-+91-9937148622 |
prerana_bgr@rediffmail.com |
Monday 22nd June 2026 |
R.N.I. Regd No. ODIODI/2010/46693
Breaking News
13-Nov-2020
ଭୁବନେଶ୍ୱର(ଦୀପକ କୁମାର ଷଡଙ୍ଗୀ): ଚକେଇସିଆଣି ନୂଆ କେନାଲ ବ୍ରିଜ ନିକଟରେ ମଟନ ଦୋକାନୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିବା ମାମଲାରେ ମଞ୍ଚେଶ୍ୱର ଥାନା ପୁଲିସ ୨ ଅପରାଧୀଙ୍କୁ ଗିରଫ କରିଛି । ସେମାନେ ହେଲେ ସମେଗଡ଼ିଆର ଜୀବନ ଓରଫ ଜୀବନଜ୍ୟୋତି ବେହେରା(୨୫) ଓ ମଞ୍ଚେଶ୍ୱର ଗୋପବନ୍ଧୁ ବସ୍ତିର ସୌମ୍ୟ ରଞ୍ଜନ ରାଉତ(୨୦) । ପୁଲିସ ଉଭୟଙ୍କ ଠାରୁ ଏକ ବାଇକ୍, ଗୋଟିଏ ଖଣ୍ଡା ଓ ଏକ ଲୁହା ରଡ୍ ଜବତ କରିଛି ।
ସୂଚନା ଅନୁଯାୟୀ, ବାଲିଅନ୍ତା ଅଣ୍ଡିଲୋର ସେକ୍ ମୁସ୍ତାକ(୩୦) ଚକେଇସିଆଣି ନୂଆ କେନାଲ ବ୍ରିଜ୍ ନିକଟରେ ମଟନ ଦୋକାନ କରିଥିଲେ । ଗତ ୮ ତାରିଖ ରାତି ସାଢ଼େ ୮ଟା ସମୟରେ ହଠାତ୍ ୫/୬ଟି ବାଇକ୍ରେ ୧୦ରୁ ୧୨ ଜଣ ତାଙ୍କ ଦୋକାନ ନିକଟରେ ପହଞ୍ଚିଥିଲେ । ବାଇକ୍ରୁ ଓହ୍ଲାଇ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ଖଣ୍ଡା ଓ ଭୁଜାଲିରେ ହାଣି ପକାଇଥିଲେ । ଜୀବନ ବିକଳରେ ମୁସ୍ତାକ ଦୌଡ଼ୁଥିବା ବେଳେ ସେମାନେ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ । ମୁସ୍ତାକ ତଳେ ପଡ଼ିଯିବା ପରେ ଆକ୍ରମଣକାରୀମାନେ ତାଙ୍କ ଠାରୁ ମୋବାଇଲ ଓ ଟଙ୍କା ଛଡ଼ାଇ ନେଇ ସେଠାରୁ ପଳାଇଥିଲେ । ମୁସ୍ତାକଙ୍କ ଦେହର ବିଭିନ୍ନ ସ୍ଥାନରେ ଚୋଟ ବାଜିଥିଲା । ଖବରପାଇ ମଞ୍ଚେଶ୍ୱର ଥାନା ପୁଲିସ ସେଠାରେ ପହଞ୍ଚି ମୁସ୍ତାକଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲ ପଠାଇଥିଲା । ଦାଦା ବଟିକୁ ନେଇ ମୁସ୍ତାକଙ୍କୁ ଆକ୍ରମଣ କରା ଯାଇଥିବା ପୁଲିସ ଜାଣିବାକୁ ପାଇଥିଲା । ପୁଲିସ ଏକ ମାମଲା ରୁଜୁକରି ଜୀବନ ଓ ସୌମ୍ୟଙ୍କୁ ଗତକାଲି ରାତିରେ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିଲା । ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି । ଏହି ମାମଲାରେ ସଂପୃକ୍ତ ଅନ୍ୟମାନେ ଫେରାର୍ ଅଛନ୍ତି । ସେମାନଙ୍କୁ ଗିରଫ କରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି ।