍ଧ କରାଯାଇଥିବାରୁ ଚତୁଃପାର୍ଶ୍ବରେ ସନ୍ଧ୍ୟାରୁ
ମହାଦୀପ ଉଠିବା ପର୍ଯ୍ୟନ୍ତ ବସି ଦୀପ ଜାଳିବାର ସୁଯୋଗ ପାଇଥିଲେ। ଶ୍ରଦ୍ଧାଳୁମାନେ ହାତରେ ଭୋଗ ରାଗ ଧରି ମନ୍ଦିରରେ ପ୍ରବେଶ କରିଥିଲେ। ହୁଳହୁଳି, ହରିବୋଲରେ ସବୁଆଡ ପ୍ରକମ୍ପିତ ହୋଇ ଉଠିଥିଲା। ମାନସିକଧାରୀମାନେ ଦିନ ତମାମ ନିର୍ଜଳ ଉପବାସ ରହି ଠାକୁରଙ୍କ ପାଖରେ ଆଶିଷ ଭିକ୍ଷା କରିଥିଲେ। ଆଉ କେତେକ ଶ୍ରଦ୍ଧାଳୁ ମହାନଦୀରୁ ପାଣି ଧରି ଖାଲି ପାଦରେ ଚାଲି ଚାଲି ଲଡୁବାବାଙ୍କ ପୀଠରେ ପହଞ୍ଚି ଜଳାଭିଷେକ କରିଥିଲେ। ଜିଲ୍ଲା ଏବଂ ଜିଲ୍ଲା ବାହାରୁ ଭକ୍ତମାନେ ବହୁ ସଂଖ୍ୟାରେ ଆସି ଠାକୁରଙ୍କୁ ଦର୍ଶନ କରିଥିଲେ। କୋଭିଡ଼ କଟକଣା ଯୋଗୁ ଦୁଇବର୍ଷ ଧରି ମନ୍ଦିରରେ ଜାଗରଯାତ୍ରା ବନ୍ଦ ଥିବାରୁ ଏବର୍ଷ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଥିଲା। ଜାଗରଯାତ୍ରାକୁ ନଜରରେ ରଖି ପିଲାଙ୍କ ପାଇଁ ଦୋଳି, ମିନାବଜାର ସହିତ ଅନେକ ଦୋକାନ ରେ ଭିଡ଼ ପରିଲିକ୍ଷିତ ହୋଇଥିଲା | କୋଭିଡ କଟକଣା କୋହଳ ହେତୁ ଯାତ୍ରା ସ୍ବର୍ଣ୍ଣମହଲ ପଡିଥିବା ଜଣାପଡିଛି।