-+91-9937148622 |
prerana_bgr@rediffmail.com |
Wednesday 7th October 2026 |
R.N.I. Regd No. ODIODI/2010/46693
Breaking News
03-Mar-2021
ଝାରସୁଗୁଡା(ପ୍ରେରଣା ଖବର): ପୁଣି ଥରେ ଝାରସୁଗୁଡାରୁ ଟଙ୍କା ଲୁଟିଲେ ସାଇବର ଲୁଟେରା । ୧୫ ଦିନ ପରେ ସାଇବର ଠକ ଲୁଟି ନେଲେ ୧ ଲକ୍ଷ ୬୯ ହଜାର ଟଙ୍କା । ଏଥର ଅମିତାଭ ବଚ୍ଚନଙ୍କୁ ଢାଲ କରି ଲୁଟିଲେ ଟଙ୍କା । ଝାରସୁଗୁଡା ଜିଲ୍ଲା ବେଲପାହାଡ ପୌରାଞ୍ଚଳର ଗାନ୍ଧିନଗରର ଜଣେ ଦିନ ମଜୁରିଆଙ୍କ ଠାରୁ ୧ ଲକ୍ଷ ୬୯ ହଜାର ଟଙ୍କା ଠକି ନେଇଛନ୍ତି ସାଇବର ଠକ । ଠକେଇର ଶିକାର ହୋଇଥିବା ଯୁବତୀ ଜଣଙ୍କ ଗାନ୍ଧୀନଗରର ଶକ୍ତି ଛତରଙ୍କ ଝିଅ ନିତା ଛତର ବୋଲି ଜଣାପଡିଛି ।
ସୂଚନାଯୋଗ୍ୟ ଯେ, ଗତ ୨୩ ତାରିଖ ରାତିରେ ଏକ ଅଜଣା ନମ୍ବରରୁ ନିତାଙ୍କ ପାଖକୁ ଫୋନ୍ ଆସିଥିଲା । ବ୍ୟକ୍ତି ଜଣଙ୍କ କହିଥିଲେ ଆପଣ ‘କୌନ ବନେଗା କରୋଡପତି’ରେ ୩୫ ଲକ୍ଷ ଟଙ୍କାର ଲଟେରୀ ଜିତିଛନ୍ତି । ଏହାପରେ ୨୪ ତାରିଖରେ ପୁଣି ସେହି ବ୍ୟକ୍ତି ଜଣଙ୍କ ଫୋନ୍ କରି ଲଟେରୀ ଟଙ୍କା ଆପଣଙ୍କ ଆକାଉଣ୍ଟରେ ପକାଇ ଦିଆଯିବ ହେଲେ ଏଥିପାଇଁ ବିକାଶ ରାମ ନାମରେ ଥିବା ଏକ ଆକାଉଣ୍ଟ ନମ୍ବରରେ ୧୮ହଜାର ୨ଶହ ଟଙ୍କାର ସରକାରୀ ଟ୍ୟାକ୍ସ ବାବଦରେ ଜମା କରିବା ପାଇଁ କହିଥିଲା । ନିତା ତାଙ୍କ ପରିବାରଲୋକଙ୍କ ସହ ଯାଇ ବେଲପାହାଡର ଏକ ମନି ଟ୍ରାନ୍ସଫର କାଉଣ୍ଟରରୁ ସେହି ଆକାଉଣ୍ଟରେ ୧୮ ହଜାର ୨ଶହ ଟଙ୍କା ପଠାଇଥିଲେ ।
ଏହାପରେ ସାଇବର ଠକ ପୁଣି ନିତାକୁ ଫୋନ୍ କରି ୩୫ ହଜାର, ୩୧ ହଜାର ଓ ୫ ହଜାର ଟଙ୍କା ଜମା କରିବା ପାଇଁ କହି ନିତାଙ୍କ ପାଖକୁ ହ୍ବାଟସଆପରେ ୩୫ ଲକ୍ଷ ଟଙ୍କାର ଏକ ଚେକ୍ ପଠାଇଥିଲା । ତାହା ମଧ୍ୟ ନିତା ଜମା କରିଥିଲେ । ୨୫ ତାରିଖ ଚେକକୁ ତାଙ୍କ ପାଖକୁ ପଠାଇ ଦିଆଯିବ କିନ୍ତୁ ଏହା ପୂର୍ବରୁ ଆହୁରି ୪୦ ହଜାର ଟଙ୍କା ପୈଠ କରନ୍ତୁ ବୋଲି କହିଥିଲା । ନିତା ୪୦ ହଜାର ଡିପୋଜିଟ କରିବା ପରେ ସାଇବର ଠକ ପୁଣି ୪୦ ହଜାର ଟଙ୍କା ମାଗିଥିଲା । ୩୫ ଲକ୍ଷ ଟଙ୍କାର ଲଟେରୀ ଲୋଭରେ ନିତା ପୁଣି ୪୦ ହଜାର ଟଙ୍କା ଠକ ଆକାଉଣ୍ଟରେ ଡିପୋଜିଟ୍ କରିଥିଲେ ।
ଏହା ସତ୍ତ୍ବେ ତାଙ୍କ ପାଖକୁ କୌଣସି ଲଟେରୀ ପଇସା ଆସିଲା ନାହିଁ । ୨୬ ତାରିଖ ଦିନ ସାଇବର ଠକ ପୁଣି ନିତାଙ୍କୁ ଫୋନ୍ କରି ସେ ୬୫ ହଜାର ଟଙ୍କା ପଠାଇଲେ କେବିସିରେ କାମ କରୁଥିବା ତାଙ୍କର ଜଣେ ସଦସ୍ୟ ଦୁବାଇ ଯାଇ ଟଙ୍କା ଆଣିବ ବୋଲି କହିଥିଲେ । ଏହାପରେ ନିତା ଠକେଇର ଶିକାର ହେଉଥିବା ଜାଣି ପାରି ପୋଲିସର ଦ୍ବାରସ୍ଥ ହୋଇଥିଲେ । ବେଲପାହଡ ଥାନାରେ ଏ ନେଇ ଏକ ମାମଲା ରୁଜୁ ହୋଇଛି । ଗତ ଫେବୃଆରୀ ୧୬ ତାରିଖରେ ଝାରସୁଗୁଡାର ଜଣେ ଯୁବକ ସମୀର ପାଢୀ ସାଇବର ଠକଙ୍କ ଜାଲରେ ପଡି ୩୫ ହଜାର ଟଙ୍କା ଦେବା ପରେ ଚେତା ପଶିବାରୁ ବଡମାଲ ଥାନାରେ ଏତଲା ଦେଇଥିଲେ ।