-+91-9937148622 |
prerana_bgr@rediffmail.com |
Tuesday 28th July 2026 |
R.N.I. Regd No. ODIODI/2010/46693
Breaking News
28-Jul-2026
ବଲାଙ୍ଗୀର(ପ୍ରେରଣା ଖବର): ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ପବିତ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଆଗାମୀ ଜିଲ୍ଲାସ୍ତରୀୟ ସ୍ଵାଧୀନତା ଦିବସ-୨୦୨୬ ପାଳନ ସମ୍ବନ୍ଧୀୟ ପୂର୍ବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଡ. ବିଜୟାନନ୍ଦ ସେଠୀ ଏବଂ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ହିମାଂଶୁ ବେହେରା ମଞ୍ଚାସୀନ ଥିଲେ । ଅତିରିକ୍ତ ଜିଲ୍ଲାପାଳ ସମସ୍ତଙ୍କୁ ସ୍ବାଗତ କରି ଜିଲ୍ଲାସ୍ତରୀୟ ସ୍ଵାଧୀନତା ଦିବସକୁ ଅତ୍ୟନ୍ତ ସଫଳ, ସ୍ମରଣୀୟ ଓ ମହାସମାରୋହରେ ପାଳନ କରିବା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରାଜେନ୍ଦ୍ର କୁମାର ମାଝୀ ବୈଠକର ଆଲୋଚ୍ୟ ବିଷୟ
ଉପସ୍ଥାପନ କରିଥିଲେ । ବୈଠକର ନିଷ୍ପତ୍ତି ଅନୁସାରେ, ତା. ୧୫.୦୮.୨୦୨୬ ସ୍ଵାଧୀନତା ଦିବସ ଦିନ ପ୍ରାତଃ ୪ ଘଣ୍ଟାରେ ରାମଧୂନ, ସକାଳ ୬ ରୁ ୭ ଘଣ୍ଟା ପର୍ଯ୍ୟନ୍ତ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପ୍ରଭାତ ଫେରି, ସକାଳ ୭.୦୦ରୁ ୮.୦୦ ମଧ୍ୟରେ ସରକାରୀ, ବେସରକାରୀ ଓ ଶିକ୍ଷାନୁଷ୍ଠାନରେ ଜାତୀୟ ପତାକା ଉତ୍ତୋଳନ, ସକାଳ ୭.୩୦ରୁ ୭.୪୫ ମଧ୍ୟରେ ସହରରେ ଥିବା ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଏବଂ ସକାଳ ୯.୧୫ରେ ମନୋହରପୁର ରିଜର୍ଭ ପୋଲିସ ପଡିଆରେ ମୁଖ୍ୟ ଅତିଥି ଜାତୀୟ ପତାକା ଉତ୍ତୋଳନ କରି, ସମ୍ମିଳିତ ପ୍ୟାରେଡର ଅଭିବାଦନ ଗ୍ରହଣ କରି, ଜନସାଧାରଣଙ୍କୁ ଉଦ୍ବୋଧନ ଦେବା ସହ କୃତି ପ୍ରତିଯୋଗୀ ଓ ପ୍ରତିଭାମାନଙ୍କୁ ପୁରସ୍କୃତ ଓ ସମ୍ମାନିତ କରିବେ । ଏହି ସମ୍ମିଳିତ ପ୍ୟାରେଡ୍ରେ ସଶସ୍ତ୍ର ପୋଲିସ ବାହିନୀ, ଓଡ୍ରାଫ୍, ଗୃହରକ୍ଷୀ ବାହିନୀ, ପୋଲିସ କଲର ପାର୍ଟି ସହିତ ବିଭିନ୍ନ ଶିକ୍ଷାନୁଷ୍ଠାନର ଏନ.ସି.ସି, ସ୍କାଉଟ୍, ଗାଇଡ୍, ରେଡ୍କ୍ରସ୍ ଏବଂ ସିଭିଲିଆନ୍ ଦଳ ଅଂଶଗ୍ରହଣ କରିବେ । ସ୍ଵାଧୀନତା ଦିବସ ଉପଲକ୍ଷେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ଦେଶାତ୍ମବୋଧକ ସଙ୍ଗୀତ, ଚିତ୍ରକଳା, ବ୍ୟଙ୍ଗଚିତ୍ର, ସ୍ଵାଧୀନତା ସଂଗ୍ରାମୀ ବେଶସଜ୍ଜା ଏବଂ ସଂସ୍କୃତ, ଓଡିଆ, ହିନ୍ଦୀ ଓ ଇଂରାଜୀ ଭାଷାରେ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହେବ । ମାଧ୍ୟମିକ ଶିକ୍ଷା ପରିଷଦ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଏବଂ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ସ୍ନାତକରେ ସର୍ବୋଚ୍ଚ ନମ୍ବର ରଖିଥିବା ମେଧାବୀ ଛାତ୍ରଛାତ୍ରୀ ଏବଂ ଜାତୀୟ/ଅନ୍ତର୍ଜାତୀୟ ସ୍ତରରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରାଯିବ । ପ୍ୟାରେଡ୍ ଉତ୍ସବ ପରେ ଜିଲ୍ଲା କାରାଗାରର ଅନ୍ତେବାସୀ ଏବଂ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ରୋଗୀମାନଙ୍କୁ ଫଳ ଓ ମିଷ୍ଠାନ୍ନ ବଣ୍ଟନ କରାଯିବ । ପାର୍ବତୀଗିରି ବାଳ ନିକେତନ, ଡାଃ. ହରେକୃଷ୍ଣ ମହତାବ ମାନସିକ ଅନଗ୍ରସର ସଂସ୍ଥାନ, ଉତ୍କଳବନ୍ଧୁ ସେବାଶ୍ରମ ଏବଂ ଡେଷ୍ଟିଚ୍ୟୁଟ୍ ହୋମର ଅନ୍ତେବାସୀଙ୍କୁ ମଧ୍ୟ ଫଳ ଓ ମିଷ୍ଠାନ୍ନ ପ୍ରଦାନ କରାଯିବ । ଅପରାହ୍ନ ୪:୦୦ ଘଣ୍ଟାରେ ଟାଉନ ବାଳକ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ଜିଲ୍ଲା ପ୍ରଶାସନ ଏକାଦଶ ବନାମ ଜିଲ୍ଲା ଗଣମାଧ୍ୟମ ଏକାଦଶ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ ମ୍ୟାଚ୍ ଅନୁଷ୍ଠିତ ହେବ । ଏହି ବୈଠକରେ ବଲାଙ୍ଗୀର ପୌରପରିଷଦର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର
ବେହେରା, ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମି ରଞ୍ଜନ ମିଶ୍ର, କ୍ରୀଡ଼ାବାସ ଅଧିକ୍ଷକ ପରାଶର ବାଗ, ଆଞ୍ଚଳିକ ପରିବହନ ଅଧିକାରୀ ପ୍ରିୟବ୍ରତ ମହାନ୍ତି, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଶୋଭନା ଭୋଇ, ଆରଆଇ ଓଫ ପୋଲିସ ଲୋକନାଥ ଭୋଇ, ସହକାରୀ କମାଣ୍ଡଣ୍ଟ ଶରତ କୁମାର ସୁନା, ଡ଼ିଏସପି ପୀତାମ୍ବର ମଲ୍ଲିକ, ଜନସ୍ୱାସ୍ଥ୍ୟ ବିଭାଗର କନିଷ୍ଠ ଯନ୍ତ୍ରୀ ଅଜୟ କୁମାର ଜେନା, ବିଭିନ୍ନ ବିଭାଗର ଅଧିକାରୀ, ସହରର ମାନ୍ୟଗଣ୍ୟ ବ୍ୟକ୍ତି, ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତା ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ । ଶେଷରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ମାଝୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।