-+91-9937148622 |
prerana_bgr@rediffmail.com |
Saturday 11th July 2026 |
R.N.I. Regd No. ODIODI/2010/46693
Breaking News
08-Nov-2021
ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ) - ସୁବର୍ଣ୍ଣପୁର ଜିଲ୍ଲାର ବିକାଶ କଥା କହିଲେ ସୋନପୁରର ପୂର୍ବତନ ବିଧାୟକ ସ୍ୱର୍ଗତ କୁନ୍ଦୁରୁ କୁଶଳଙ୍କ ନାମ ସର୍ବାଗ୍ରେ ଆସିଥାଏ । ସୁବର୍ଣ୍ଣପୁର ଜିଲ୍ଲା ପ୍ରତିଷ୍ଠା କଥା କୁହନ୍ତୁ, ମହିଳା ମହାବିଦ୍ୟାଳୟ କିମ୍ବା ମହାନଦୀ ବ୍ରିଜ କଥା କୁହନ୍ତୁ କୁନ୍ଦୁରୁଙ୍କ ଅବଦାନକୁ କେବେ ହେଲେ ଭୁଲି ପାରିବେ ନାହିଁ ସୋନପୁରିଆ ମାନେ । ଏକ ସାଧାରଣ ମଣିଷ ଟିଏକୁ ସଫଳତାର ଶୀର୍ଷ ସ୍ଥାନକୁ ପହଞ୍ଚାଇବାର କଳା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ଜଣା ଥିଲା ଏହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି କୁନ୍ଦୁରୁ କୁଶଳ । ୨୭ ନଭେମ୍ବର ୧୯୫୧ ମସିହାରେ ଏକ ଦଳିତ ପରିବାର ଈଶ୍ୱର ଏବଂ କସ୍ତୁରୀ କୁଶଳଙ୍କ ଔରସରୁ ଜନ୍ମ ଗ୍ରହଣ କରିଥିଲେ କୁନ୍ଦୁରୁ । ଗରିବ ପରିବାରରେ ଜନ୍ମ ଗ୍ରହଣ କରିଥିବାରୁ ସେ କେବେ ଚିନ୍ତା କରିନଥିଲେ ଯେ ଦିନେ ସୋନପୁରର ବିଧାୟକ ହୋଇ ବିଜୁ ପଟ୍ଟନାୟକଙ୍କ ଅତି ଆପଣାର ହୋଇ ପାରିବେ । ରାଜ୍ୟ ରେ ଏତେ ଲୋକ ପ୍ରିୟତା ହାସଲ କରିବେ l ତେବେ ଗୁଣି ଚିହ୍ନେ ଗୁଣିଆ ଭଳି ଏକଦା ସୋନପୁର ଦେଇ ଯାଉଥିବା ବିଜୁ ବାବୁଙ୍କ ଆଖି ଇଟା ଗଢ଼ୁଥିବା ବା ଶ୍ରମିକ ଭାବେ କାମ କରୁଥିବା କୁନ୍ଦୁରୁଙ୍କ ଉପରେ ପଡିଥିଲା । ଡେଙ୍ଗା ମଣିଷ ବିଜୁ ବାବୁଙ୍କୁ ଦେଖି କୁନ୍ଦୁରୁ ସେଠାରେ ପ୍ରଣିପାତ କରି ତାଙ୍କ ଆଶୀର୍ବାଦ ନେଇଥିଲେ । ପ୍ରବାଦ ପୁରୁଷଙ୍କ ସେ ଦିନର ଆଶୀର୍ବାଦ ହିଁ କୁନ୍ଦୁରୁ କୁଶଳଙ୍କୁ ଏକଦା ସୋନପୁରରେ ଅପ୍ରତିଦ୍ୱନ୍ଦୀ ନେତା ଭାବେ ଗଢି ତୋଳିଥିଲା । କଥା ରେ ଅଛି ଯେ ଅଳ୍ପ ବିଦ୍ୟା ବା ଦୁଃସାହସ ଭୟଙ୍କରୀ ଅଟେ l ଆଉ ତାହା ଶ୍ରୀ କୁଶଳ ଙ୍କ କ୍ଷେତ୍ର ରେ ଉଦାହରଣ ଦେଖିବାକୁ ମିଳେ l ୧୯୯୦, ୧୯୯୫ ଓ ୨୦୦୦ ମସିହାରେ ସୋନପୁରରୁ ନିର୍ବାଚନ ଜିଣି ତିନି ତିନି ଥର ବିଧାୟକ ହୋଇ ପାରିଥିଲେ କୁନ୍ଦୁରୁ କୁଶଳ । କୁନ୍ଦୁରୁଙ୍କୁ ବିଜୁ ବାବୁ କେତେ ଭଲ ପାଉଥିଲେ ତାହାର ନିଦର୍ଶନ ବିଭିନ୍ନ ସଭା ସମିତିରେ ଦେଖିବାକୁ ମିଳିଥିଲା । ଏକଦା ମାଣିକେଶ୍ୱରୀ ପଡିଆରେ ବିଜୁ ବାବୁଙ୍କ ନିର୍ବାଚନୀ ସଭା ଚାଲିଥିବା ବେଳେ ସାଉଣ୍ଡ ସିଷ୍ଟମରେ ସମସ୍ୟା ଦେଖା ଦେବାରୁ ବିଜୁ ବାବୁ କହିଥିଲେ ‘ଏ କାନ୍ଦୁରୁ ଏହି ମାଇକ୍ କଉଠୁ ଆଣିଛୁ, ଭଡା ଦେଇଛୁ ନା ନାହିଁ’ । ବିଜୁ ବାବୁଙ୍କୁ ପିତ୍ରୁତୂଲ୍ୟ ସମ୍ମାନ ଦେଉଥିଲେ କୁନ୍ଦୁରୁ ଏବଂ କୁନ୍ଦୁରୁଙ୍କୁ ବିଜୁ ବାବୁ ମଧ୍ୟ ବହୁତ ଭଲ ପାଉଥିଲେ । କୁନ୍ଦୁରୁ କୁଶଳ ସୋନପୁର ବିଧାୟକ ଥିବା ସମୟରେ ସୁବର୍ଣ୍ଣପୁର ଏକ ନୂତନ ଜିଲ୍ଲାଭାବେ ଗଢି ଉଠିଥିଲା । ସେହିଭଳି ଗମନାଗମନ କ୍ଷେତ୍ରରେ ଏକ୍ ମାଇଲ ଖୁଣ୍ଟ ସଦୃଶ ନିର୍ମାଣ ହୋଇଥିଲା ମହାନଦୀ ବ୍ରିଜ୍ । ବିଜୁ ବାବୁଙ୍କୁ
ହାରି ଗୁହାରୀ କରି ସୋନପୁରର ଉନ୍ନତି ମୂଳକ ପ୍ରକଳ୍ପ ହାସିଲ କରିବାରେ ସିଦ୍ଧହସ୍ତ ଥିଲେ କୁନ୍ଦୁରୁ । କୁନ୍ଦୁରୁଙ୍କୁ ଏକ ରାଜଦୂତ ମଟର ସାଇକଲ ଉପହାର ଭାବେ ଦେଇଥିଲେ ବିଜୁ ବାବୁ । ଆଉ ସେ ମଟର ସାଇକିଲ କୁ ଧରି ପ୍ରତି ଦିନ ସକାଳେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ଚାରିପାଖେ ଆଗେ ପାଞ୍ଚ ଥର ଘୁରନ୍ତି ଶ୍ରୀ କୁନ୍ଦୁରୁ l ବିଭିନ୍ନ ରାଜନେତା ନିଜ ପୁଅ ଝିଅଙ୍କୁ ରାଜନୀତିକୁ ଆଣି ଟିକଟ ଦାବି କରୁଥିବା ବେଳେ କୁନ୍ଦୁରୁ ତାଙ୍କ ରାଜନୈତିକ ଜୀବନ କାଳ ମଧ୍ୟରେ ପରିବାରର କୌଣସି ସଦସ୍ୟକୁ ରାଜନୀତିକୁ ଆଣି ନଥିଲେ । ୨୦୦୮ ମସିହା ନଭେମ୍ବର ୮ ତାରିଖରେ କୁନ୍ଦୁରୁ କୁଶଳଙ୍କ ପରଲୋକ ହୋଇଥିଲା । ଆଜି ତାଙ୍କର ୧୪ତମ ଶ୍ରାଦ୍ଧ ବାର୍ଷିକୀ । ତେବେ କୁନ୍ଦୁରୁଙ୍କ ବିୟୋଗ ହୋଇ ଯାଇଛି ସତ କିନ୍ତୁ ସେ ସର୍ବଦା କହୁଥିବା ‘ମୋର୍ ସୋନପୁର୍ ମୋତେ ସୁନ୍ଦର’ କଥା ପଦକ ଆଉ ଛୋଟ ଠୁ ବଡ଼ ଲୋକ ଯାଏ ସମସ୍ତ ଙ୍କ ପ୍ରତି ସ୍ନେହ ଶ୍ରଦ୍ଧା ଓ ଉତ୍ତମ ବ୍ୟବହାର ଚିରକାଳ ଯାଏଁ ସୋନପୁରିଆ ଓ ଏ ଅଞ୍ଚଳ ବାସୀ ଙ୍କ ହୃଦୟ ଭିତରେ ରହିଥିବ ।