-+91-9937148622 |
prerana_bgr@rediffmail.com |
Tuesday 28th July 2026 |
R.N.I. Regd No. ODIODI/2010/46693
Breaking News
28-Jul-2026
ବଲାଙ୍ଗୀର(ପ୍ରେରଣା ଖବର) :ସ୍ଥାନୀୟ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଅନୁଦାନ ପ୍ରାପ୍ତ ଓ ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ମାନଙ୍କ ଏକ ଦିନିଆ ଦକ୍ଷତା ବିକାଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟ ପରିଚାଳନା,ଶିକ୍ଷାଦାନ ର ଗୁଣବତ୍ତା ବୃଦ୍ଧି, ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ ଓ ନୂତନ ଶିକ୍ଷାନୀତିର ସଫଳ କାର୍ଯ୍ୟକାରିତା ଉପରେ ଏହି ପ୍ରଶିକ୍ଷଣ ରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା।ଜିଲ୍ଲା ଶିକ୍ଷା ଅଧିକାରୀ ସୁଧାଂଶୁ ଶେଖର ମିଶ୍ର କାର୍ଯ୍ୟକ୍ରମକୁ ଉଦଘାଟନ କରି ନିଜ ବକ୍ତବ୍ୟରେ ବିଦ୍ୟାଳୟ ର ମୂଳଦୁଆ ହେଉଛନ୍ତି ପ୍ରଧାନ ଶିକ୍ଷକ ବୋଲି କହିବା ସହ ସମୟୋପଯୋଗୀ ଯୋଜନା ଏବଂ ଶିକ୍ଷକ ମାନଙ୍କ ମଧ୍ୟରେ ସମନ୍ୱୟ ଦ୍ୱାରା ଶିକ୍ଷାର ଗୁଣାତ୍ମକ ମାନକୁ ଆହୁରି ସୁଦୃଢ କରାଯାଇପାରିବ ଓ ଚଳିତ ବର୍ଷ ମାଟ୍ରିକ
ପରୀକ୍ଷା ରେ ବଲାଙ୍ଗୀର ଜିଲ୍ଲା ରୁ ଅଧିକରୁ ଅଧିକ ଛାତ୍ରଛାତ୍ରୀ ଏ-୧ ଗ୍ରେଡ଼ ହାସଲ କରିବେ ସେ ଦିଗରେ ସମସ୍ତ ପ୍ରଧାନ ଶିକ୍ଷକ ଯତ୍ନବାନ ହେବା ସହ ବିଦ୍ୟାଳୟ ଭିତ୍ତିକ ସ୍ୱତନ୍ତ୍ର କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ମିଶ୍ର ପରାମର୍ଶ ଦେବାସହ ଗୁଣାତ୍ମକ ଶିକ୍ଷା ହେଉଛି ଆମର ପରିଚୟ,ଏ-୧ ଗ୍ରେଡ଼ ହେଉଛି ଆମର ଲକ୍ଷ୍ୟ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ମିଶ୍ର ନିଜ ବକ୍ତବ୍ୟ ରେ କହିଥିଲେ।ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରବୀର କୁମାର ପଣ୍ଡା ନିଜ ବକ୍ତବ୍ୟରେ ପ୍ରଧାନ ଶିକ୍ଷକ କେବଳ ପ୍ରଶାସକ ନୁହନ୍ତି ବରଂ ଶିକ୍ଷା ପରିବର୍ତ୍ତନ ର ପ୍ରମୁଖ ସାରଥୀ ବୋଲି କହିଥିଲେ।ସେମାନଙ୍କ ନେତୃତ୍ୱ ଓ ସକ୍ରିୟତା ବିଦ୍ୟାଳୟ ର ସାମଗ୍ରିକ ପ୍ରଗତିର ଆଧାର ବୋଲି ସେ ମତବ୍ୟକ୍ତ କରିଥିଲେ।ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସେବାଶ୍ରୀ ଭୋଇ ବିଦ୍ୟାଳୟରେ ସକାରାତ୍ମକ ଶିକ୍ଷା ପରିବେଶ,ଶୃଙ୍ଖଳା,ସ୍ୱଚ୍ଛତା ଏବଂ ଛାତ୍ରଛାତ୍ରୀଙ୍କ ମାନସିକ ଓ ନୈତିକ ବିକାଶ ପ୍ରତି ଗୁରୁତ୍ୱ ଦେବାକୁ ଆହ୍ୱାନ ଦେଇଥିଲେ।ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରୀନା କୁମାରୀ ବେହେରା ବିଦ୍ୟାଳୟ ରେ ସରକାରୀ ଯୋଜନାର ସଠିକ କାର୍ଯ୍ୟକାରିତା, ନିୟମିତ ଶୈକ୍ଷିକ କାର୍ଯ୍ୟକଳାପ ର ତଦାରଖ ଏବଂ ପ୍ରଧାନ ଶିକ୍ଷକଙ୍କ ଦାୟିତ୍ୱବୋଧ ଉପରେ ଆଲୋକପାତ କରିଥିଲେ।ଜିଲ୍ଲା କ୍ରୀଡ଼ା ନିରୀକ୍ଷକ ପ୍ରଦୀପ ପାତ୍ର ଶିକ୍ଷା ସହ କ୍ରୀଡ଼ା ଓ ସହପାଠ୍ୟ କାର୍ଯ୍ୟକଳାପ ର ସମାନ ବିକାଶ ଦ୍ୱାରା ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀଣ ବ୍ୟକ୍ତିତ୍ୱର ବିକାଶ ସମ୍ଭବ ବୋଲି କହିଥିଲେ।
ପଞ୍ଚସଖା ଶିକ୍ଷା ସେତୁ ର ସଂଯୋଜକ ଦୂର୍ଗା ପ୍ରସାଦ ପାଣିଗ୍ରାହୀ ଡିଜିଟାଲ ଶିକ୍ଷା, ନବସୃଜନମୂଳକ ଶିକ୍ଷାଦାନ ପଦ୍ଧତି ଓ ପ୍ରଯୁକ୍ତି ର ସଠିକ ବ୍ୟବହାର ମାଧ୍ୟମରେ ଶିକ୍ଷାର ଗୁଣବତ୍ତା ବୃଦ୍ଧି ସମ୍ଭବ ବୋଲି ମତ ରଖିଥିଲେ।ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ର ସେକ୍ସନ ଅଫିସର ସୁଦାମ ମଲ୍ଲିକ ବିଦ୍ୟାଳୟ ର ପ୍ରଶାସନିକ କାର୍ଯ୍ୟ,ରେକର୍ଡ ସଂରକ୍ଷଣ,ଆର୍ଥିକ ସ୍ୱଚ୍ଛତା ଏବଂ ସରକାରୀ ନିର୍ଦ୍ଦେଶାବଳୀର ସଠିକ ପାଳନ ସମ୍ପର୍କରେ ପ୍ରଧାନ ଶିକ୍ଷକ ମାନଙ୍କୁ ମାର୍ଗଦର୍ଶନ କରିଥିଲେ।କାର୍ଯ୍ୟକ୍ରମ ରେ ଉପସ୍ଥିତ ପ୍ରଧାନ ଶିକ୍ଷକ ମାନେ ବିଭିନ୍ନ ଶିକ୍ଷାଗତ ଓ ପ୍ରଶାସନିକ ବିଷୟରେ ନିଜ ଅଭିଜ୍ଞତା ବାଣ୍ଟିବା ସହ ବିଶେଷଜ୍ଞ ମାନଙ୍କ ସହ ମତବିନିମୟ କରିଥିଲେ।ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଗାମୀ ଦିନରେ ବିଦ୍ୟାଳୟ ପରିଚାଳନାକୁ ଆହୁରି ସୁଦୃଢ କରିବା ସହ ଶିକ୍ଷାର ଗୁଣାତ୍ମକ ବିକାଶରେ ସହାୟକ ହେବ ବୋଲି ଆଶା ପ୍ରକାଶ ପାଇଥିଲା।ଶେଷରେ ଧନ୍ୟବାଦ ଦେଇଥିଲେ ଅଲଣ୍ଡା ହାଇସ୍କୁଲ ର ପ୍ରଧାନ ଶିକ୍ଷକ ସୁଧାଂଶୁ ଶେଖର ରାଉତରାୟ।