-+91-9937148622 |
prerana_bgr@rediffmail.com |
Thursday 15th October 2026 |
R.N.I. Regd No. ODIODI/2010/46693
Breaking News
28-Jan-2022
ପଦ୍ମପୁର:-ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପରିଚାଳିତ ୨୦୨୧-୨୨ ଶିକ୍ଷା ବର୍ଷର ପଞ୍ଚମ ଶ୍ରେଣୀ ମେଧା ବୃତ୍ତି ପରୀକ୍ଷାରେ ବରଗଡ଼ ଜିଲ୍ଲା, ପାଇକମାଲ ବ୍ଲକ ଅନ୍ତର୍ଗତ ମାଣ୍ଡୋସିଲ କ୍ଲଷ୍ଟରର ଡୁମ୍ବେରବାହାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ କୁମାରୀ ରେଣୁକା ସାହୁ ସଫଳତାର ସହ ବ୍ଲକ ଟପ୍ପର ଭାବେ ଉତ୍ତୀର୍ଣ୍ଣ ହୋଇ ମେଧାବୃତ୍ତି ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । କରୋନା ମହାମାରୀ ଯୋଗୁଁ ଦୀର୍ଘ ଦୁଇ ବର୍ଷ ହେଲା ସ୍କୁଲରେ ଶିକ୍ଷାଦାନ ବନ୍ଦ ଥାଇ ମଧ୍ୟ ସେ ଏହି ପରୀକ୍ଷାରେ ସର୍ବାଧିକ ୮୧ ପ୍ରତିଶତ ନମ୍ବର ରଖିଥିବା ଜଣାଯାଇଛି । ସବୁବେଳେ ଶ୍ରେଣୀଗୃହ ଅଭାବ, ଆବଶ୍ୟକ ସଂଖ୍ୟକ ଶିକ୍ଷକ ଅଭାବ ଇତ୍ୟାଦି ସମସ୍ୟା ଦେଇ ଗତି କରୁଥିବା ଡୁମ୍ବେରବାହାଲ ଭଳି ଏକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଜଣେ ଛାତ୍ରୀ ଏହି ବିରଳ କୃତିତ୍ୱ ହାସଲ କରିବା ଏଠାରେ ଗର୍ବ ଓ ଗୌରବର ବିଷୟ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି । ପ୍ରଧାନଶିକ୍ଷକ ଶ୍ରୀ ହୃଷିକେଶ ବାଗ ଓ ଅନ୍ୟ ଶିକ୍ଷକମାନଙ୍କ ଅକ୍ଲାନ୍ତ ପରିଶ୍ରମ ତଥା ଉଦ୍ୟମ ଓ ସଂପୃକ୍ତ ଛାତ୍ରୀଙ୍କ ପାଠପଢ଼ାରେ ନିଷ୍ଠା ଏବଂ ଜଣେ ଦକ୍ଷ ଶିକ୍ଷା ପ୍ରଶାସକ ଭାବେ ପାଇକମାଲ ବି.ଇ.ଓ ଶ୍ରୀଯୁକ୍ତ ଚୁଡ଼ାମଣି ବାରିକଙ୍କ ସଠିକ ଦିଗଦର୍ଶନ ଯୋଗୁଁ ଏହା ସମ୍ଭବ ହୋଇଥିବା କୁହାଯାଉଛି । ସୂଚନାଯୋଗ୍ୟ ଯେ ସଂପୃକ୍ତ କୃତି ଛାତ୍ରୀ ରେଣୁକା ସାହୁ ହେଉଛନ୍ତି ସବୁବେଳେ ଶିକ୍ଷା ସଚେତନତା ଓ ସ୍କୁଲର ଉନ୍ନତି ପାଇଁ କାର୍ଯ୍ୟ କରୁଥିବା ସମାଜସେବୀ, ପୂର୍ବତନ ସାମ୍ବାଦିକ ତଥା ଡୁମ୍ବେରବାହାଲ ସ୍କୁଲ ପରିଚାଳନା କମିଟି ସଭାପତି ଶ୍ରୀ ବନବସ ସାହୁ ଓ ଶ୍ରୀମତୀ ଚନ୍ଦ୍ରାବତୀ ସାହୁଙ୍କ କନିଷ୍ଠା କନ୍ୟା । ସେ ପାଇବାକୁ ଥିବା ମେଧାବୃତ୍ତି ମଧ୍ୟରୁ ଏକ ବର୍ଷର ବୃତ୍ତି ରାଶିକୁ ସ୍କୁଲର ଉନ୍ନତି ପାଇଁ "ମୋ ସ୍କୁଲ ଅଭିଯାନ"କୁ ଦାନ କରିବା ସକାଶେ ମନସ୍ଥ କରି ଘୋଷଣା କରିଛନ୍ତି । ଫଳରେ କୃତି ଛାତ୍ରୀ ରେଣୁକା ସାହୁ ଓ ସଂପୃକ୍ତ ସ୍କୁଲ ପ୍ରଧାନଶିକ୍ଷକ ହୃଷିକେଶ ବାଗଙ୍କୁ ସବୁ ମହଲରୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି ।