-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
11-Jan-2022
ଲୋଇସିଂହା, ବଲାଙ୍ଗୀର ଜିଲ୍ଲା ଲୋଇସିଂହା ପଞ୍ଚାୟତ ସମିତିର ଚାଲିଛି ଅଫିସର ରାଜ l ଦୀର୍ଘଦିନ ଧରି ଏଠାରେ ବିଡ଼ିଓ ନିଜ ଆସ୍ଥାନ ଜମାଇ ବସିଥିବା ଯୋଗୁଁ ବ୍ଲକରେ କ୍ରମଶଃ ଅରାଜକତା ବଢ଼ିବାରେ ଲାଗିଥିବା ଦେଖିବାକୁ ମିଳିଛି l ନିୟମାନୁଯାୟୀ, ଜଣେ ଅଧିକାରୀ କୌଣସି ସ୍ଥାନରେ ଅତି ବେଶୀରେ ୩ ବର୍ଷ ରହିବା କଥା l ତେବେ ଲୋଇସିଂହା ବିଡ଼ିଓ ରାମଚନ୍ଦ୍ର ଖାଡ଼ିଆ ଏଠାରେ ଯୋଗ ଦେବା ଛଅ ବର୍ଷ ବିତି ଯାଇଥିଲେ ହେଁ ସେ ତାଙ୍କ ଚଉକିକୁ ମାଡି ବସିଛନ୍ତି l ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ସେ ଏହି ବ୍ଲକ ଦାୟିତ୍ୱରେ ଥିଲେ l ଶ୍ରୀ ଖାଡ଼ିଆ ଲୋଇସିଂହାର ବିଡ଼ିଓ ଭାବେ ଦାୟିତ୍ୱ ନେବା ଇତି ମଧ୍ୟରେ ଛଅ ବର୍ଷ ବିତିଯାଇଥିଲେ ହେଁ ତାଙ୍କ ବଦଳି ହୋଇପାରି ନାହିଁ l ବିଭାଗୀୟ ଉଚ୍ଚ ଅଧିକାରୀଙ୍କୁ ହାତବାରିସୀ କରି ସେ ନିଜ ଚଉକିକୁ ଜାବୁଡି ଧରି ବସିଛନ୍ତି l ନିର୍ବାଚନ ଦୃଷ୍ଟିରୁ ଆଗକୁ ମଧ୍ୟ ତାଙ୍କ ବଦଳି ହେବା ଆଶା କ୍ଷୀଣ l ଫଳରେ ଗୋଟିଏ ବ୍ଲକରେ ଦୁଇ ଦୁଇଟି ନିର୍ବାଚନ ପରିଚଳନା ଦାୟିତ୍ୱରେ ରହି ରେକର୍ଡ ଅପେକ୍ଷାରେ ଅଛନ୍ତି ଖାଡ଼ିଆ ମହାଶୟ l ନିର୍ବାଚନ ପରିଚାଲନା ସମ୍ବନ୍ଧୀୟ ଖର୍ଚ୍ଚର ହିସାବ ସରକାର ମାଗୁ ନ ଥିବା ବେଳେ ଏ ନେଇ ଅଡିଟ ମଧ୍ୟ କରାଯାଇ ନ ଥାଏ l ଫଳରେ ଆସନ୍ତା ପଞ୍ଚାୟତ ନିର୍ବାଚନରେ ମଧ୍ୟ ବେଶ ଦୁଇ ପଇସା ହାତେଇବାର ଆଶା ରଖିଛନ୍ତି ବର୍ତ୍ତମାନର ବିଡ଼ିଓ l ଏପରିକି ଗତ ବର୍ଷ ପଞ୍ଚାୟତ ଗୁଡିକର କ୍ୱାରେଣ୍ଟଇନ ସେଣ୍ଟରକୁ ସାମଗ୍ରୀ ଯୋଗାଣରେ ବେଶ ହାତ ଚିକ୍କଣ କରିଥିଲେ ବିଡ଼ିଓ l ଏଥିସହିତ ଆବାସ ଯୋଜନା ଦୁର୍ନୀତି, ସ୍ଵଛ ଭାରତ ଯୋଜନା ପାଇଖାନା ନିର୍ମାଣରେ ଅର୍ଥ ହେରଫେର ତଥା ଆଦର୍ଶ ଗାଈ ଗୁହାଳ ଯୋଜନାରେ ବହୁବିଧ ଦୁର୍ନୀତି ଅଭିଯୋଗ ତାଙ୍କ ନାମରେ ରହିଥିଲେ ସୁଦ୍ଧା ଉପରିସ୍ଥ ପ୍ରଶାସନିକ ଅଧିକାରୀଙ୍କ ସହିତ ରହିଥିବା ମଧୁର ସମ୍ପର୍କ ଯୋଗୁଁ ତାଙ୍କୁ ଏଠାରୁ ବଦଳି ହେଉନଥିବା ଚର୍ଚ୍ଚା ହେଉଛି l ଏପରିକି ବ୍ଲକ ସହକାରୀ ଯନ୍ତ୍ରୀଙ୍କ ବିନା ଅନୁମୋଦନରେ ମନରେଗା ବିଲ କରାଯାଇ ସେ ବାବଦରେ ସରକାରୀ ଅର୍ଥର ସିଂହଭାଗ ଅନୁଦାନ ହଡପ କରାଯାଉଥିବା ଅଭିଯୋଗ ହେଉଛି l ପ୍ରକାରାନ୍ତରେ ଲୋଇସିଂହା ବ୍ଲକରେ ବର୍ତ୍ତମାନ ଅରାଜକତା ଦେଖା ଦେଇଥିବା ଚର୍ଚ୍ଚା ହେଉଛି l ପଞ୍ଚାୟତିରାଜ ବିଭାଗ ମନ୍ତ୍ରୀ ତଥା ବଲାଙ୍ଗୀର ଜିଲ୍ଲାପାଳ ଏଥିପ୍ରତି ସ୍ୱତନ୍ତ୍ର ଭାବେ ଦୃଷ୍ଟିଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି l