-+91-9937148622 |
prerana_bgr@rediffmail.com |
Wednesday 19th August 2026 |
R.N.I. Regd No. ODIODI/2010/46693
Breaking News
26-Feb-2026
ବଲାଙ୍ଗୀର(ପ୍ରେରଣା ଖବର)- ରାଜ୍ୟ ସରକାରଙ୍କ ବଜେଟ ସରିଯାଇଛି । ଚଳିତ ୨୦୨୬-୨୦୨୭ ଆର୍ଥିକ ବର୍ଷରେ ବଜେଟରେ ୩ଲକ୍ଷ ୧୦ ହଜାର କୋଟି ଟଙ୍କାର ବିଶାଳ ବଜେଟ ମୁଖ୍ୟମନ୍ତ୍ରୀ ଉପସ୍ଥାପନ କରିଛନ୍ତି। ଏଥିରେ ବଲାଙ୍ଗୀର ଜିଲ୍ଲାକୁ ଏକ ସରକାରୀ ଇଞ୍ଜିନିୟରିଂ କଲେଜ ଓ ଏକ କୃଷି ମହାବିଦ୍ୟାଳୟ ଦିଆଯାଇଛି। ଏଥିପାଇଁ ଆଜି ବଲାଙ୍ଗୀର ଜିଲ୍ଲା ବିଜେପି ପକ୍ଷରୁ ଏକ ବୁଦ୍ଧିଜୀବୀ ସମ୍ବିଳନୀ ତଥା ସାମ୍ବାଦିକ ସମ୍ବିଳନୀ କରାଯାଇ ରାଜ୍ୟସରକାରଙ୍କ ସଫଳତାର କଥା କୁହାଯାଇଥିଲା। ଜିଲ୍ଲା ବିଜେପି ସଭାପତି ଶ୍ରୀବତ୍ସା ବେହରୋ, ବରିଷ୍ଠନେତା ଗୋପାଳଜୀ ପାଣିଗ୍ରାହୀଙ୍କ ଉପସ୍ଥିତିରେ ରାଜ୍ୟ ସରକାରଙ୍କ ଗ୍ରାମ୍ୟଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ମନ୍ତ୍ରୀ ରବିନାରାୟଣ ନାଏକ ସାମ୍ବାଦିକ ସମ୍ବିଳନୀରେ କହିଲେ ଯେ, ରାଜ୍ୟରେ ବିଜେପିସରକାର ଆସିଲା ପରେ ବିକାଶ ଗତିଶୀଳ ହୋଇଛି। ରାଜ୍ୟ ବଜେଟରେ କୃଷି, ଶିଲ୍ପ, ଶ୍ରମନିଯୁକ୍ତି, ଜଳସେଚନ ଇତ୍ୟାଦିକୁ ପ୍ରାଧାନ୍ୟ ଦିଆଯାଇଥିବା ବିଷୟ ନେଇ କହିଥିଲେ। ବଲାଙ୍ଗୀରରେ ଚଳିତ ବଜେଟରେ ଏକ କୃଷି ମହାବିଦ୍ୟାଳୟ ଓ ଏକ ସରକାରୀ ଇଞ୍ଜିନିୟରିଂ କଲେଜ ସ୍ଥାପନର ପ୍ରାବଧାନ କରାଯାଇଥିବା ମନ୍ତ୍ରୀ କହିଥିଲେ । ରାଜ୍ୟର ସବୁ କ୍ଷେତ୍ରର ସାମଗ୍ରୀକ ବିକାଶ ମୋହନ ସରକାର ଙ୍କ ଦାୟୀତ୍ୱ ବୋଲି କହିଥିଲେ। ଗ୍ରାମାଞ୍ଚଳର ଶ୍ରମିକଙ୍କୁ ୩୦୦ ଦିନର ନିଯୁକ୍ତି ଦେବାକୁ ବିଭିରାମଜୀ ଯୋଜନା କରାଯାଇଥିବା ନେଇ ମନ୍ତ୍ରୀ ସୂଚନା ଦେଇଥିଲେ। ଏହା ସହିତ ଡାଲଖାଇ ନାମକ ଏକ ନୂଆ ଯୋଜନା ମାଧ୍ୟମରେ ଦାଦନ ସମସ୍ୟା ରୋକିବାକୁ ସରକାର ପଦକ୍ଷେପ ନେଇଥିବା କହିଥିଲେ। ତେବେ ରାଜ୍ୟକୁ ୩ଲକ୍ଷ କୋଟି ଟଙ୍କାର ନିବେଶ ଆସିଥିବା ବେଳେ ବଲାଙ୍ଗୀର ଜିଲ୍ଲାର ଭାଗ କେତେ, କେବିକେରେ କୃଷି ବିଶ୍ୱବିଦ୍ୟାଳୟ, ବଲାଙ୍ଗୀରରେ ଆୟୁଷ ବିଶ୍ୱବିଦ୍ୟାଳୟ ଇତ୍ୟାଦି ପ୍ରସଙ୍ଗରେ ସାମ୍ବାଦିକମାନେ ମନ୍ତ୍ରୀଙ୍କୁ ଘେରିଥିଲେ। ରାଜ୍ୟସରକାର ବଲାଙ୍ଗୀର ଭଳି ଆକାଂକ୍ଷୀ ଜିଲ୍ଲାକୁ ପ୍ରଧାନ୍ୟ ଦେଉନଥିବା, ଅର୍ଥ ନିବେଶକାରୀଙ୍କୁ ନିର୍ଦ୍ଦିଷ୍ଟ କେତେକ ଜିଲ୍ଲା ପଠାଯାଉଥିବା, ବଲାଙ୍ଗୀର ଜିଲ୍ଲାରେ କପା ଓ କେନ୍ଦୁପତ୍ର ଉତ୍ପାଦନ ହେଉଥିବା ସତ୍ୱେ କୌଣସି କୃଷିଭିତ୍ତିକ ଶିଲ୍ପ ସ୍ଥାପନ ନହେବା,ବଲାଙ୍ଗୀର ଜିଲ୍ଲାରୁ ଏଫସିଆଇ ଚାଉଳ ନେଉନଥିବା, ଜିଲ୍ଲାର ଛାତ୍ରଛାତ୍ରୀ ବାହାର ରାଜ୍ୟକୁ ଦାଦନ ଖଟିଯାଉଥିବାରୁ ମାଟ୍ରୀକ ପରୀକ୍ଷାରେ ଅନୁପସ୍ଥିତ ରହୁଥିବା ବିଷୟ ନେଇ ଗଣମାଧ୍ୟମ ପ୍ରତିନିଧିମାନେ ମନ୍ତ୍ରୀ ଶ୍ରୀ ନାଏକଙ୍କୁ ପ୍ରଶ୍ନ ପଚାରିବା ରୁ ମନ୍ତ୍ରୀ ଏହାର ସନ୍ତୋଷଜନକ ଉତ୍ତର ରଖି ପାରିନଥିଲେ। ଦାଦନ ସମସ୍ୟାକୁ ସମାଧାନ ପାଇଁ ଉପମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତା ରେ ଗଠିତ ଟାକ୍ସଫୋର୍ସ କଣ ରିପୋର୍ଟ ଦେଇଛି ଓ ସରକାର କଣ ପଦକ୍ଷେପ ନେଇଛନ୍ତି ବୋଲି ହୋଇଥିବା ପ୍ରଶ୍ନର ଉତ୍ତର ରେ ମନ୍ତ୍ରୀ କହିଲେ ଯେ,ରାଜ୍ୟ ସରକାର ଡାଲଖାଇ ନାମକ ଏକ ଯୋଜନା କରିଛନ୍ତି। ବଲାଙ୍ଗୀର ହେଉଛି ଏକ ସାଂସ୍କୃତିକ ମାଟି। ତେଣୁ ସଂସ୍କୃତି ମାଧ୍ୟମରେ ଲୋକଙ୍କୁ ଦାଦନ ନଯିବାକୁ ପ୍ରବର୍ତ୍ତାଯିବ ବୋଲି ମନ୍ତ୍ରୀ କହିଥିଲେ। ଠିକ ସେହିପରି ଜଳସେଚନ ହାର ବଢାଇବା ପ୍ରସଙ୍ଗରେ ମନ୍ତ୍ରୀ କହିଥିଲେ ଯେ, ଚଳିତ ବଜେଟରେ ସରକାର ଜଳସେଚନ ବିଭାଗ ପାଇଁ ୧୬୦୦୦ କୋଟି ଟଙ୍କା ରଖିଛନ୍ତି ବୋଲି କହିବାରୁ ସାମ୍ବାଦିକ ମାନେ ପ୍ରଶ୍ନ କରିଥିଲେ ଯେ, ଜିଲ୍ଲାରେ ହେବାକୁ ଆଇଏସଏସ ଗୁଡିକର ବାରମ୍ବାର ଟେଣ୍ଡର କରାଯାଇ କାହିଁକି ବାତିଲ କରା ଯାଉଛି ବୋଲି ପ୍ରଶ୍ନରେ ଉତ୍ତର ରଖି ପାରିନଥିଲେ। ବଲାଙ୍ଗୀର ଜିଲ୍ଲାର ନୋଡାଲମନ୍ତ୍ରୀ ହିସାବରେ ସେ ଜିଲ୍ଲାର ବିକାଶ ପାଇଁ ରାଜ୍ୟସରକାରଙ୍କ କେଉଁ ନିର୍ଦ୍ଦିଷ୍ଟ ପ୍ରସ୍ତାବ ଦେବେ ବୋଲି ସାମ୍ବାଦିକଙ୍କ ପ୍ରଶ୍ନରେ ମଧ୍ୟ ମନ୍ତ୍ରୀ କୌଣସି ସ୍ପଷ୍ଟ ଉତ୍ତର ନରଖି ଆଗକୁ ଏନେଇ ପଦକ୍ଷେପ ନିଆଯିବ ବୋଲି କେବଳ କହି ସାମ୍ବାଦିକ ସମ୍ବିଳନୀ ସାରି ଦେଇଥିଲେ। ବଲାଙ୍ଗୀର ଜନସାଧାରଣଙ୍କ ସମ୍ମୁଖରେ ଗତିଶୀଳ ବିକାଶ କଥା ରଖିବାକୁ ଯାଇ ଆଜି ମନ୍ତ୍ରୀ ରବିନାରାୟଣ ନାଏକ ଅପଦସ୍ତ ହୋଇପଡି ଥିଲେ। ସାମ୍ବାଦିକ ସମ୍ବିଳନୀ ପରେ ମନ୍ତ୍ରୀ ବଲାଙ୍ଗୀର ସହରର ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ତଥା ବୁଦ୍ଧିଜୀବୀଙ୍କ ସହିତ ଆଲୋଚନା କରିଥିଲେ।