-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
11-Sep-2025
ଭୁବନେଶ୍ୱର(ପ୍ରେରଣା ଖବର): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ଆୟୋଜିତ ହେଉଥିବା "ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାର ପ୍ରଶିକ୍ଷଣ କାର୍ଯ୍ୟକ୍ରମ’ର ଉଦ୍ଯାପନୀ ସମାରୋହ ଆଜି ଭୁବନେଶ୍ୱର ସ୍ଥିତ ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।
"ଆମ ଭାଷା ହେଉଛି ଆମ ପରିଚୟ। ଆମ ଓଡ଼ିଆ ଭାଷା ପାଇଁ ଆମେ ଏକ ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ପାଇପାରିଛେ। ତେଣୁ ଆମ ଭାଷାର ବହୁଳ ପ୍ରଚାର ଓ ପ୍ରସାର କରିବା ସହିତ ସରକାରୀ କାର୍ଯ୍ୟରେ ଯେପରି ଆମେ ଓଡ଼ିଆ ଭାଷାର ପ୍ରଚଳନ କରିବା ସେଥିପାଇଁ ଆମେ ଯତ୍ନବାନ ହେବା ଆବଶ୍ୟକ। ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ଆୟୋଜିତ ହୋଇଥିବା ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ନିଶ୍ଚିତ ରୂପେ ସମସ୍ତ ସରକାରୀ ଅଧିକାରୀମାନଙ୍କ ପାଇଁ ସହାୟକ ହେବ", ବୋଲି କହିଛନ୍ତି ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ।
ପ୍ରକାଶଯୋଗ୍ୟ ଯେ, ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ଆୟୋଜିତ ହୋଇଥିବା ଏହି "ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାର ପ୍ରଶିକ୍ଷଣ କାର୍ଯ୍ୟକ୍ରମ’ରେ ପ୍ରାୟ ୨୫ଟି ବିଭାଗରୁ ୧୫୦ଜଣ ସରକାରୀ ଅଧିକାରୀ ଓ କର୍ମଚାରୀ ଅଂଶଗ୍ରହଣ କରିଥିଲେ। ସେପ୍ଟେମ୍ବର ୮ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଆୟୋଜିତ ହୋଇଥିବା ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଓଡ଼ିଆ ବାକ୍ୟ ଗଠନ, ଓଡ଼ିଆ ଭାଷାରେ ଟିପ୍ପଣୀ ଲିଖନ, ଓଡ଼ିଆ ଭାଷାର ପ୍ରଶାସନିକ ପ୍ରୟୋଗ, ପ୍ରଶାସନିକ ଶବ୍ଦ ଚୟନ, ବନାନ୍ ଶୁଦ୍ଧତା ଆଦି ସମ୍ବନ୍ଧରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ଆଜିର ଉଦ୍ଯାପନୀ କାର୍ଯ୍ୟକ୍ରମରେ ପ୍ରଶିକ୍ଷଣରେ ଅଂଶଗ୍ରହଣ କରିଥିବା ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଆଜିର କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା ପ୍ରତିଷ୍ଠାନର ନିର୍ଦ୍ଦେଶକ ଶ୍ରୀ ଦେବପ୍ରସାଦ ଦାଶ, ବିତ୍ତ ତଥା ପ୍ରଶାସନିକ ଅଧିକାରୀ ଶ୍ରୀମତୀ ଅନନ୍ୟା ତ୍ରିପାଠୀ, ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଡ଼. ଚନ୍ଦ୍ରଶେଖର ହୋତା ପ୍ରମୁଖ ଉପସ୍ଥିତ ଥିଲେ l