-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
06-Jan-2022
ନର୍ଲା(ସଞ୍ଜିବ ଦାସ): ନର୍ଲା ବ୍ଲକ୍ ରୁପ୍ରା ଗ୍ରାମପଞ୍ଚାୟତ ଅନ୍ତର୍ଗତ ବିଜୟାନନ୍ଦ ଖେଳ ପଡିଆ ଠାରେ ବିଜୟାନନ୍ଦ ସ୍ପୋର୍ଟ୍ସ୍ କ୍ଲବ୍ ଗୋବିନ୍ଦପୁର, ରୁପ୍ରା ଆୟୋଜନରେ ବୁଧବାର ଦିନ ପ୍ରଥମ ଘାଁସି ମେମୋରିଆଲ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ୍ ଉଦଘାଟିତ ହୋଇଯାଇଛି । ସୂଚନା ଥାଉକି ସ୍ୱର୍ଗତ ଘାଁସିରାମ ସାହୁ ଉକ୍ତ ଅନୁଷ୍ଠାନର ବରିଷ୍ଠ ସଦସ୍ୟ ଥିବାବେଳେ ଅଞ୍ଚଳରେ ଜଣେ ଜଣାଶୁଣା କ୍ରୀଡାବିତ୍ ଭାବରେ ତାଙ୍କର ବେଶ୍ ଖ୍ୟାତି ଥିଲା । ଗତବର୍ଷ ଏପ୍ରିଲ୍ ୨୦ ତାରିଖ ଦିନ ମାଲପଡା ଗ୍ରାମର ମୋହନ ସାହୁଙ୍କ ଏକମାତ୍ର ପୁଅ ଘାଁସିରାମ ସାହୁଙ୍କ ହଠାତ୍ ପରଲୋକ ହୋଇଯାଇଥିଲା ।
ଏଣୁ ସ୍ୱର୍ଗତ ଘାଁସିରାମଙ୍କ ସ୍ମୃତି ଉଦ୍ଦେଶ୍ୟରେ ଉକ୍ତ ଅନୁଷ୍ଠାନ ତରଫରୁ ଘାଁସି ମେମୋରିଆଲ୍ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଗ୍ରାମ୍ୟ ଉନ୍ନୟନ କମିଟିର ସଭାପତି ତଥା ପୂର୍ବ ସରପଞ୍ଚ ଶ୍ୟାମ ସୁନ୍ଦର ସେନାପତି, ସମ୍ମାନୀତ ଅତିଥି ଭାବରେ ଗ୍ରାମ୍ୟ ଉନ୍ନୟନ କମିଟିର ସମ୍ପାଦକ ଗୌରଚନ୍ଦ୍ର ଭୋଇ, ଯୁବ ବ୍ୟବସାୟୀ ସୁଶାନ୍ତ ସେନାପତି ଓ ସମାଜସେବୀ ପ୍ରିୟରଞ୍ଜନ ବେହେରା ପ୍ରମୁଖ ଯୋଗଦାନ କରି ସ୍ୱର୍ଗତ ଘାଁସିଙ୍କ ଫଟୋରେ ପୁଷ୍ପ ଅର୍ପଣ କରି ଶୃତି ଚାରଣ କରିବା ସହ ପ୍ରତିଯୋଗିତାର ଶୁଭାରମ୍ଭ କରିଥିଲେ । ଏହି ପ୍ରତିଯୋଗିତାରେ ବଲାଙ୍ଗିର ଓ କଳାହାଣ୍ଡି ଜିଲ୍ଲାର ଆଠଟି ଫୁଟବଲ୍ ଟିମ୍ ଅଂଶ ଗ୍ରହଣ କରିଛନ୍ତି । ଉଦଘାଟନି ମ୍ୟାଚ୍ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଓ କେସିଙ୍ଗା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ବଙ୍ଗୋମୁଣ୍ଡା ୧ - ୦ ଗୋଲରେ ବିଜୟୀ ହୋଇଥିଲା । ଗୁରୁବାର (ଆଜି) ବଲାଙ୍ଗିର ଜିଲ୍ଲା ବଡମାଲ ଓ ଆୟୋଜକ ରୁପ୍ରା ମଧ୍ୟରେ ଖେଳ ଅନୁଷ୍ଠିତ ହେବ। ଖେଳ ପରିଚାଳନା ସନ୍ତୋଷ ନାୟକ କରିଥିବା ବେଳେ ଲାଇନରେ ମକୁନ୍ଦ ନାଏକ ଓ ସୁରେଶ ନାୟକ ସହଯୋଗ କରିଥିଲେ । କମିଟିର ଟଙ୍କଧର ମାଝୀ, ବାବା ସାହୁ, ଜକର ଗୌଡ, ଶରତ ନାଏକ, ଡିଳେଶ୍ୱର ସାହୁ ଓ ବିକାଶ ନାଏକଙ୍କ ସମେତ କର୍ମକର୍ତ୍ତା ସହଯୋଗ କରିଥିଲେ