-+91-9937148622 |
prerana_bgr@rediffmail.com |
Wednesday 19th August 2026 |
R.N.I. Regd No. ODIODI/2010/46693
Breaking News
25-Feb-2026
ବଲାଙ୍ଗିର,୨୫ା୨-ବଲାଙ୍ଗୀର-ପାଟଣାଗଡ ରାସ୍ତାର ଜ୍ୟୋତିନଗରଠାରେ ଦୀର୍ଘବର୍ଷ ଧରି ଚାଲିଥିବା ଖ୍ରୀଷ୍ଟିଆନମିଶନାରୀଙ୍କ ପରିଚାଳିତ ହସପିଟାଲକୁ ଆଜି ପ୍ରଶାସନ ପକ୍ଷରୁ ବୁଲଡୋଜର ଲଗାଇ ଭଙ୍ଗାଯାଇଛି । ତେବେ ଏହି ଭଙ୍ଗାଭଙ୍ଗିକୁ ବଲାଙ୍ଗୀର ବିଜେଡିଦଳ ତୀବ୍ରବିରୋଧ କରିବା ସହିତ ହୋହଲ୍ଲାକରି ତହସିଲଦାରଙ୍କୁ ସେଠାରୁ ଫେରାଇ ଦେଇଥିବା ଜଣାପଡିଛି । ଆଜି ଦିନ ୧୨ଟାରେ ସମୟରେ ବଲାଙ୍ଗୀର ତହସିଲଦାର ଲଗ୍ନଜିତ ବେହେରା ତାଙ୍କ ଟିମ ସହିତ ଦୁଇଟି ବୁଲଡୋଜର ନେଇ ଜ୍ୟୋତିନଗରସ୍ଥିତ ମିଶନ ହସପିଟାଲ ତଥା ବର୍ତ୍ତମାନ ସୁପ୍ରିମଟାକ୍ସ ହସପିଟାଲର
କିଛି ଅଂଶକୁ ଭଙ୍ଗାଇଥିଲେ । ଏହାକୁ ଖ୍ରୀଷ୍ଟାନ କମ୍ୟୁନିଟି ପକ୍ଷରୁ ବିରୋଧ କରାଯାଇଥିଲା । ପରେ ପରେ ବିଜେଡିଦଳର ବଲାଙ୍ଗୀର ପୌରାଧ୍ୟକ୍ଷା ଲିକା ସାହୁ,ଜିଲ୍ଲା ପରିଷଦର ଅଧ୍ୟକ୍ଷା ଦେବକୀ ସାହୁ,ବିଜେଡିନଗର ସଭାପତି ଶମ୍ଭୁ ନାଗଙ୍କ ନେତୃତ୍ୱରେ ଏକ ପ୍ରତତିନିଧିଦଳ ପହଞ୍ଚି ପ୍ରଶାସନକୁ ବାରଣ କରିଥିଲେ । ଫଳରେ ଭଙ୍ଗାଭଙ୍ଗି ବନ୍ଦ ହୋଇଥିଲା । ବିଧାୟକ କଳିକେଶନାରାୟଣ ସିଂଦେଓଙ୍କ ନିର୍ଦ୍ଦେଶରେ ବିଜେଡିଦଳ ପକ୍ଷରୁ ମିଶନ ହସପିଟାଲ ଭଙ୍ଗାଭଙ୍ଗିକୁ ବିରୋଧ କରାଯାଇଛି । ବିଧାୟକ କଳିକେଶଙ୍କ ସହିତ ଆଲୋଚନା ପରେ ଯାଇ ଯାହା କିଛି ହେବ ବୋଲି ପୌରାଧ୍ୟକ୍ଷା ତହସିଲଦାରଙ୍କୁ କହିଥିଲେ । ତେବେ ତହସିଲଦାର କହିଛନ୍ତି ଯେ,ମିଶନର ବିଶଫଙ୍କ ନାମରେ ୫ଏକର ଜମି ରହିଛି । କିନ୍ତୁ ଯେଉଁପଟେ ଭଙ୍ଗାଯାଉଛି ସେହି ଅଂଶ ପ୍ରାୟ ଦେଢଏକର ଜମିକୁ ମିଶନ ଜବରଦଖଲ କରିଛି । ତାକୁ ଏବେ ଖାଲି କରାଯାଉଛି । ସେପଟେ ଖ୍ରୀଷ୍ଟିଆନ କମ୍ୟୁନିଟି ପକ୍ଷରୁ କୁହାଯାଇଛି ଯେ,ଦୀର୍ଘ ୩୦ବର୍ଷ ହେଲା ଏଠାରେ ମିଶନାରୀମାନଙ୍କ ପକ୍ଷରୁ ହସପିଟାଲ ଖୋଲି ଲୋକଙ୍କୁ ସେବା ଯୋଗାଇ ଦିଆଯାଇ ଆସୁଛି । ଏଠାରେ ପ୍ରଖ୍ୟାତ ଚକ୍ଷୁବିଶେଷଜ୍ଞ ସ୍ୱର୍ଗତ ଡ.ଦଳଗଞ୍ଜନ ସୁନା ହଜାର ହଜାର ଲୋକଙ୍କୁ ଚକ୍ଷୁଚିକିତ୍ସା ସେବା ଯୋଗାଇ ଦେଉଥିଲେ । ସେହିଦିନଠାରୁ ଏହି ଅନୁଷ୍ଠାନ ସୁଚାରୁରୂପେ ପରିଚାଳିତ ହେଉଛି । ଗତ କିଛିବର୍ଷ ହେଲା ଏଠାରେ ସୁପ୍ରିମଟାକ୍ସ ଅନୁଷ୍ଠାନ ହସପିଟାଲ ସହିତ ଏକ ନର୍ସିଂତାଲିମ
ଅନୁଷ୍ଠାନ ଚଳାଉଛି । ସେହି ନର୍ସିଂକଲେଜର ଛାତ୍ରୀମାନେ ରହୁଥିବା ହଷ୍ଟେଲକୁ ଏବେ ପ୍ରଶାସନ ବୁଡୋଜର ଲଗାଇ ଭାଙ୍ଗିଦେଇଛି । ତହସିଲଦାର ଯେଉଁଦିନ ଜବରଦଖଲ ହଟାଇବାକୁ ନୋଟିସକଲେ ସେହିଦିନଠାରୁ ଆମେ କୋର୍ଟର ଦ୍ୱାରସ୍ଥ ହୋଇଛୁ । ଜିଲ୍ଲାପାଳ,ଉପଜିଲ୍ଲାପାଳ ତଥା ତହସିଲଦାରଙ୍କ ସହ ଆଲୋଚନା କରାଯାଇଛି । କୋର୍ଟରେ ମାମଲା ବିଚାରାଧିନ ଥିବା ବେଳେ ପ୍ରଶାସନ ବେଆଇନ ଭାବରେ ବୁଡୋଜର ଲଗାଇ ଭାଙ୍ଗିଛି । ଏହାକୁ ଆମେ ତୀବ୍ରନୀନ୍ଦା କରୁଛୁ ବୋଲି ସମ୍ବଲପୁର ଡାଇଓସିସର ପ୍ରତିନିଧି କହିଛନ୍ତି । ଖ୍ରୀଷ୍ଟିଆନମାନଙ୍କୁ ଶାନ୍ତିରେ ବଞ୍ଚିବା ଓ ଧର୍ମପାଳନ କରିବାକୁ ଦିଆଯାଉ ବୋଲି ସମ୍ବଲପୁର ଡାଇଓସିସର ବିଶଫ ଇମାନୁଆଲ ଦାନୀ କହିଛନ୍ତି ।